Breaking News

ଚତୁର୍ଦଶ ଦିନରେ ମା’ ବିରଜାଙ୍କ ଶାରଦୀୟ ଉତ୍ସବ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଉତ୍ସବର ଚତୁର୍ଦଶ ଦିବସ ରୀତିନୀତି ସହ ପାଳିତ ହୋଇଛି। ଷଷ୍ଠଦିନରେ ଶ୍ରଦ୍ଧାଳୁମାନେ ପାଦ ଦର୍ଶନ କରିବା ସହ ମା’ଙ୍କ ରଥ ଟାଣିଥିଲେ।

0

ଯାଜପୁରଟାଉନ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଉତ୍ସବର ଚତୁର୍ଦଶ ଦିବସ ରୀତିନୀତି ସହ ପାଳିତ ହୋଇଛି। ଷଷ୍ଠଦିନରେ ଶ୍ରଦ୍ଧାଳୁମାନେ ପାଦ ଦର୍ଶନ କରିବା ସହ ମା’ଙ୍କ ରଥ ଟାଣିଥିଲେ। ମୁଖ୍ୟ ମନ୍ଦିର ସମ୍ମୁଖ ଯଜ୍ଞ ମଣ୍ଡପରେ ଚାଲିଥିବା ମହାଯଜ୍ଞର ଆଜି ଥିଲା ଦ୍ବିତୀୟ ଦିନ। ଏହି ହୋମଯଜ୍ଞ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବା ପରେ ସେଦିନ ରାତିରେ ପୂର୍ଣ୍ଣାହୁତି ଦିଆଯିବ। ଆଜି ପ୍ରାତଃକାଳରୁ ବୈତରଣୀ ପଣ୍ଡାଙ୍କ ଦ୍ୱାରା ଅଣାଯାଇଥିବା ଜଳରେ ମା’ଙ୍କ ମହାସ୍ନାନ କରାଯିବା ପରେ ପୁଷ୍ପ ଓ ସ୍ୱର୍ଣ୍ଣ ବେଶ କରାଯାଇ ଷୋଡ଼ଶୋପଚାର ପୂଜା ହୋଇଥିଲା। କଳସ ପୂଜା, ରଥରେ ବିଜେ ପ୍ରତିମାଙ୍କ ପୂଜା ସରିବା ପରେ ମା’ଙ୍କର ପହଡ଼ ପଡ଼ିଥିଲା।

 

ଅପରାହ୍‌ଣରେ ପହଡ଼ ଖୋଲିବା ପରେ ଗର୍ଭଗୃହରୁ ଶ୍ରୀଅଙ୍ଗଲାଗି ସେବାୟତମାନେ ଆର୍ଶାବାଡ଼ି ଧରି ରଥକୁ ଆସିବା ପରେ ରଥ ଟଣା ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମା’ଙ୍କ ପାଦ ଦର୍ଶନ କରିଥିଲେ। ଅପରାହ୍‌ଣରେ ପୂର୍ବଦିନ ରହିଥିବା ସ୍ଥାନରୁ ଭକ୍ତମାନେ ରଥକୁ ଟାଣି ନେଇ ଆଜି ସନ୍ଧ୍ୟାରେ ପୂର୍ବ-ଦକ୍ଷିଣ କୋଣରେ ରଖିଥିଲେ। ରଥରୁ ଆର୍ଶାବାଡ଼ି ଓହ୍ଲାଇ ମନ୍ଦିର ଗର୍ଭଗୃହକୁ ଗଲାପରେ ମା’ଙ୍କର ଆରତି ହୋଇଥିଲା। ଷୋଡ଼ଶୋପଚାର ପୂଜା, କଳସ ପୂଜା, ରାତ୍ରରେ ଯଜ୍ଞକର୍ମ ସଂପନ୍ନ ପରେ ରଥରେ ଥିବା ବିଜେ ପ୍ରତିମାଙ୍କ ପୂଜା ହୋଇଥିଲା। ଶେଷରେ ବିଶେଷ ନୀତି ଲାଗି ହୋଇ ନିଶାର୍ଦ୍ଧରେ ପହଡ଼ ପଡ଼ିଥିଲା।

 

ମା’ଙ୍କ ପାଦ ଦର୍ଶନ ଓ ରଥଟଣା କାର୍ଯ୍ୟକୁ ମନ୍ଦିର ପ୍ରଶାସନ, ଯାଜପୁର ପୁଲିସ ପରିଚାଳନା କରିଥିଲା। ଷୋଡ଼ଶୋପଚାର ପୂଜା ଓ ହୋମଯଜ୍ଞକୁ ହିମାଂଶୁ ଶେଖର ପତିମିଶ୍ର, ବିରଜା କିଙ୍କର ପତି, ପ୍ରମୋଦ କୁମାର ପତି, ମୋହିନୀ ମୋହନ ପତି, ମନୋରଞ୍ଜନ ପତି, ଡ.ଜ୍ଞାନରଞ୍ଜନ ପତି, ସରୋଜ କୁମାର ପତି, ପ୍ରତାପ କୁମାର ପତି, ପ୍ରଭାତ ରଞ୍ଜନ ପତି, ବିରଜା ଶଙ୍କର ପତି, ଶଶାଙ୍କ ଶେଖର ପତି ଓ ପୂଜକ ନାଗେନ୍ଦ୍ର ଭୂଷଣ କର ସମାପନ କରିଥିଲେ। ମନ୍ଦିର ଟ୍ରଷ୍ଟ ତଥା ଉପଜିଲ୍ଲାପାଳ ଅଂଶୁମାନ ଶତପଥୀଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.