ଦେଶ ବିଦେଶ

Air Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ, ଏକ୍ୟୁଆଇ ୩୭୬ ଛୁଇଁଲା

ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ ଥିବାବେଳେ ମୁମ୍ବାଇ, ଚେନ୍ନାଇ, ଲକ୍ଷ୍ନୌରେ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ସତ୍ତ୍ବେ ଦୀପାବଳି ରାତି ୧୦ଟା ପରେ ବି ବାଣଫୁଟା ଜାରି ରହିଥିଲା।

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ ଥିବାବେଳେ ମୁମ୍ବାଇ, ଚେନ୍ନାଇ, ଲକ୍ଷ୍ନୌରେ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ସତ୍ତ୍ବେ ଦୀପାବଳି ରାତି ୧୦ଟା ପରେ ବି ବାଣଫୁଟା ଜାରି ରହିଥିଲା। ଚଳିତ ବର୍ଷ ଦୀପାବଳି ଦିନ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୭୬ ରେ ପହଞ୍ଚିଛି। ଯାହା ଗତ ୫ ବର୍ଷ ମଧ୍ୟରେ ଦୀପାବଳି ଦିନର ସବୁଠୁ ଖରାପ ସ୍ଥିତି। ସୋମବାର ସକାଳ ୧୦ଟା ସୁଦ୍ଧା ଦିଲ୍ଲୀର ଏକ୍ୟୁଆଇ ୩୭୧ ରେକର୍ଡ କରାଯାଇଥିଲା। ଘନକୁହୁଡ଼ି ଓ ଧୂଆଁର ଚାଦରରେ ରାଜଧାନୀ ଆଚ୍ଛାଦିତ ହୋଇ ରହିଥିଲା। ଫଳରେ ଅନେକ ସ୍ଥାନରେ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇଥିଲା।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ୫୧ଟି ମନିଟରିଂ ଷ୍ଟେସନ୍‌ ମଧ୍ୟରୁ ୧୪ଟିରେ ବାୟୁ ପ୍ରଦୂଷଣ ସ୍ତର ”ସାଂଘାତିକ” ବର୍ଗରେ ରହିଥିବା ବେଳେ ୩୩ଟିରେ ”ଅତି ଖରାପ” ଓ ୪ଟିରେ ”ଖରାପ” ସ୍ତର ରେକର୍ଡ ହୋଇଛି। ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (ଡିଟିୟୁ) ଅଞ୍ଚଳରେ ସର୍ବାଧିକ ଏକ୍ୟୁଆଇ ୪୩୯ ରେକର୍ଡ ହୋଇଥିଲା। ଦୀପାବଳି ପରେ ଘନ କୁହୁଡ଼ି ସ୍ଥିତିକୁ ଆହୁରି ଜଟିଳ କରିଛି। ବାୱାନା, ବୁରାଡ଼ି, ଜାହାଙ୍ଗୀରପୁରୀ, ରୋହିଣୀ ଓ ଓଖଲା ଭଳି ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ଏୟାର କ୍ୱାଲିଟି ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍‌ର ଆକଳନ ଅନୁଯାୟୀ, ଆଗାମୀ କିଛି ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ରହିଛି।

୫୦ ମିଟରକୁ ଖସିଲା ଦୃଶ୍ୟମାନତା
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲାଇଭ୍ ଡ୍ୟାସବୋର୍ଡ ଅନୁଯାୟୀ, ସୋମବାର ସକାଳ ୪ଟାରେ ଦିଲ୍ଲୀ ଏକ୍ୟୁଆଇ ସ୍ତର ୪୦୪କୁ ବୃଦ୍ଧି ପାଇଥିଲା। ସଫଦରଜଙ୍ଗ ଅଞ୍ଚଳରେ ସକାଳ ସାଢ଼େ ୬ଟାରେ ଦୃଶ୍ୟମାନତା ମାତ୍ର ୫୦ ମିଟର ରହିଥିଲା। ସ୍ବିଜରଲ୍ୟାଣ୍ଡର ବାୟୁ ନିରୀକ୍ଷଣ ପ୍ଲାଟଫର୍ମ ସୋମବାର ସକାଳେ ଆଇକ୍ୟୁଏୟାର ଦିଲ୍ଲୀର ବାୟୁକୁ ଅସ୍ବାସ୍ଥ୍ୟକର ବର୍ଗରେ ରଖିଛି। ବିଶେଷଜ୍ଞଙ୍କ ମତରେ ପବନ ନ ବହିବା, ଶୁଷ୍କ ପାଣିପାଗ, ଯାନବାହନରୁ ନିର୍ଗତ ଧୂଆଁ, ଦୀପାବଳିରେ ବାଣ ଫୁଟାଇବା ଓ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ଜଳାଇବା ଭଳି କାରଣ ପ୍ରଦୂଷଣ ବୃଦ୍ଧିରେ ଭୂମିକା ନେଇଛି।

ମୁମ୍ବାଇରେ ବାୟୁ ଗୁଣବତ୍ତା ଖରାପ
ଭାରତର ଅନ୍ୟ କେତେକ ସହରରେ ମଧ୍ୟ ଏକ୍ୟୁଆଇ ବୃଦ୍ଧି ପାଇଛି। ମୁମ୍ବାଇ ଓ ଚେନ୍ନାଇରେ କୁହୁଡ଼ି ପରିସ୍ଥିତି ଦେଖାଦେଇଛି। ମୁମ୍ବାଇରେ ବାୟୁ ଗୁଣବତ୍ତା ଖରାପ ହେବା ସହିତ କାଲାନଗର ଓ ବାନ୍ଦ୍ରା ଅଞ୍ଚଳକୁ ଘନ ଧୂଆଁର ଆବରଣ ଘୋଡ଼ାଇ ରଖିଛି। ଏକ୍ୟୁଆଇ ଖେରୱାଡ଼ି-ବାନ୍ଦ୍ରା ପୂର୍ବରେ ୨୬୪, ସେୱ୍ରିରେ ୨୨୬, ଘାଟକୋପରରେ ୨୨୧, ଚେମ୍ବୁର‌ରେ ୨୧୬, ବାୟକୁଲାରେ ୧୯୩ ରେକର୍ଡ଼ କରାଯାଇଛି। ତେବେ ହାରାହାରି ଏକ୍ୟୁଆଇ ୧୭୧ରେ ରହିଛି, ଯାହାକି ସନ୍ତୋଷଜନକ। ଉତ୍ତର ପ୍ରଦେଶରେ, ଲକ୍ଷ୍ନୌର ଅନେକ ଅଂଶ କୁହୁଡ଼ି ପରିସ୍ଥିତିରେ ଉଠିବା ସହିତ ଘନ କୁହୁଡ଼ିର ଆବରଣ ଘୋଡ଼ାଇ ଦେଇଥିଲା।

ଉତ୍ତର ଓ ପଶ୍ଚିମ ଭାରତରେ ଲକ୍ଷ୍ନୌ (୨୪୬), ଅମୃତସର୍‌ (୨୪୨), ଯୋଧପୁର (୨୩୪), ଅହମଦାବାଦ (୨୩୦), ଡେରାଡୁନ (୨୨୮), ଜୟପୁର (୨୨୩), ଉଦୟପୁର (୨୨୩) ଓ ସୁରତ (୨୦୭) ‘ଖରାପ’ ବର୍ଗକୁ ଖସିଆସିଛନ୍ତି। ସେହିପରି କେନ୍ଦ୍ର ଭାରତ ଓ ଶିଳ୍ପ ସମୃଦ୍ଧ ସହର ମଧ୍ୟରେ ନାଗପୁର (୨୩୯), ପୁଣେ (୨୨୧), ଭୋପାଳ (୨୦୫) ଓ କୋଲକାତା (୧୬୭)ରେ ପ୍ରଦୂଷଣ ବୃଦ୍ଧି ପାଇଥିଲା। ଚେନ୍ନାଇ ବ୍ୟତୀତ ଦକ୍ଷିଣ ଭାରତୀୟ ସହରଗୁଡ଼ିକରେ ତୁଳନାତ୍ମକ ଭାବରେ ପ୍ରଦୂଷଣମୁକ୍ତ ରହିଛନ୍ତି। ଚେନ୍ନାଇ ୨୦୮ ( ଖରାପ) ରେ ରହିଛି ବେଙ୍ଗାଲୁରୁ (୧୨୭), ହାଇଦ୍ରାବାଦ (୧୨୦) ଓ ତିରୁଅନନ୍ତପୁରମ (୬୭) ରେ ମଧ୍ୟମରୁ ସନ୍ତୋଷଜନକ ବାୟୁ ଗୁଣବତ୍ତା ସ୍ତର ରେକର୍ଡ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button