ଦେଶ ବିଦେଶ

Karwa Chauth 2026: ସ୍ତ୍ରୀ ରଖିଲେନି କରୱା ଚୌଥ ବ୍ରତ, ଥାନାରେ ପହଞ୍ଚିଲେ ସ୍ୱାମୀ!

ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀ ରଖେ ନିର୍ଜଳା ଉପବାସ। ଚନ୍ଦ୍ର ଦର୍ଶନ କରି ସ୍ୱାମୀଙ୍କ ହାତରୁ ପାଣି ପିଇ ଭାଙ୍ଗେ ବ୍ରତ। ଏହା ହେଉଛି କରୱା ଚୌଥର ପରମ୍ପରା। କିନ୍ତୁ ଏହି ପରମ୍ପରାକୁ ନେଇ ଏବେ ଥାନାରେ ପହଞ୍ଚିଛି ସ୍ୱାମୀ-ସ୍ତ୍ରୀଙ୍କ ବିବାଦ। ସ୍ତ୍ରୀ କରୱା ଚୌଥ ବ୍ରତ ରଖିଲେନି ବୋଲି ସିଧା ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ।

ନୂଆଦିଲ୍ଲୀ: ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀ ରଖେ ନିର୍ଜଳା ଉପବାସ। ଚନ୍ଦ୍ର ଦର୍ଶନ କରି ସ୍ୱାମୀଙ୍କ ହାତରୁ ପାଣି ପିଇ ଭାଙ୍ଗେ ବ୍ରତ। ଏହା ହେଉଛି କରୱା ଚୌଥର ପରମ୍ପରା। କିନ୍ତୁ ଏହି ପରମ୍ପରାକୁ ନେଇ ଏବେ ଥାନାରେ ପହଞ୍ଚିଛି ସ୍ୱାମୀ-ସ୍ତ୍ରୀଙ୍କ ବିବାଦ। ସ୍ତ୍ରୀ କରୱା ଚୌଥ ବ୍ରତ ରଖିଲେନି ବୋଲି ସିଧା ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ। ଖାଲି ଅଭିଯୋଗ କରିନାହାନ୍ତି, ବରଂ ଚେତାବନୀ ଦେଇଛନ୍ତି, ଏଥର ପୂଜା ନକଲେ ଦେବେ ଛାଡ଼ପତ୍ର! ଏଭଳି ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ। ଘଟଣାଟି ଶିବପୁରୀ ଜିଲ୍ଲା ବଦରୱାସ ଥାନା ଅଞ୍ଚଳର ବିଜରାୱନ ଗାଁର। ଗାଁର ୩୦ ବର୍ଷୀୟ ବାରେଲାଲ ଆଦିବାସୀ ନିଜ ସ୍ତ୍ରୀ ମିଥିଲେଶଙ୍କ ବିରୋଧରେ ଥାନାରେ ଦେଇଛନ୍ତି ଲିଖିତ ଅଭିଯୋଗ। ଅଭିଯୋଗରେ ସେ ଲେଖିଛନ୍ତି, ତାଙ୍କ ସ୍ତ୍ରୀ ତାଙ୍କ ସହ ବେଇମାନି କରୁଛନ୍ତି।

ତାଙ୍କ ଦୀର୍ଘାୟୁ ପାଇଁ କରୱା ଚୌଥ ବ୍ରତ ରଖୁନାହାନ୍ତି। ଏପରିକି ଚନ୍ଦ୍ର ଦର୍ଶନ କରି ତାଙ୍କ ପାଇଁ ପୂଜା କରିବାକୁ ମଧ୍ୟ ମନା କରୁଛନ୍ତି। ସ୍ୱାମୀଙ୍କ ଅଭିଯୋଗ ଅନୁସାରେ, ସେ ସ୍ତ୍ରୀଙ୍କୁ ଅନେକ ଥର କହିଛନ୍ତି, ଅତି କମ୍‌ରେ ଚନ୍ଦ୍ର ଦେଖି ତାଙ୍କ ଦୀର୍ଘାୟୁ କାମନା କରନ୍ତୁ। ହେଲେ ସ୍ତ୍ରୀ ତାଙ୍କ କଥା ଶୁଣୁନାହାନ୍ତି। ଏହି ଅଭିଯୋଗ ପତ୍ରରେ ବାରେଲାଲ ଆହୁରି ଲେଖିଛନ୍ତି, ତାଙ୍କ ସ୍ତ୍ରୀ ତାଙ୍କୁ ମାରିବାକୁ ଚାହୁଁଛନ୍ତି। ତେଣୁ ତାଙ୍କ ପାଇଁ ବ୍ରତ ରଖୁନାହାନ୍ତି କି ପୂଜା କରୁନାହାନ୍ତି। ଏଥର ଯଦି ସ୍ତ୍ରୀ ତାଙ୍କ ପାଇଁ ପୂଜା ନକରନ୍ତି, ତେବେ ସେ ତାଙ୍କୁ ଛାଡ଼ପତ୍ର ଦେଇଦେବେ ବୋଲି ଆବେଦନରେ ଚେତାବନୀ ଦେଇଛନ୍ତି।

ସ୍ୱାମୀଙ୍କ ଏହି ଅଜବ ଅଭିଯୋଗ ପଢ଼ି ପୁଲିସ କର୍ମଚାରୀ ମଧ୍ୟ କିଛି ସମୟ ପାଇଁ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ଏବେ ଏହି ଅଭିଯୋଗପତ୍ର ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଚର୍ଚ୍ଚାକୁ ଆସିଛି। ତେବେ ଏହି ଘଟଣାକୁ ନେଇ ପୁଲିସର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ପୁଲିସ୍‌ କହିଛି ବଦରୱାସ ଥାନାରେ ବାରେଲାଲଙ୍କ ଆବେଦନ ମିଳିଛି। ତେବେ ତାଙ୍କ ସ୍ତ୍ରୀଙ୍କ ପକ୍ଷରୁ ଏଯାଏଁ କୌଣସି ଅଭିଯୋଗ ଆସିନାହିଁ। ଘଟଣାର ତଦନ୍ତ ଚାଲିଛି ଏବଂ ଆଇନ ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ।  ସାଧାରଣତଃ କରୱା ଚୌଥକୁ ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମ, ବିଶ୍ୱାସ ଓ ଦୀର୍ଘ ଦାମ୍ପତ୍ୟ ଜୀବନର ପ୍ରତୀକ ବୋଲି କୁହାଯାଏ। ହେଲେ ଏଠି ବ୍ରତ ନରଖିବାକୁ ନେଇ ସ୍ୱାମୀ ପହଞ୍ଚିଯାଇଛନ୍ତି ଥାନାରେ। ପ୍ରେମରେ ଅଧିକାର ଥାଇପାରେ, ଆଶା ମଧ୍ୟ ଥାଇପାରେ। କିନ୍ତୁ ଧାର୍ମିକ ପରମ୍ପରାକୁ ନେଇ ଏଭଳି ଚାପ ଓ ଛାଡ଼ପତ୍ରର ଧମକ କେତେ ଯୁକ୍ତିଯୁକ୍ତ? ଏହି ଘଟଣା ଏବେ ସେହି ପ୍ରଶ୍ନ ଉଠାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button