Aishwarya and Abhishek: ଦୀପାବଳି ପାର୍ଟିରେ ଯୋଡ଼ିଙ୍କ ଜଲୱା, ଚର୍ଚ୍ଚାରେ ଐଶ୍ୱର୍ଯ୍ୟା-ଅଭିଷେକ
ଦୀପାବଳିର ଆଲୋକ... ବଲିଉଡ୍ର ଗ୍ଲାମର୍... ଆଉ ଷ୍ଟାର୍ କପଲ୍ଙ୍କ ରୋମାଣ୍ଟିକ୍ ଅନ୍ଦାଜ । ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦୀପାବଳି ପାର୍ଟିରେ ଯେତେବେଳେ ପହଞ୍ଚିଲେ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ, ସେତେବେଳେ ସମସ୍ତଙ୍କ ନଜର ଅଟକିଗଲା ଏହି ଯୋଡ଼ି ଉପରେ । ହାତରେ ହାତ ଧରି ପାର୍ଟିକୁ ଏଣ୍ଟ୍ରି କରିଥିଲେ ଦୁହେଁ ।

ନୂଆଦିଲ୍ଲୀ: ଦୀପାବଳିର ଆଲୋକ… ବଲିଉଡ୍ର ଗ୍ଲାମର୍… ଆଉ ଷ୍ଟାର୍ କପଲ୍ଙ୍କ ରୋମାଣ୍ଟିକ୍ ଅନ୍ଦାଜ । ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦୀପାବଳି ପାର୍ଟିରେ ଯେତେବେଳେ ପହଞ୍ଚିଲେ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ, ସେତେବେଳେ ସମସ୍ତଙ୍କ ନଜର ଅଟକିଗଲା ଏହି ଯୋଡ଼ି ଉପରେ । ହାତରେ ହାତ ଧରି ପାର୍ଟିକୁ ଏଣ୍ଟ୍ରି କରିଥିଲେ ଦୁହେଁ । କ୍ୟାମେରା ସାମ୍ନାରେ ଐଶ୍ୱର୍ଯ୍ୟାଙ୍କ ହସ ଆଉ ଅଭିଷେକଙ୍କ ସହ ତାଙ୍କ ମସ୍ତିଭରା ମୁହୂର୍ତ୍ତ ଏବେ ଚର୍ଚ୍ଚାରେ । ଲାଲ୍ ରଙ୍ଗର ସୁନ୍ଦର କାରୁକାର୍ଯ୍ୟଭରା ଶାଢ଼ିରେ ଐଶ୍ୱର୍ଯ୍ୟାଙ୍କ ଟ୍ରାଡିସନାଲ୍ ଲୁକ୍ । ଅନ୍ୟପଟେ କଳା ଶେରୱାନୀରେ ଅଭିଷେକଙ୍କ କ୍ଲାସି ଅନ୍ଦାଜ । ତେବେ ଫ୍ୟାଶନ୍ଠାରୁ ଅଧିକ ଚର୍ଚ୍ଚା ହେଉଛି ଦୁହିଁଙ୍କ କେମିଷ୍ଟ୍ରି । କେତେବେଳେ ଅଭିଷେକଙ୍କ ପାଖରେ ଛିଡ଼ା ହୋଇ ଐଶ୍ୱର୍ଯ୍ୟା ପୋଜ୍ ଦେଉଛନ୍ତି, ତ ଆଉ କେତେବେଳେ ତାଙ୍କ ବାହୁରେ ରହି ଖିଲିଖିଲି ହସୁଛନ୍ତି । ଏହି ଝଲକ ଦେଖି ଫ୍ୟାନ୍ସଙ୍କ ଖୁସି କହିଲେ ନସରେ ।
ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ । ଫିଲ୍ମ ସେଟ୍ରେ ଆରମ୍ଭ ହୋଇଥିବା ବନ୍ଧୁତା ଧୀରେ ଧୀରେ ପ୍ରେମର ରୂପ ନେଇଥିଲା । ‘ଗୁରୁ’ ଫିଲ୍ମ ସମୟରେ ଦୁହିଁଙ୍କ ନିକଟତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଶେଷରେ ୨୦୦୭ ଏପ୍ରିଲ୍ ୨୦ରେ ମୁମ୍ବାଇରେ ବଚ୍ଚନ ପରିବାରର ବାସଭବନ ‘ପ୍ରତୀକ୍ଷା’ରେ ବିବାହ କରିଥିଲେ ଦୁହେଁ । ଏହି ବିବାହ ସେତେବେଳେ ବଲିଉଡ୍ର ସବୁଠୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟିଏ ଥିଲା । ୨୦୧୧ରେ ଝିଅ ଆରାଧ୍ୟାଙ୍କ ଜନ୍ମ ପରେ ପରିବାରର ଖୁସି ଆହୁରି ବଢ଼ିଥିଲା । ଦୀର୍ଘ ବର୍ଷର ଏହି ସମ୍ପର୍କକୁ ନେଇ ଫ୍ୟାନ୍ସଙ୍କ ଭଲପାଇବା ଆଜି ବି ସେମିତି ରହିଛି ।
ହେଲେ ଗତ କିଛି ସମୟ ଧରି ଏହି ଯୋଡ଼ିଙ୍କ ସମ୍ପର୍କକୁ ନେଇ ସୋସିଆଲ୍ ମିଡିଆରେ ନାନା ଚର୍ଚ୍ଚା ଲାଗି ରହିଥିଲା । ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଦୁହିଁଙ୍କ ଅଲଗା ଉପସ୍ଥିତିକୁ ନେଇ ଅନେକ ଅନୁମାନ କରାଯାଉଥିଲା । ଏପରିକି ଛାଡ଼ପତ୍ରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା । ହେଲେ ଏହି ଅନୁମାନକୁ ଦୁହିଁଙ୍କ ମଧ୍ୟରୁ କେହି ଅଧିକାରିକ ଭାବେ ସ୍ପଷ୍ଟ କରିନାହାନ୍ତି । ଏବେ ମନୀଷ ମଲହୋତ୍ରାଙ୍କ ପାର୍ଟିରେ ଏକାଠି ହସିବା, ହାତ ଧରିବା ଆଉ ରୋମାଣ୍ଟିକ୍ ପୋଜ୍ ଦେବାର ଏହି ଦୃଶ୍ୟ ପୁଣି ଫ୍ୟାନ୍ସଙ୍କ ମନରେ ଆଶା ଭରିଦେଇଛି
ସୌଜନ୍ୟ ସମ୍ବାଦ




