Breaking News

ବାବା ସିଦ୍ଦିକିଙ୍କୁ ହତ୍ୟା କଲା ବିଷ୍ଣୋଇ ଗ୍ୟାଙ୍ଗ୍

ଏନ୍‌ସିପି ନେତା ବାବା ସିଦ୍ଦିକି(୬୬)ଙ୍କୁ ତାଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ନିକଟରେ ଶନିବାର ଗୁଳି କରାଯିବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

0

ମୁମ୍ବାଇ: ଏନ୍‌ସିପି ନେତା ବାବା ସିଦ୍ଦିକି(୬୬)ଙ୍କୁ ତାଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ନିକଟରେ ଶନିବାର ଗୁଳି କରାଯିବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବାନ୍ଦ୍ରା ଇଷ୍ଟ୍‌ର ନିର୍ମଳ ନଗର ଅଞ୍ଚଳରେ ରାତି ପ୍ରାୟ ୯ଟା ୩୦ରେ ୩ ଜଣ ବ୍ୟକ୍ତି ଏହି ଗୁଳିକାଣ୍ଡ ଘଟାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର। ଗିରଫ ଦୁଇ ଅଭିଯୁକ୍ତ ହରିୟାଣାର କରନେଲ ସିଂହ ଓ ଉତ୍ତରପ୍ରଦେଶର ଧର୍ମରାଜ କାଶ୍ୟପ। ଫେରାର୍‌ ଥିବା ତୃତୀୟ ଅଭିଯୂୁକ୍ତ ହେଲା ଶିବ କୁମାର ଗୌତମ ଓରଫ ଶିବା। ରବିବାର ବଡ଼ା କବରସ୍ଥାନରେ ତାଙ୍କୁ କବର ଦିଆଯାଇଛି।

ବାବା ସିଦ୍ଦିକିଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ସଲମାନ ଖବର ଶୁଣି ରାତି ପ୍ରାୟ ସାଢ଼େ ୧୨ଟାରେ ଲୀଲାବତୀ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରିୟ ବନ୍ଧୁ ତଥା ପରାମର୍ଶଦାତାଙ୍କ ଅକାଳ ନିଧନରେ ସେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହି ଅଭିନେତା ସିଦ୍ଦିକିଙ୍କ ପ୍ରସିଦ୍ଧ ବାର୍ଷିକ ଇଫତାର ପାର୍ଟିରେ ନିୟମିତ ଯୋଗ ଦିଅନ୍ତି, ଯେଉଁଥିରେ ପ୍ରାୟତଃ ବଲିଉଡର ବଡ ବଡ ତାରକା ଏକାଠି ହୁଅନ୍ତି। ଏହା ପୂର୍ବରୁ କିଛି ଖବରରେ କୁହାଯାଇଛି ଯେ ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ସଲମାନ ବିଗ୍ ବସ୍ ୧୮ର ସୁଟିଂ ବନ୍ଦ କରିଦେଇଥିଲେ। ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ ଏହି ଦାବି ମିଥ୍ୟା, କାରଣ ଅଭିନେତା ଶୁକ୍ରବାର ‘ୱିକେଣ୍ଡ କା ୱାର’ ଏପିସୋଡ୍ ପାଇଁ ସୁଟିଂ କରିଥିଲେ।

ବିଷ୍ଣୋଇକୁ କାହିଁକି ହେପାଜତକୁ ନେଇ ପାରୁନାହିଁ ମୁମ୍ବାଇ ପୁଲିସ?

ମୁମ୍ବାଇ: ଗୁଜରାଟର ସାବରମତୀ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ନାଁ ହାଇପ୍ରୋଫାଇଲ୍ ମାମଲାରେ ସାମ୍ନାକୁ ଆସିବା ସତ୍ତ୍ୱେ ତାକୁ ନିଜ ହେପାଜତକୁ ନେବାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଚଳିତ ବର୍ଷ ଏପ୍ରିଲରେ ସଲମାନ ଖାନଙ୍କ ବାସଭବନରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ତା’ର ସମ୍ପୃକ୍ତି ପଦାକୁ ଆସିବା ପରେ ମୁମ୍ବାଇ ପୁଲିସ ଏକାଧିକ ଆବେଦନ କରିଥିଲେ ମଧ୍ୟ ତାକୁ ନିଜ ହେପାଜତକୁ ନେବାରେ ସଫଳ ହୋଇପାରି ନ ଥିଲା। ରବିବାର ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି ଏବଂ ମୁମ୍ବାଇ ପୁଲିସ ତା’ ସମ୍ପୃକ୍ତି ନେଇ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଅହମଦାବାଦର ସାବରମତୀ ଜେଲରୁ ବିଷ୍ଣୋଇର ସ୍ଥାନାନ୍ତର ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରତିବନ୍ଧକ ଲଗାଇଛି। ସିଆର୍‌ପିସିର ଧାରା ୨୬୮(୧) ଅନୁଯାୟୀ ଆଇନଶୃଙ୍ଖଳା ପ୍ରଭାବିତ ହେବାର ସମ୍ଭାବନା ଥିବା ହାଇପ୍ରୋଫାଇଲ କଏଦୀଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାର କ୍ଷମତା ସରକାରଙ୍କୁ ଦିଆଯାଇଛି। ପ୍ରଥମେ ଏହା ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ଲାଗୁ ହୋଇଥିବା ବେଳେ ଏବେ ଏହାକୁ ବଢ଼ାଇ ଦିଆଯାଇଛି। ଅଗଷ୍ଟ ୨୦୨୩ରେ ସୀମାପାର ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ବିଷ୍ଣୋଇକୁ ଦିଲ୍ଲୀର ତିହାର ଜେଲରୁ ସାବରମତୀ ସେଣ୍ଟ୍ରାଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପାଇଁ ସେ ନିଜକୁ ଦାୟୀ କରିଥିଲା। ବିଷ୍ଣୋଇ ଜେଲରେ ଥିବା ବେଳେ ତା’ ଗ୍ୟାଙ୍ଗ୍‌ର କାର୍ଯ୍ୟକଳାପ ବିଦେଶରେ ରହୁଥିବା ତିନିଜଣ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର- ତା’ ଭାଇ ଅନମୋଲ ବିଷ୍ଣୋଇ, ଗୋଲ୍ଡି ବ୍ରାର ଓ ରୋହିତ ଗୋଦାର ତଦାରଖ କରୁଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.