Breaking News

ଓୟୁଟିଆର୍‌ କ୍ୟାମ୍ପସ୍‌ ‌ହେବ ପ୍ରଦୂଷଣମୁକ୍ତ: ପ୍ରତିଷ୍ଠା ହେବ ଇ-ବାଇକ୍‌ ସେୟାରିଂ ଷ୍ଟେସନ୍‌

ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍) କ୍ୟାମ୍ପସ ‌ହେବ ପ୍ରଦୂଷଣମୁକ୍ତ। ପେଟ୍ରୋଲ ଚାଳିତ ବାଇକ୍‌ ଓ ସ୍କୁଟିର ବ୍ୟବହାର କମ୍‌ କରାଯିବ। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ କିମ୍ବା ବାହାରକୁ ଯିବା ଆସିବା କରିବା ସମୟରେ ଇ-ବାଇକ୍‌ ବ୍ୟବହାର କରିବେ।

0

ଭୁବନେଶ୍ବର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍) କ୍ୟାମ୍ପସ ‌ହେବ ପ୍ରଦୂଷଣମୁକ୍ତ। ପେଟ୍ରୋଲ ଚାଳିତ ବାଇକ୍‌ ଓ ସ୍କୁଟିର ବ୍ୟବହାର କମ୍‌ କରାଯିବ। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ କିମ୍ବା ବାହାରକୁ ଯିବା ଆସିବା କରିବା ସମୟରେ ଇ-ବାଇକ୍‌ ବ୍ୟବହାର କରିବେ। କ୍ୟାମ୍ପସ ଭିତରେ ଇ-ବାଇକ୍‌ ସେୟାରିଂ ଷ୍ଟେସନ ଖୋଲିବ। ପିଲାମାନେ ବାଇକ୍‌ ନେଇ କ୍ୟାମ୍ପସର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ। କୌଣସି ପ୍ରକାର ପ୍ରଦୂଷଣ ହେବ ନାହିଁ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ଟି ଇ-ବାଇକ୍‌ ଷ୍ଟେସନରେ ରଖିବାକୁ ନିଷ୍ପତ୍ତି ହୋଇଛି। ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦେଖି ପର୍ଯ୍ୟାୟକ୍ରମେ ଇ-ବାଇକ୍‌ ସଂଖ୍ୟା ବୃଦ୍ଧି କରାଯିବ। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ଏହି ଷ୍ଟେସନର ଉଦ୍‌ଘାଟନ ହେବ। ସେହିପରି ଓୟୁଟିଆର୍‌ ଫାଇନ୍‌ ମଧ୍ୟ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି। ଯାହାକି ଏକ ଇନ୍‌କ୍ଲୁଭେସନ ସେଣ୍ଟର। ସେଠାରେ ଉଦ୍ୟୋଗୀମାନେ ଷ୍ଟାର୍ଟଅପ୍‌ ପ୍ରସ୍ତୁତ କରିବା ସହ ପଞ୍ଜିକରଣ କରିପାରିବେ। ସିମେନ୍ସ ସିଓଇ ଡିଜିଟାଲ୍ ମାନୁଫାକଚରିଂ ୟୁନିଟ୍‌ ମଧ୍ୟ କ୍ୟାମ୍ପସରେ ରହିଛି। ଯେଉଁଠାରେ ଛାତ୍ରଛାତ୍ରୀ ଥ୍ରି-ଡି ଉପରେ ଗବେଷଣା କରିପାରିବେ।

 

ପ୍ରତିଷ୍ଠା ହେବ ଇ-ବାଇକ୍‌ ସେୟାରିଂ ଷ୍ଟେସନ୍‌
ଥ୍ରି-ଡି ଉପରେ ଗବେଷଣା କରିବେ ଛାତ୍ରଛାତ୍ରୀ

ପ୍ରତିଷ୍ଠା ଦିବସ ଅବସରରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଏଭଳି ଭେଟି ଦେବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ, ବର୍ଷ ସାରା ଭଲ କାମ କରିଥିବା ଅଧ୍ୟାପକ, ଅଣଶିକ୍ଷକ ଓ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବ। ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ବବିଦ୍ୟାଳୟ ତିନି ବର୍ଷ ମଧ୍ୟରେ ଭିତ୍ତିଭୂମି ସୁଦୃଢ କରିବା ସହ ଗବେଷଣାକୁ ପ୍ରାଥମିକତା ଦେଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ କହିଛନ୍ତି ଯେ ଆମେ ସଫଳତାର ସହ ତିନି ବର୍ଷ ପୂରଣ କରିଛୁ। ଆଗକୁ ସଫଳତାର ଜୟଯାତ୍ରା ଜାରି ରଖିବା ସହ ଭିତ୍ତିଭୂମି ସୁଦୃଢ଼ କରିବାକୁ ପ୍ରାଧାନ୍ୟ ଦେଉଛୁ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ଗବେଷଣାର ବିକାଶ, ଦକ୍ଷତା ବିକାଶ ଭଳି ଦିଗକୁ ପ୍ରାଥମିକତା ଦିଆଯାଇଛି। ବିଦ୍ୟାର୍ଥୀଙ୍କୁ ପାଠପଢ଼ା ସହ ନିଯୁକ୍ତି ଦେବାକୁ ସମୟ ଉପଯୋଗୀ ପାଠ୍ୟଖସଡ଼ା ପ୍ରସ୍ତୁତ ହୋଇଛି।

ଶିକ୍ଷାନୁଷ୍ଠାନର ପ୍ରାୟ ୯୦% ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ତାହାକୁ ଶତ ପ୍ରତିଶତ କରିବା ଦିଗରେ ଆମେ କାମ କରୁଛୁ ବୋଲି ସେ କହିଛନ୍ତି
୧୯୮୧ରେ ପ୍ରତିଷ୍ଠା ହୋଇଥିବା କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି) ମହାବିଦ୍ୟାଳୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନରେ ରହିଥିଲା। ୨୦୦୨ରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଅଧୀନକୁ ଯିବା ସହ ୨୦୧୭ରେ ଶିକ୍ଷାନୁଷ୍ଠାନକୁ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ମିଳିଥିଲା। ୨୦୨୧ ଜୁଲାଇ ୧୭ରେ ଏହାକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯିବା ସହ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା। ଶିକ୍ଷାନୁଷ୍ଠାନରେ ବି.ଟେକ୍‌ର ୧୪ଟି ବ୍ରାଞ୍ଚ ଥିବାବେଳେ ବି.ଆର୍କ ଓ ବି.ପ୍ଲାନ୍‌ ବ୍ରାଞ୍ଚ ରହିଛି। ଏଥିସହ ଏମ୍ଏସ୍‌ସି, ପିଏଚ୍‌ଡି, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି, ଏମ୍‌ଟେକ୍, ଏମ୍‌ଏ, ଏମ୍‌ସିଏ, ଏମ୍‌ପ୍ଲାନ୍ ଓ ନୂଆ କରି ଇ-ମାଷ୍ଟର୍ସ ପାଠ୍ୟକ୍ରମ ଆରମ୍ଭ ହୋଇଛି। ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଉତ୍ସବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ ଓ ବୈଷୟିକ ଶିକ୍ଷା ସଚିବ ଏନ୍‌ବିଏସ୍‌ ରାଜପୁତ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ କୁଳସଚିବ ରେଣୁପ୍ରଭା ନାୟକ ଉପସ୍ଥିତ ରହିବେ।
ସୌଜନ୍ୟ – ସମ୍ବାଦ
Leave A Reply

Your email address will not be published.