ଦେଶ ବିଦେଶ

Cancer Medicine: ୧୩୬୪ଟି କ୍ୟାନସର୍‌ ଔଷଧ ଦାମ୍‌ କମିଲା, ବର୍ଷକୁ ୩୫୪୦ କୋଟି ସଞ୍ଚୟ ହେବ

ଦେଶରେ ୧୩୬୪ଟି କ୍ୟାନସର୍‌ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ହ୍ରାସ ପାଇଛି। ନୂଆ ଦର ନଭେମ୍ବର ୯ରୁ ଲାଗୁ ହୋଇଛି। ଦର ହ୍ରାସ ପାଇଥିବାରୁ ଗ୍ରାହକମାନଙ୍କ ବାର୍ଷିକ ୩୫୪୦.୩୮ କୋଟି ଟଙ୍କା ସଞ୍ଚୟ ହେବା ଆଶା କରାଯାଉଥିବା ସରକାର କହିଛନ୍ତି।

ନୂଆଦିଲ୍ଲୀ: ଦେଶରେ ୧୩୬୪ଟି କ୍ୟାନସର୍‌ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ହ୍ରାସ ପାଇଛି। ନୂଆ ଦର ନଭେମ୍ବର ୯ରୁ ଲାଗୁ ହୋଇଛି। ଦର ହ୍ରାସ ପାଇଥିବାରୁ ଗ୍ରାହକମାନଙ୍କ ବାର୍ଷିକ ୩୫୪୦.୩୮ କୋଟି ଟଙ୍କା ସଞ୍ଚୟ ହେବା ଆଶା କରାଯାଉଥିବା ସରକାର କହିଛନ୍ତି। ନିକଟରେ ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍‌ପିପିଏ) ୧୩୭ଟି କ୍ୟାନସର୍‌ ଔଷଧର ଟ୍ରେଡ୍‌ ମାର୍ଜିନ୍‌କୁ ହ୍ରାସ କରିଥିଲେ।

ସୂଚନା ଅନୁସା‌ରେ, ୮୩ଟି ଔଷଧ କମ୍ପାନି ୧୩୬୪ଟି ଫର୍ମୁଲେସନର ଏମ୍‌ଆର୍‌ପି ହ୍ରାସ କରିଛନ୍ତି। ସେହି ଫର୍ମୁଲେସନଗୁଡ଼ିକୁ ବ୍ୟବହାର କରି ୧୨୧ ପ୍ରକାର ଔଷଧପ୍ରସ୍ତୁତ କରାଯାଉଛି। ୬୭୯ଟି ବ୍ରାଣ୍ଡ୍‌ ସେମାନଙ୍କ ଔଷଧ ଦରରେ ୫୦%ରୁ ଅଧିକ ହ୍ରାସ କରିଛନ୍ତି। ସର୍ବାଧିକ ଦରହ୍ରାସ ୯୬.୪୫% ରହିଛି। ବିତରଣ ଓ ଖୁଚୁରା ବିକ୍ରେତାଙ୍କ ପାଇଁ ରହିଥିବା ଅତ୍ୟଧିକ ‌ଟ୍ରେଡ୍‌ ମାର୍ଜିନକୁ ହ୍ରାସ କରାଯିବା ପରେ ଔଷଧଗୁନିକର ଦାମ୍‌ କମ୍‌ ହୋଇଥିବା ସରକାର ଜଣାଇଛନ୍ତି। ଟ୍ରେଡ୍‌ ମାର୍ଜିନ ହ୍ରାସ କରାଯାଇଥିବା ୧୩୭ଟି ଔଷଧ ମଧ୍ୟରେ ବହୁ ଲୋକପ୍ରିୟ ଔଷଧ ରହିଛି ଯାହାକୁ କ୍ୟାନସର ରୋଗୀମାନେ ବ୍ୟବହାର କରୁଛନ୍ତି।

୧୮୦୦-୧୧୧-୨୫୫ରେ କରିହେବ ଅଭିଯୋଗ
ପେମ୍ବ୍ରୋଲିଜୁମାବ ଓ ଓସିମେର୍ଟିନିବ ଭଳି ଔଷଧ ଆହୁରି ଶସ୍ତା ହୋଇପାରିଛି। କ୍ୟାନସର ଔଷଧ କିଣିବା ବେଳେ ଏମ୍‌ଆର୍‌ପିକୁ ଭଲ ଭାବେ ଦେଖିବାକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଆହ୍ବାନ ଦିଆଯାଇଛି। କୌଣସି ଔଷଧ ଦୋକାନୀ କିମ୍ବା ହସ୍ପିଟାଲ୍‌ ଲିଖିତ ଏମ୍‌ଆର୍‌ପିଠାରୁ ଅଧିକ ଦାମ୍‌ ଦାବି କରିପାରିବେ ନାହିଁ। ଯଦି କେହି ଅଧିକ ଟଙ୍କା ଦାବି କରୁଥିବେ ତାଙ୍କ ବିରୋଧରେ ଫାର୍ମା ଜନ ସମାଧାନ ପୋର୍ଟାଲ କିମ୍ବା ୧୮୦୦-୧୧୧-୨୫୫ରେ ଏନ୍‌ପିପିଏରେ ଅଭିଯୋଗ କରିହେବ।

କ୍ୟାନସର ଔଷଧ ଦରକୁ ନିୟନ୍ତ୍ରଣ କରିବା ଲାଗି ଏନ୍‌ପିପିଏ ତରଫରୁ ୨୦୧୯ରେ ପରୀକ୍ଷାମୂଳକ ପରୀକ୍ଷଣ ଆରମ୍ଭ କରାଯାଇଥିଲା। ସେହି ସମୟରେ ୪୨ଟି ଔଷଧର ଟ୍ରେଡ୍‌ ମାର୍ଜିନକୁ ୩୦%ରେ ସୀମିତ ରଖାଯାଇଥିଲା। ଫଳରେ ପ୍ରାୟ ୫୨୬ଟି ବ୍ରାଣ୍ଡ୍‌ର ଔଷଧ ଦରରେ ୯୦% ପର୍ଯ୍ୟନ୍ତ ହ୍ରାସ ଘଟିଥିଲା। ଫାର୍ମାସ୍ୟୁଟିକାଲ୍‌ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ପଦକ୍ଷେପ ଦ୍ବାରା ରୋଗୀ ଓ ସେମାନଙ୍କ ପରିବାର ଉପରେ ଆର୍ଥିକ ଚାପ କମ୍‌ ହେବ ଏବଂ ସମସ୍ତଙ୍କ ପାଖରେ ସୁଲଭ ମୂଲ୍ୟର ଚିକିତ୍ସା ଉପଲବ୍ଧ ହୋଇପାରିବ। କୌଣସି ପ୍ରକାର କୃତ୍ରିମ ଅଭାବ ସୃଷ୍ଟି ନ କରିବାକୁ ସରକାର ଔଷଧ କମ୍ପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତ। ଯୋଗାଣ ଓ ଉତ୍ପାଦନକୁ ବଜାୟ ରଖିବାକୁ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button