Republican Party: ନିର୍ବାଚନୀ ଝଟକା ପରେ ଟ୍ରମ୍ପଙ୍କ ଟାର୍ଗେଟ୍ରେ ରକ୍ଷାମନ୍ତ୍ରୀ !
ଆମେରିକାରେ ନିର୍ବାଚନୀ ଝଟକା... ଏବେ ଟ୍ରମ୍ପଙ୍କ କ୍ୟାବିନେଟ୍ରେ ହଲଚଲ ! ଇରାନ୍ ସହ ଯୁଦ୍ଧ ଯୋଗୁଁ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ଶୋଚନୀୟ ପରାଜୟ । ଆଉ ଏହି ପରାଜୟର ଦୋଷ କାହା ମୁଣ୍ଡରେ ଲଦାଯିବ

ନୂଆଦିଲ୍ଲୀ: ଆମେରିକାରେ ନିର୍ବାଚନୀ ଝଟକା… ଏବେ ଟ୍ରମ୍ପଙ୍କ କ୍ୟାବିନେଟ୍ରେ ହଲଚଲ ! ଇରାନ୍ ସହ ଯୁଦ୍ଧ ଯୋଗୁଁ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ଶୋଚନୀୟ ପରାଜୟ । ଆଉ ଏହି ପରାଜୟର ଦୋଷ କାହା ମୁଣ୍ଡରେ ଲଦାଯିବ ? ଚର୍ଚ୍ଚାରେ ଏବେ ଆମେରିକାର ରକ୍ଷାମନ୍ତ୍ରୀ ପିଟ୍ ହେଗସେଥ୍ । ଟ୍ରମ୍ପଙ୍କ ଘନିଷ୍ଠ ଏହି ମନ୍ତ୍ରୀଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡ଼ୁଆ । ଯୁଦ୍ଧର ନିଷ୍ପତ୍ତି ଏବେ ଟ୍ରମ୍ପ ସରକାରଙ୍କ ପାଇଁ ରାଜନୈତିକ ବୁମେରାଙ୍ଗ୍ ହେବାକୁ ଯାଉଛି । ଆମେରିକାର ମିଡଟର୍ମ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପରେ ଇରାନ୍ ଯୁଦ୍ଧକୁ ଦାୟୀ କରୁଛନ୍ତି ଦଳର ନେତା ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଯୁଦ୍ଧର ପ୍ରଭାବକୁ ସ୍ୱୀକାର କରିଛନ୍ତି । ଏବେ ଏହି ପରାଜୟର ଦୋଷ ରକ୍ଷାମନ୍ତ୍ରୀ ପିଟ୍ ହେଗସେଥ୍ଙ୍କ ଉପରେ ଲଦିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି । ପେଣ୍ଟାଗନ୍ର ଜଣେ ପୂର୍ବତନ ଅଧିକାରୀଙ୍କ ମତରେ, ଇରାନ୍ ଯୁଦ୍ଧ ମୁଖ୍ୟତଃ ରକ୍ଷା ବିଭାଗର ନେତୃତ୍ୱରେ ହୋଇଥିଲା । ଯୁଦ୍ଧର ଲକ୍ଷ୍ୟ, ସମୟସୀମା ଓ ଉଦ୍ଦେଶ୍ୟକୁ ନେଇ ହେଗସେଥ୍ଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଏପଟେ ରିପବ୍ଲିକାନ୍ ସାଂସଦ ଥମ୍ ଟିଲିସ୍ ମଧ୍ୟ ହେଗସେଥ୍ଙ୍କ ଭବିଷ୍ୟତକୁ ନେଇ ସଙ୍କେତ ଦେଇଛନ୍ତି । ଡେମୋକ୍ରାଟ୍ମାନେ ମଧ୍ୟ ପେଣ୍ଟାଗନ୍ର କାର୍ଯ୍ୟଶୈଳୀ ଓ ଯୁଦ୍ଧ ପରିଚାଳନାର ତଦନ୍ତ ଦାବି କରିଛନ୍ତି । ଟ୍ରମ୍ପ ହେଗସେଥ୍ଙ୍କୁ ଖୋଲାଖୋଲି ସମର୍ଥନ କରୁଥିଲେ ବି, ନିର୍ବାଚନୀ ପରାଜୟ ତାଙ୍କ ରାଜନୈତିକ ଭବିଷ୍ୟତକୁ ଅନିଶ୍ଚିତ କରିଦେଇଛି । ଏବେ ପ୍ରଶ୍ନ, ଯୁଦ୍ଧର ମୂଲ୍ୟ ଦେବେ କି ହେଗସେଥ୍ ? ନା ଟ୍ରମ୍ପ ନିଜ ମନ୍ତ୍ରୀଙ୍କୁ ଢାଲ୍ କରି ରଖିବେ ?
ସୌଜନ୍ୟ ସମ୍ବାଦ




