Breaking News

ଭାରତଠୁ ୬ ୱିକେଟ୍‌ରେ ହାରିଲା ପାକିସ୍ତାନ: ଅରୁନ୍ଧତି, ଶ୍ରେୟଙ୍କା, ହର୍ମନପ୍ରୀତ୍ ଜିତାଇଲେ

ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ନିଜ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ହର୍ମନପ୍ରୀତ୍ କୌରଙ୍କ ଭାରତୀୟ ଦଳ ରବିବାର ପାକିସ୍ତାନକୁ ୬ ୱିକେଟ୍‌ରେ ମାତ୍ ଦେଇ ବିଜୟଧାରାକୁ ଫେରିଛି।

0

ଦୁବାଇ: ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ନିଜ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ହର୍ମନପ୍ରୀତ୍ କୌରଙ୍କ ଭାରତୀୟ ଦଳ ରବିବାର ପାକିସ୍ତାନକୁ ୬ ୱିକେଟ୍‌ରେ ମାତ୍ ଦେଇ ବିଜୟଧାରାକୁ ଫେରିଛି। ଅରୁନ୍ଧତି ରେଡ୍ଡୀ, ଶ୍ରେୟଙ୍କା ପାଟିଲ୍‌ଙ୍କ ଚମତ୍କାର ବୋଲିଂ ପରେ ଜେମିମା ରଡ୍ରିଗ୍ବେଜ୍ ଓ ହର୍ମନପ୍ରୀତ୍ କୌରଙ୍କ ଉପଯୋଗୀ ପାଳି ବଳରେ ଭାରତ ଏହି ବିଜୟ ପାଇଛି। ଫଳରେ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ପ୍ରାଧାନ୍ୟ ଜାରି ରହିଛ

 

ରବିବାର ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପାଳିକୁ ଭାରତୀୟ ବୋଲର ଜମିବାକୁ ଦେଇ ନଥିଲେ। ପ୍ରଥମ ଓଭରରେ ଗୁଲ ଫିରୋଜାଙ୍କୁ ରେଣୁକା ସିଂହ ବୋଲ୍ଡ କରି‌ ଦେବା ପରେ ଫତିମା ସାନାଙ୍କ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦ୍ରୁତ ବୋଲର ଅରୁନ୍ଧତିଙ୍କୁ ଖେଳି ନପାରି ପାକିସ୍ତାନର ୩ ପ୍ରମୁଖ ବ୍ୟାଟର୍‌ ଓମୈମା ସୋହେଲ, ନିଦା ଦାର, ଆଲିୟା ରିଆଜ ପ୍ୟାଭିଲିଅନ୍ ଫେରିଯାଇଥିଲେ। ଅରୁନ୍ଧତି ୪-୦-୧୯-୩ ବୋଲିଂ ଚିତ୍ର ପାଇଥିଲେ। ୨୨ ବର୍ଷୀୟା ଅଫସ୍ପିନର୍‌ ଶ୍ରେୟଙ୍କା ପାଟିଲ କିନ୍ତୁ ସବୁଠାରୁ ମିତବ୍ୟୟୀ ବୋଲିଂ (୪-୦-୧୨-୨) ପାକିସ୍ତାନ ପାଳିକୁ ବାନ୍ଧି ରଖିଥିଲେ। ଦୀପ୍ତି ଶର୍ମା ଓ ଆଶା ଶୋଭନା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ। ପାକିସ୍ତାନ ୧୦୫/୮ରେ ସୀମିତ ରହିଯାଇଥିଲା।

 

୧୦୬ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଦଳ ସ୍ମୃତି ମନ୍ଧାନା (୭)ଙ୍କୁ ସଅଳ ହରାଇଥିଲା। କିନ୍ତୁ ଶେଫାଳି ବର୍ମା (୩୫ ବଲ୍‌ରୁ ୩୨ ରନ୍)ଙ୍କ ପରେ ଜେମିମା ରଡ୍ରିଗ୍ବେଜ (୨୮ ବଲ୍‌ରୁ ୨୩ ରନ୍) ଓ ହର୍ମନପ୍ରୀତ୍ କୌର୍ (୨୪ ବଲ୍‌ରୁ ୨୯* ରନ୍‌, ରିଟାର୍ଡ ହର୍ଟ) ଦଳକୁ ବିଜୟ ମୁହାଁ କରିଥିଲେ। ଲଗାତାର ବଲ୍‌ରେ ଜେମିମା ଓ ରିଚା ଘୋଷଙ୍କୁ ଆଉଟ୍ କରି ପାକିସ୍ତାନୀ ଅଧିନାୟିକା ଫତିମା ସାନା କିଛିଟା ରୋମାଞ୍ଚ ସୃଷ୍ଟି କରିଥିଲେ। ହର୍ମନପ୍ରୀତ୍ ଷ୍ଟମ୍ପ୍‌ ଆଉଟ୍‌ରୁ ବର୍ତ୍ତିବାକୁ ଯାଇ ପଡ଼ିଯାଇଥିଲେ। ଏଥିରେ ତାଙ୍କ ବେକରେ ଆହତ ଲାଗିବାରୁ ସେ ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ଏହା ପରେ ଦୀପ୍ତି ଶର୍ମା (୭*) ଓ ସଜୀବନ ସଜନା (୪*) ୭ ବଲ୍ ପୂର୍ବରୁ ମ୍ୟାଚ ଶେଷ କରିଥିଲେ। ଅରୁନ୍ଧତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

 

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୧୦୫/୮ (ନିଦା ଦାର୍‌-୨୮, ମୁନୀବା ଅଲ୍ଲୀ-୧୭, ସାୟଦା ଆରୂବ ଶାହା-୧୪*,‌ ଅରୁନ୍ଧତି ରେଡ୍ଡୀ-୩/୧୯, ଶ୍ରେୟଙ୍କା ପାଟିଲ୍‌-୨/୧୨, ରେଣୁକା ସିଂହ-୧/୨୩, ଦୀପ୍ତି ଶର୍ମା-୧/୨୪, ଆଶା ଶୋଭନା-୧/୨୪)। ଭାରତ ୧୮.୫ ଓଭରରେ ୧୦୮/୪ (ଶେଫ‌ାଳି ବର୍ମା-୩୨, ହର୍ମନପ୍ରୀତ୍‌ ‌‌‌କୌର-୨୯, ଜେମିମା ରଡ୍ରିଗ୍ବେଜ-୨୩, ଫତିମା ସାନା-୨/୨୩, ଓମୈମା ସୋହେଲ-୧/୧୭, ସାଦିଆ ଇକବାଲ୍‌-୧/୨୩)।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.