Breaking News

ସହରୀ ଯୋଜନା ବାଟବଣା: ବିନା ଟାଉନ୍‌ ପ୍ଲାନରରେ ଟାଉନ୍‌ ପ୍ଲାନିଂ ନିର୍ଦ୍ଦେଶାଳୟ

ରାଜ୍ୟର ୧୧୫ଟି ପୌରାଞ୍ଚଳରେ ପ୍ରାୟ ୧କୋଟିରୁ ଅଧିକ ଲୋକ ବାସ କରୁଛନ୍ତି। ସହରବାସୀଙ୍କୁ ବିଭିନ୍ନ ସୁବିଧା ଯୋଗାଇବାକୁ ବର୍ଷକୁ ପ୍ରାୟ ୧୦ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି।

0

ବିଶ୍ବଜିତ ଦାଶ

ଭୁବନେଶ୍ବର: ରାଜ୍ୟର ୧୧୫ଟି ପୌରାଞ୍ଚଳରେ ପ୍ରାୟ ୧କୋଟିରୁ ଅଧିକ ଲୋକ ବାସ କରୁଛନ୍ତି। ସହରବାସୀଙ୍କୁ ବିଭିନ୍ନ ସୁବିଧା ଯୋଗାଇବାକୁ ବର୍ଷକୁ ପ୍ରାୟ ୧୦ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି। ବିଡମ୍ବନାର ବିଷୟ କୌଣସି ଗୋଟିଏ ବି ସହର ଯୋଜନାବଦ୍ଧ ଭାବେ ବିକଶିତ ହେଉନି। ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ସଂକଳ୍ପ ନେଇଛନ୍ତି। ହେଲେ ସହରାଞ୍ଚଳର ବିକାଶ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଟାଉନ୍‌ ପ୍ଲାନିଂ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ। ଯେଉଁଥିପାଇଁ ସହରାଞ୍ଚଳରେ ଜଳବନ୍ଦି ସମସ୍ୟା ହେଉଛି, ସଡ଼କ ଦୁର୍ଘଟଣାରେ ସବୁଠୁ ଅଧିକ ଲୋକ ମରୁଛନ୍ତି, ସବୁ ସହରରେ ଟ୍ରାଫିକ୍ ଜାମ୍, ପ୍ରଦୂଷଣ ବଢ଼ୁଛି, ପ୍ରାକୃତିକ ଦୁର୍ବିପାକରେ ଶହ ଶହ କୋଟିର ଭିତ୍ତିଭୂମି ନଷ୍ଟ ହେଉଛି।

 

 

ରାଜ୍ୟର ସହରାଞ୍ଚଳର ବିକାଶରେ ସବୁଠୁ ବଡ଼ ବାଧକ ହେଉଛି ଏହାର ସମ୍ପ୍ରସାରଣ ଶୈଳୀ। ପାଶ୍ଚାତ୍ୟ ଦେଶ ହେଉ କି କୌଣସି ବିକଶିତ ସହର, ସବୁଠାରେ ସଦାବେଳେ ଭୂ-ଲମ୍ବ (ଭର୍ଟିକାଲ) ବିକାଶକୁ ଗୁରୁତ୍ବ ଦିଆଯାଏ। ଏହାଦ୍ବାରା ସହରର ସୌନ୍ଦର୍ଯ୍ୟ ବଢ଼ିବା ସହ ସରକାର କମ୍‌ ଅର୍ଥରେ ଅଧିକ ଲୋକଙ୍କୁ ବହୁତ ସୁବିଧା ଯୋଗାଇ ଦେଇପାରନ୍ତି। କିନ୍ତୁ ଆମ ରାଜ୍ୟରେ ସହରାଞ୍ଚଳଗୁଡ଼ିକ ଭୂ-ସମାନ୍ତରାଳ (ହରାଇଜଣ୍ଟାଲ) ଭାବେ ବଢ଼ି ଚାଲିଛି। ଯେଉଁଥିପାଇଁ ସହରରେ ରହୁଥିବା ବହୁ ଲୋକଙ୍କ ପାଖରେ ଡ୍ରେନ୍ ପହଞ୍ଚୁନି, ଭଲ ରାସ୍ତା ନାହିଁ କି ସହରାଞ୍ଚଳବାସୀଙ୍କୁ ମିଳିବାକୁ ଥିବା କୌଣସି ମୌଳିକ ସୁବିଧା ଠିକ୍ ଭାବେ ମିଳୁନି। ଲୋକେ ସହରରେ ଘର କରି ପଶ୍ଚାତାପ କରୁଛନ୍ତି। ଗାଁଠାରୁ ହୀନ ସୁବିଧା ସୁଯୋଗ ପାଉଛନ୍ତି।

ଏହି ସମସ୍ୟା ଯେପରି ନ ଉପୁଜିବ ସେଥିପାଇଁ ରାଜ୍ୟରେ ସହରାଞ୍ଚଳ ଯୋଜନା ଏବଂ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୧୯୫୪ ମସିହାରେ ଟାଉନ୍‌ ପ୍ଲାନିଂ ଅନୁଷ୍ଠାନ ଗଠିତ ହୋଇଥିଲା। ପରେ ୧୯୭୫ ମସିହାରେ ଓଡ଼ିଶା ଟାଉନ୍‌ ପ୍ଲାନିଂ ଆଣ୍ଡ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ ଆକ୍ଟ, ୧୯୫୬ ଅନୁଯାୟୀ ଏହା ‘ସହର ଯୋଜନା ନିର୍ଦ୍ଦେଶାଳୟ’ ବା ଡାଇରେକ୍ଟୋରେଟ୍ ଅଫ୍ ଟାଉନ୍ ପ୍ଲାନିଂରେ ପରିଣତ ହେଲା। ଏହି ସଂସ୍ଥାରେ ଟାଉନ୍‌ ପ୍ଲାନରମାନଙ୍କୁ ନିଯୁକ୍ତି ଦେଇ ବିଭିନ୍ନ ସହରର ଯୋଜନା ରୂପରେଖ ପ୍ରସ୍ତୁତ କରିବା ଉଦ୍ଦେଶ୍ୟ ଥିଲା। ସଂସ୍ଥାର ଦାୟିତ୍ବ ହେଲା ବିଭିନ୍ନ ସହରର ମାଷ୍ଟରପ୍ଲାନ୍, ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା ଏବଂ ଏହାକୁ ସମୟକ୍ରମେ ସଂଶୋଧନ କରିବା। ଏହା ବି କେତେକାଂଶରେ ଠିକ୍‌ଠାକ୍ କାମ କରୁଥିଲା। ଏହି ନିର୍ଦ୍ଦେଶାଳୟ ଅଧୀନରେ ଟାଉନ୍‌ ପ୍ଲାନରମାନେ ନିଯୁକ୍ତି ପାଉଥିଲେ ଏବଂ ବିଭିନ୍ନ ସହର ପାଇଁ କାମ କରୁଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ସଂସ୍ଥା ଏବେ ଏକପ୍ରକାର ପଙ୍ଗୁ ପାଲଟିଯାଇଛି। ଏଠାରେ କେହି ଟାଉନ୍‌ ପ୍ଲାନର ନାହାନ୍ତି। ଜଣେ ଓଏଏସ୍‌ ଅଧିକାରୀଙ୍କୁ ଏହି ସଂସ୍ଥାର ମୁଖ୍ୟ କରାଯାଇଛି। ଏଠାରେ ଥିବା ଟାଉନ୍‌ ପ୍ଲାନରଙ୍କୁ ‘ଇଡ୍‌କୋ’ରେ ଚିଫ୍ ଟାଉନ୍ ପ୍ଲାନର କରି ବସାଯାଇଛି।

ଟାଉନ୍ ପ୍ଲାନିଂ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୯ଟି ଉନ୍ନୟନ କର୍ତ୍ତୃପକ୍ଷ, ‌ସ୍ବତନ୍ତ୍ର ଉନ୍ନୟନ କର୍ତ୍ତୃପକ୍ଷ, ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ, ଡିଷ୍ଟ୍ରିକ୍ଟ ଟାଉନ୍ ପ୍ଲାନିଂ ୟୁନିଟ ଆଦି କାର୍ଯ୍ୟ କରୁଛି। ମହାନଗର ନିଗମ ପାଇଁ ପୌର କ୍ୟାଡରରେ ଟାଉନ୍‌ ପ୍ଲାନରଙ୍କୁ ନିଯୁକ୍ତି ଦିଆଯାଉଛି। ହେଲେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଛାଡ଼ି ଦେଲେ ସବୁ ଉନ୍ନୟନ କର୍ତ୍ତୃପକ୍ଷରେ ଏବେ ବିକଳ ଅବସ୍ଥା। ନା ଟାଉନ୍ ପ୍ଲାନର ଅଛନ୍ତି ନା ସହରର ବିକାଶ ପାଇଁ ଯୋଜନା ହେଉଛି। ଏପରିକି କିଛି ଅଧିକାରୀଙ୍କୁ ଏକାଧିକ ‌ଉନ୍ନୟନ କର୍ତ୍ତୃପକ୍ଷର ଦାୟିତ୍ବ ଦେଇ କେବଳ ଘର ପ୍ଲାନ୍ ଅନୁମୋଦନରେ ରାଜ୍ୟ ସରକାର ସହରୀ ଯୋଜନାକୁ ସୀମିତ କରିଦେଇଛନ୍ତି।

ଯେପରି ବିଡିଏର ଜଣେ ଟାଉନ୍‌ ପ୍ଲାନରଙ୍କୁ ଏବେ ସିଡିଏ, ପାରାଦୀପ, କଳିଙ୍ଗନଗର, ତାଳଚେର-ଅନୁଗୁଳ ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ଭାବେ ନିଯୁକ୍ତି ଦିଆଯିବା ସହ କଟକ ମହାନଗର ନିଗମର ଟାଉନ୍‌ ପ୍ଲାନିଂ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ୫ଟି ପ୍ରମୁଖ ଅଞ୍ଚଳକୁ ଜଣେ କିପରି ଠିକ୍ ତଦାରଖ କରିବେ ସେନେଇ ପ୍ରଶ୍ନ ଉଠିଲାଣି। ନଗର ଉନ୍ନୟନ ବିଭାଗ କଟକ, ପାରାଦୀପ, କଳିଙ୍ଗନଗର, ତାଳଚେର, ଅନୁଗୁଳ ଭଳି ସହରର ବିକାଶ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନା କାହା ବ୍ୟକ୍ତିଗତ ସ୍ବାର୍ଥରେ ଏହି ନିଷ୍ପତ୍ତି ନିଆଯାଉଛି ତାହା ଏବେ ପ୍ରଶ୍ନ ସୃଷ୍ଟି କଲାଣି।

ସେହିପରି ସବୁ ଏନ୍‌ଏସି, ମ୍ୟୁନିସିପାଲିଟି, ମହାନଗର ନିଗମ ନିଜ ଅଞ୍ଚଳରେ ପ୍ଲାନ୍ ଅନୁମୋଦନ କରିବାକୁ ମ୍ୟୁନିସିପାଲ କ୍ୟାଡର ସୃଷ୍ଟି କରାଯାଇଥିଲା। ଏଥିରେ ମାତ୍ର ୧୭ଜଣଙ୍କୁ ନିଯୁକ୍ତି ଦିଆଗଲା। ବିଏମ୍‌ସି ଓ ସିଏମ୍‌ସିରେ ଏଥିରୁ ୩ଜଣ ଲେଖାଏ ଅଧିକାରୀ ଥିବାବେଳେ ଆଉ କେତେକ ଜାଗାରେ ଉନ୍ନୟନ କର୍ତ୍ତୃପକ୍ଷରୁ ଅଧିକାରୀ ଆଣି କାମ କରାଯାଉଛି। ଏହା ନିୟମ ବର୍ହିଭୂତ। ନଗର ଉନ୍ନୟନ ବିଭାଗ ଟାଉନ୍ ପ୍ଲାନିଂ କ୍ୟାଡରକୁ ସଶକ୍ତ ନକରି ଏବେ ସବୁକୁ ଗୋଳିଆମିଶା କରିଦେଇଥିବାରୁ ସହରଗୁଡ଼ିକ ପାଇଁ ଯୋଜନା ପ୍ରସ୍ତୁତ ହୋଇପାରୁନି।
‌ଅପରପକ୍ଷେ ମାଷ୍ଟରପ୍ଲାନ, ବିସ୍ତୃତ ବିକାଶ ଯୋଜନା (ସିଡିପି) ପ୍ରସ୍ତୁତ ନେଇ ବିଭାଗର କିଛି ଫୋକସ୍ ନାହିଁ। ଯେଉଁଥିପାଇଁ ରାଜ୍ୟର ୧୧୫ଟି ସହରାଞ୍ଚଳ ମଧ୍ୟରୁ କେବଳ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲାର ମାଷ୍ଟରପ୍ଲାନ ସରକାର ପ୍ରସ୍ତୁତ କରିଥିବାବେଳେ ବାକି ସବୁ ସହର ପାଇଁ ଏନେଇ ଯୋଜନା ହିଁ ନାହିଁ। ସମ୍ବଲପୁର ଭଳି ସହରର ଏପର୍ଯ୍ୟନ୍ତ ସିଡିପି ପ୍ରସ୍ତୁତ ହୋଇପାରୁନି। ଆଉ ଯେଉଁଠି ସିଡିପି ପ୍ରସ୍ତୁତ ହୋଇଛି ତାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.