ଦେଶ ବିଦେଶ

Indian-Origin: ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ମିଶ୍ରିତ ପ୍ରଦର୍ଶନ, ବିବେକ ରାମସ୍ୱାମୀ ପରାସ୍ତ

ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀମାନେ ମିଶ୍ରିତ ସଫଳତା ପାଇଛନ୍ତି। ରିପବ୍ଲିକାନ୍‌ ପାର୍ଟିର ପ୍ରମୁଖ ନେତା ବିବେକ ରାମସ୍ୱାମୀ ଓହିଓ ରାଜ୍ୟପାଳ ନିର୍ବାଚନରେ ପରାସ୍ତ ହୋଇଛନ୍ତି।

ୱାସିଂଟନ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀମାନେ ମିଶ୍ରିତ ସଫଳତା ପାଇଛନ୍ତି। ରିପବ୍ଲିକାନ୍‌ ପାର୍ଟିର ପ୍ରମୁଖ ନେତା ବିବେକ ରାମସ୍ୱାମୀ ଓହିଓ ରାଜ୍ୟପାଳ ନିର୍ବାଚନରେ ପରାସ୍ତ ହୋଇଥିବା ବେଳେ ଡେମୋକ୍ରାଟିକ୍‌ ପାର୍ଟିର ପ୍ରମିଳା ଜୟପାଲ, ରୋ ଖାନ୍ନା, ଅମି ବେରା ଓ ସୁହାସ ସୁବ୍ରମଣ୍ୟମ୍‌ ପୁନର୍ବାର ଆମେରିକା କଂଗ୍ରେସକୁ ନିର୍ବାଚିତ ହୋଇଛନ୍ତି। ଫ୍ଲୋରିଡାରୁ ପିଆ ଦାଣ୍ଡିଆ ବିଜୟୀ ହୋଇ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ଭାବେ ଏହି ରାଜ୍ୟରୁ ପ୍ରତିନିଧି ସଭାକୁ ଯିବାର ଗୌରବ ହାସଲ କରିଛନ୍ତି।

କେରଳୀୟ ପ୍ରବାସୀ ପରିବାରରେ ଜନ୍ମିତ ୪୧ ବର୍ଷୀୟ ବିବେକ ରାମସ୍ୱାମୀ ଓହିଓ ରାଜ୍ୟପାଳ ପଦ ପାଇଁ ରିପବ୍ଲିକାନ୍‌ ପ୍ରାର୍ଥୀ ହୋଇଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ ତାଙ୍କୁ ମିଳିଥିଲା। ତେବେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ତଥା ଚିକିତ୍ସକ ଏମି ଆକ୍ଟନ୍‌ଙ୍କଠାରୁ ସେ ପରାସ୍ତ ହୋଇଛନ୍ତି। ଆକ୍ଟନ୍‌ ୫୧ ପ୍ରତିଶତରୁ ଅଧିକ ଭୋଟ୍‌ ପାଇଥିବା ବେଳେ ରାମସ୍ୱାମୀଙ୍କୁ ୪୫ ପ୍ରତିଶତରୁ ଅଧିକ ଭୋଟ୍‌ ମିଳିଛି। ୨୦୦୬ ପରେ ପ୍ରଥମଥର ପାଇଁ ଓହିଓରେ ଜଣେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ରାଜ୍ୟପାଳ ନିର୍ବାଚିତ ହୋଇଛନ୍ତି। ଏହାସହ ଆକ୍ଟନ୍‌ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ ହୋଇଛନ୍ତି।

ପୁନର୍ବାର ହୋଇଛନ୍ତି ବିଜୟୀ
ଭର୍ଜିନିଆର ଦଶମ ନିର୍ବାଚନମଣ୍ଡଳୀରୁ ସୁହାସ ସୁବ୍ରମଣ୍ୟମ୍‌ ୬୧.୫ ପ୍ରତିଶତରୁ ଅଧିକ ଭୋଟ୍‌ ପାଇ ରିପବ୍ଲିକାନ୍‌ ପ୍ରାର୍ଥୀ ଡେଭ୍‌ ବେକୱିଥ୍‌ଙ୍କୁ ପରାସ୍ତ କରିଛନ୍ତି। ସେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପରାମର୍ଶଦାତା ଭାବେ କାମ କରିଥିଲେ। ଫ୍ଲୋରିଡାର ୨୨ତମ ନିର୍ବାଚନମଣ୍ଡଳୀରୁ ପିଆ ଦାଣ୍ଡିଆ ରିପବ୍ଲିକାନ୍‌ ପ୍ରାର୍ଥୀ କେସି ଆସ୍କରଙ୍କୁ ପରାସ୍ତ କରିଛନ୍ତି। ସେ ୫୧.୮୭ ପ୍ରତିଶତ ଭୋଟ୍‌ ପାଇଛନ୍ତି। କାଲିଫର୍ଣ୍ଣିଆର ୧୭ଶ ନିର୍ବାଚନମଣ୍ଡଳୀରୁ ରୋ ଖାନ୍ନା ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ଭାରତୀୟ ବଂଶୋଦ୍ଭବ ରିତେଶ ଟଣ୍ଡନ୍‌ଙ୍କୁ ପରାସ୍ତ କରି ପୁନର୍ବାର ବିଜୟୀ ହୋଇଛନ୍ତି। ୱାସିଂଟନର ସପ୍ତମ ନିର୍ବାଚନମଣ୍ଡଳୀରୁ ପ୍ରମିଳା ଜୟପାଲ ମଧ୍ୟ ରିପବ୍ଲିକାନ୍‌ ପ୍ରାର୍ଥୀ ନିରବ ସେଠ୍‌ଙ୍କୁ ହରାଇ ନିଜ ଆସନ ବଜାୟ ରଖିଛନ୍ତି। ସେ ୨୦୧୭ରୁ ଏହି ଆସନର ପ୍ରତିନିଧିତ୍ୱ କରୁଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button