polluted: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ୟୁପିର ଲୋନି
ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ୁଥିବାବେଳେ ପଡ଼ୋଶୀ ଉତ୍ତରପ୍ରଦେଶର ଲୋନି ସହରର ସ୍ଥିତି ଆହୁରି ଉଦ୍ବେଗଜନକ ରହିଛି। ଦିଲ୍ଲୀଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଏହି ସହର ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ସ୍ଥାନ ପାଇଛି।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ୁଥିବାବେଳେ ପଡ଼ୋଶୀ ଉତ୍ତରପ୍ରଦେଶର ଲୋନି ସହରର ସ୍ଥିତି ଆହୁରି ଉଦ୍ବେଗଜନକ ରହିଛି। ଦିଲ୍ଲୀଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିବା ଏହି ସହର ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ସ୍ଥାନ ପାଇଛି। ଦୀପାବଳିରେ ବାଣ ଫୁଟାଯିବା ପରେ ସୋମବାର ସକାଳେ ଏଠାକାର ବାୟୁର ମାନ ଅତି ଖରାପ ହୋଇଯାଇଛି। ଏନ୍ସିଆର୍ରେ ଲୋନି ସବୁଠାରୁ ପ୍ରଦୂଷିତ ସହର।
ସ୍ୱିଜରଲ୍ୟାଣ୍ଡର ବାୟୁ ପ୍ରଦୂଷଣ ନିରୀକ୍ଷଣ ସଂସ୍ଥା ଆଇକ୍ୟୁଏଆର୍ର ତଥ୍ୟ ଅନୁସାରେ, ଗତ ୧୨ ମାସ ମଧ୍ୟରେ ଲୋନିରେ ପିଏମ୍୨.୫ର ହାରାହାରି ସାନ୍ଦ୍ରତା ପ୍ରତି ଘନମିଟରରେ ୧୧୨.୫ ମାଇକ୍ରୋଗ୍ରାମ୍ ରେକର୍ଡ ହୋଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବାର୍ଷିକ ଅନୁମୋଦିତ ସୀମା ୫ ମାଇକ୍ରୋଗ୍ରାମ୍ଠାରୁ ୨୨ ଗୁଣ ଅଧିକ। ତେବେ ଲୋନିର ବାୟୁ ପ୍ରଦୂଷଣ ପାଇଁ କେବଳ ଦୀପାବଳିର ବାଣ ଧୂଆଁ ଦାୟୀ ନୁହେଁ। ଶିଳ୍ପାଞ୍ଚଳ, ଧୂଳି, ନିର୍ମାଣ କାର୍ଯ୍ୟ, ଯାନବାହନ ଏବଂ ଆଖପାଖ ଅଞ୍ଚଳରୁ ଆସୁଥିବା ଧୂଆଁ ମିଶି ପରିସ୍ଥିତିକୁ ଜଟିଳ କରିଛି। ଶସ୍ତା ଜମି ଉପଲବ୍ଧ ହେଉଥିବାରୁ ଲୋନିରେ ଜନବସତି ବଢ଼ୁଛି। ନୂଆ ଘର, କୋଠା ଓ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବର୍ଷସାରା ଚାଲୁଛି। ଗଭୀର ଖନନ ଓ ନିର୍ମାଣ ସମୟରେ ଉଡ଼ୁଥିବା ଧୂଳି ବାୟୁକୁ ପ୍ରଦୂଷିତ କରୁଛି। ଏଥିସହ ଗାଜିଆବାଦ ଓ ଉତ୍ତର-ପୂର୍ବ ଦିଲ୍ଲୀରୁ ଆସୁଥିବା ଯାନବାହନର ଧୂଆଁ ମଧ୍ୟ ଲୋନିର ବାୟୁ ପ୍ରଦୂଷଣ ବଢ଼ାଉଛି।
ସୌଜନ୍ୟ ସମ୍ବାଦ




