Breaking News

ହରିୟାଣା ନିର୍ବାଚନ: ଅସମ୍ଭବକୁ ବିଜେପି ସମ୍ଭବ କଲା କେମିତି?

ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏଠାରେ କଂଗ୍ରେସ ଜିତିବ ବୋଲି ବୁଥ୍‌ବାହୁଡ଼ା ମତଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଥିବା ବେଳେ କଂଗ୍ରେସଠାରୁ ବିଜୟ ଛଡ଼ାଇ ନେଇଛି ବିଜେପି।

0

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏଠାରେ କଂଗ୍ରେସ ଜିତିବ ବୋଲି ବୁଥ୍‌ବାହୁଡ଼ା ମତଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଥିବା ବେଳେ କଂଗ୍ରେସଠାରୁ ବିଜୟ ଛଡ଼ାଇ ନେଇଛି ବିଜେପି। ୧୦ ବର୍ଷ ଧରି ଶାସନ କରି ଆସୁଥିବା ବିଜେପି ସରକାର ବିରୋଧୀ ଅସନ୍ତୋଷ ସତ୍ତ୍ୱେ ୯୦ ସଦସ୍ୟ ବିଶିଷ୍ଟ ଗୃହରେ  ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ୧୯୬୬ରେ ପଞ୍ଜାବରୁ ଅଲଗା ହୋଇଥିବା ହରିୟାଣାରେ କୌଣସି ଦଳ ହ୍ୟାଟ୍ରିକ୍ କରି ନ ଥିବାରୁ ଏହା ବିଜେପିର ଏକ ଐତିହାସିକ ବିଜୟ ବୋଲି କୁହାଯାଉଛି। ବିଜେପି କେବଳ ନିଜର ଆସନ ସଂଖ୍ୟା ୪୦ରୁ ୪୮କୁ ବୃଦ୍ଧି କରିନାହିଁ ବରଂ ୨୦୧୯ରେ ଏହାର ଭୋଟ ପ୍ରତିଶତ ୩୬%ରୁ ୨୦୨୪ରେ ପ୍ରାୟ ୪୦%କୁ ବୃଦ୍ଧି ପାଇଛି।

 

 

 

ଜାଠ ସମ୍ପ୍ରଦାୟ କଂଗ୍ରେସର ସମର୍ଥକ ଥିବା ଅନୁମାନ କରାଯାଉଥିଲା। ସେଣ୍ଟର୍ ଫର୍ ପଲିସି ରିସର୍ଚ୍ଚର ଫେଲୋ ରାହୁଲ ବର୍ମା କହିଛନ୍ତି, ଯଦି କଂଗ୍ରେସ ପାଇଁ ଜାଠ ଭୋଟର ଧ୍ରୁବୀକରଣ ହୋଇଥିଲା, ତେବେ ବିଜେପି ପାଇଁ  ଏହାର ପ୍ରତି-ଧ୍ରୁବୀକରଣ ହୋଇଥିଲା। ଜାଠମାନେ କଂଗ୍ରେସକୁ ଭୋଟ୍ ଦେଇଥିବା ଭଳି ମନେ ହେଉନାହିଁ। ଜାଠବହୁଳ ୩୬ଟି ଆସନରୁ ବିଜେପି ୧୯ଟିରେ ବିଜୟୀ ହୋଇଛି। ଲୋକସଭା ନିର୍ବାଚନରେ ୩୬ଟି ଜାଠବହୁଳ ଆସନ ମଧ୍ୟରୁ ୨୭ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ଜାଠ ନେତା ଭୂପିନ୍ଦର ସିଂହ ହୁଦାଙ୍କ ନେତୃତ୍ୱରେ ଲଢୁଥିବା କଂଗ୍ରେସ ଏହି ଆସନଗୁଡ଼ିକୁ ନିଶ୍ଚିତ ଜିତିବ ବୋଲି ଧରିନେଇଥିଲା। ଏବେ ଲାଗୁଛି ଏହି ଅଞ୍ଚଳରେ ବିଜେପି ନିଜର ପୂର୍ବ ସହଯୋଗୀ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟିର ସମର୍ଥନ ହାସଲ କରି ବିଜୟୀ ହୋଇଛି। ୨୦୧୪ ଓ ୨୦୧୯ରେ ବିଜେପି ଦକ୍ଷିଣ ହରିୟାଣାର ଅହିରୱାଲ ଅଞ୍ଚଳରେ ବିଜୟ ହାସଲ କରି ସରକାର ଗଠନ କରିଥିଲା। ଏହି ଅଂଚଳ ୨୦୨୪ରେ ମଧ୍ୟ ବିଜେପି ପ୍ରତି ବିଶ୍ୱସ୍ତ ଥିବା ପ୍ରମାଣିତ ହୋଇଛି।

ଜାଠବହୁଳ ଆସନ ବିଜେପି ପାଇଁ ଆଶୀର୍ବାଦ ହେଲା
ଆଭ୍ୟନ୍ତରୀଣ କଳହ କଂଗ୍ରେସ ପାଇଁ କଣ୍ଟା ସାଜିଲା

ମଙ୍ଗଳବାର ଫଳାଫଳ ଆସିବା ପରେ ୧୧ଟି ବିଧାନସଭା ଆସନ ଥିବା ଅହିରୱାଲ ଅଞ୍ଚଳରେ ବିଜେପି ବିଜୟୀ ହୋଇଥିବା ଦେଖିବାକୁ ମିଳିଛି। ହରିୟାଣାର ସାଇବର ହବ୍ ଗୁରଗାଓଁ ବିଜେପି ସପକ୍ଷରେ ଭୋଟ୍ ଦେଇଛି। ଗୁରଗାଓଁ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂହ ଜଣେ ଅହିରୱାଲ ନେତା ଯିଏ ୨୦୨୪ରେ ସାଂସଦ ଭାବରେ ଷଷ୍ଠ ଥର ପାଇଁ ଜିତିଥିଲେ। ସେ ଅହିରୱାଲ ଅଞ୍ଚଳରେ ବିଜେପିର ପ୍ରଚାରର ନେତୃତ୍ୱ ନେଇଥିଲେ। ସହରାଞ୍ଚଳ ଭୋଟରମାନେ ବିଜେପି ପ୍ରତି ନିଜର ଆନୁଗତ୍ୟ ବଜାୟ ରଖିଛନ୍ତି। ସହରାଞ୍ଚଳରେ ଥିବା ଆସନଗୁଡ଼ିକରେ ବିଜେପି ବିଜୟୀ ହୋଇଛି।

ତା’ଛଡ଼ା କଂଗ୍ରେସର ଅନ୍ତର୍କନ୍ଦଳ ଦଳ ପାଇଁ କାଳ ହୋଇଛି। ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିବା ନୟାବ ସିଂହ ସାଇନିଙ୍କ ନେତୃତ୍ୱରେ ବିଜେପି ଏକ ମିଳିତ ମୋର୍ଚ୍ଚା ଗଠନ କରିଥିଲା। ସେପଟେ କଂଗ୍ରେସର ନେତାମାନେ ବିଜୟକୁ ନେଇ ଅତ୍ୟଧିକ ଆତ୍ମବିଶ୍ୱାସ ରଖିଥିବା ବେଳେ ଅନ୍ତର୍କନ୍ଦଳରେ ମାତିଥିବା ଦେଖିବାକୁ ମିଳିଥିଲା। ବିଜେପି କହିଛି ଯେ ସାଇନି ଏହାର ଏକମାତ୍ର ମୁଖ୍ୟମନ୍ତ୍ରୀ ଚେହେରା। ଅନ୍ୟପକ୍ଷରେ ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ହରିୟାଣାର ମୁଖ୍ୟମନ୍ତ୍ରୀ ଥିବା ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ହୁଦା ଏହି ପଦ ପାଇଁ ଦଳର ପ୍ରମୁଖ ଦାବିଦାର ଥିଲେ। ତାଙ୍କ ଛଡ଼ା ଦଳିତ ନେତ୍ରୀ କୁମାରୀ ଶୈଲଜା, ରଣଦୀପ ସୁର୍ଜେୱାଲା ଓ ଭୁପିନ୍ଦରଙ୍କ ପୁଅ ଦୀପେନ୍ଦ୍ର ହୁଦା ବି ଅନ୍ୟତମ ଦାବିଦାର ଥିଲେ। କଂଗ୍ରେସ ଜିତିବା ପରେ ମୁଖ୍ୟମନ୍ତ୍ରୀ ଆସନରେ ତାଙ୍କର ଦାବିକୁ ସୁଦୃଢ଼ କରିବା ପାଇଁ ହୁଡା ତାଙ୍କ ସମର୍ଥକଙ୍କୁ ୯୦ଟିରୁ ୭୨ଟି ଟିକେଟ୍ ଦେଇଥିଲେ।  ଜାଠ ଭୋଟ୍‌ରେ କଂଗ୍ରେସର ଅତ୍ୟଧିକ ଆସ୍ଥାଠାରୁ ଆରମ୍ଭ କରି ବିଜେପି ସପକ୍ଷରେ ପ୍ରତି-ଧ୍ରୁବୀକରଣ, କଂଗ୍ରେସରେ ଆଭ୍ୟନ୍ତରୀଣ କଳହ, ନୟାବ ସିଂହ ସାଇନିଙ୍କ ନେତୃତ୍ୱରେ ବିଜେପିର ମିଳିତ ପ୍ରଦର୍ଶନ ଏବଂ ବିଜେପି ତା’ର ବିଶ୍ୱସ୍ତ ଭୋଟରଙ୍କୁ ବଜାୟ ରଖି ହରିୟାଣା ନିର୍ବାଚନ ଜିତିଥିବା କୁହାଯାଉଛି। ଏହି ସବୁ କାରଣ ବିଜେପି ପାଇଁ ଅସମ୍ଭବକୁ ସମ୍ଭବ କରି ହରିୟାଣାରେ ଏକ ଐତିହାସିକ ହ୍ୟାଟ୍ରିକ୍ କରିବାରେ ସହାୟକ ହୋଇଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.