Breaking News

ବିଦ୍ୟାଳୟରେ ତାଲା, ଗଛମୂଳେ ପିଲା: ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଜାରି

ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତିକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଆନ୍ଦୋଳନ, ଧାରଣା ଓ ପ୍ରତିବାଦ ଏବେ ପିଲାଙ୍କ ପାଠପଢ଼ାକୁ ପ୍ରଭାବିତ କଲାଣି। ଆନ୍ଦୋଳନ ନାଁରେ ବିଦ୍ୟାଳୟରେ ତାଲା ପକାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି।

0

ଝରିଗାଁ: ଜିଲ୍ଲାଭିତ୍ତିକ ଶିକ୍ଷକ ନିଯୁକ୍ତିକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଆନ୍ଦୋଳନ, ଧାରଣା ଓ ପ୍ରତିବାଦ ଏବେ ପିଲାଙ୍କ ପାଠପଢ଼ାକୁ ପ୍ରଭାବିତ କଲାଣି। ଆନ୍ଦୋଳନ ନାଁରେ ବିଦ୍ୟାଳୟରେ ତାଲା ପକାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଯାହାଫଳରେ ଝରିଗାଁ ବ୍ଲକ ଧୋଡ଼୍ରା ପଞ୍ଚାୟତ ଅନ୍ତର୍ଗତ ଭୀମାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠପ୍‌ ହୋଇଯାଇଛି। ପାଠପଢ଼ା ସଂପୂର୍ଣ୍ଣ ବନ୍ଦ ହୋଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅନ୍ୟପଟେ ପ୍ରଶାସନ କୌଣସି ପଦ‌କ୍ଷେପ ଗ୍ରହଣ କରୁନି କିମ୍ବା ହସ୍ତକ୍ଷେପ ମଧ୍ୟ କରୁନି। ତେଣୁ କେତେ ଦିନ ଧରି ବିଦ୍ୟାଳୟ ବନ୍ଦ ରହିବ ଏବଂ ପିଲା କେମିତି ପାଠ ପଢ଼ିବେ ବୋଲି ପ୍ରଶ୍ନ ଉଠିଲାଣି।

 

 

ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିବାଦ ସତ୍ତ୍ବେ ଗତକାଲି ଉପରୋକ୍ତ ବିଦ୍ୟାଳୟରେ ବାହାର ଜିଲ୍ଲାରୁ ନିଯୁକ୍ତି ପାଇଥିବା ଜଣେ କନିଷ୍ଠ ଶିକ୍ଷୟିତ୍ରୀ କାର୍ଯ୍ୟରେ ଯୋଗ ଦେଇଥିଲେ। ଯାହାକୁ ଗ୍ରହଣ କରିପାରି ନଥିଲା ମିଳିତ କ୍ରିୟାନୁଷ୍ଠାନ କମିଟି। ଆଜି ସକାଳୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶିକ୍ଷୟିତ୍ରୀଙ୍କ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ବରାଳ ବିଦ୍ୟାଳୟରେ ପହଞ୍ଚିବା ବେଳକୁ ତାଲା ଝୁଲୁଥିଲା। ତୁରନ୍ତ ଏହି ବିଷୟରେ ସିଆର୍‌ସିସି ନାରାୟଣ ପ୍ରଧାନଙ୍କୁ ସୂଚନା ଦେଇଥିଲେ। ପାଠପଢ଼ା ପ୍ରଭାବିତ ହୋଇଥିବା ଖବର ପାଇ ସିଆର୍‌ସିସି ପହଞ୍ଚିବା ସହ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତାଲା ଖୋଲିବାକୁ ଅନୁରୋଧ କରିଥିଲେ ସୁଦ୍ଧା କେହି ଶୁଣିବା ସ୍ଥିତିରେ ନଥିଲେ।

 

ଅଚଳାବସ୍ଥା ଲାଗି ରହିବାରୁ ପାଠ ପଢ଼ିବା ପାଇଁ ପିଲାମାନେ ବାଧ୍ୟ ହୋଇ ବିଦ୍ୟାଳୟ ବାହାରେ ଗୋଟିଏ ଗଛମୂଳେ ବସିଥିଲେ। ସେଠାରେ ପାଠପଢ଼ା ଆରମ୍ଭ ହୋଇଥିଲା। ଦୁଇ ଘଣ୍ଟା ଧରି ଆଲୋଚନା ସତ୍ତ୍ବେ ସମାଧାନର ରାସ୍ତା ବାହାରି ନଥିଲା। ଅନ୍ୟପଟେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବାରୁ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇପାରି ନଥିଲା। ତେଣୁ ପିଲାମାନେ ଆଉ ଅପେକ୍ଷା ନ କରି ନିଜ ନିଜ ଘରକୁ ଚାଲି ଯାଇଥିଲେ। ତାଲା କେବେ ଖୋଲିବ କେହି ସ୍ପଷ୍ଟ ରୂପେ କହିପାରୁ ନାହାନ୍ତି। ଘଟଣା ସଂପର୍କରେ ଝରିଗାଁ ବିଇଓଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.