Breaking News

ପୁରୁଷଙ୍କ ଅକାଳ କେଶ ଝଡ଼ିବା ପଛର କାରଣ ଜେନେଟିକ୍ସ ଓ ଖାଦ୍ୟ

ଅକାଳ କେଶ ଝଡିବା ଅନେକ ପୁରୁଷଙ୍କ ପାଇଁ ଏକ ନିରାଶାଜନକ ଅନୁଭୂତି ହୋଇପାରେ। ବିଶେଷକରି ଯୁବ ପୁରୁଷମାନଙ୍କୁ ପ୍ରଭାବିତ କରୁଥିବା ଏହି ସମସ୍ୟା କିଶୋର ବୟସର ଶେଷ ଭାଗ କିମ୍ବା ୨୦ ବର୍ଷ ପ୍ରାରମ୍ଭରୁ ଆରମ୍ଭ ହୋଇପାରେ।

0

ନୂଆଦିଲ୍ଲୀ: ଅକାଳ କେଶ ଝଡିବା ଅନେକ ପୁରୁଷଙ୍କ ପାଇଁ ଏକ ନିରାଶାଜନକ ଅନୁଭୂତି ହୋଇପାରେ। ବିଶେଷକରି ଯୁବ ପୁରୁଷମାନଙ୍କୁ ପ୍ରଭାବିତ କରୁଥିବା ଏହି ସମସ୍ୟା କିଶୋର ବୟସର ଶେଷ ଭାଗ କିମ୍ବା ୨୦ ବର୍ଷ ପ୍ରାରମ୍ଭରୁ ଆରମ୍ଭ ହୋଇପାରେ। ଏହା ଆପଣଙ୍କ ଡିଏନ୍‌ଏରେ ଥାଇପାରେ କିମ୍ବା ଆପଣଙ୍କ ଖାଦ୍ୟାଭ୍ୟାସ ଏହା ପଛର କାରଣ ହୋଇପାରେ। ଆଧୁନିକ ଔଷଧର ଜନକ ଗ୍ରୀକ୍ ଚିକିତ୍ସକ ହିପୋକ୍ରେଟିସ୍ ନିଜେ ଥିଲେ ଚନ୍ଦା। ଅଫିମ ଓ ପାରାମଳ ବ୍ୟବହାର କରି ସେ ଏହାର ଉପଚାର କରିଥିଲେ। କିନ୍ତୁ ଏହା କାମ କରି ନ ଥିଲା। ପ୍ରାଚୀନ ରୋମରେ ଜୁଲିୟସ୍ ସିଜର ସବୁବେଳେ ନିଜ ପତଳା କେଶକୁ ଲୁଚାଇବାର ଉପାୟ ଖୋଜୁଥିଲେ।

୧୯୪୦ ଦଶକରେ ଆନାଟୋମିଷ୍ଟ ଡାକ୍ତର ଜେମ୍ସ ହାମିଲଟନ୍ ଏକ ମାନସିକ ସ୍ୱାସ୍ଥ୍ୟ ଡାକ୍ତରଖାନାରେ ଅଧ୍ୟୟନ ସମୟରେ ଟେଷ୍ଟୋଷ୍ଟେରୋନ ଓ ପୁରୁଷ ଚନ୍ଦାପଣ ମଧ୍ୟରେ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ। ତାଙ୍କ ଗବେଷଣା ଅନୁସାରେ ପୁରୁଷ ହର୍ମୋନ ଟେଷ୍ଟୋଷ୍ଟେରୋନର ସ୍ତର କମ୍ ଥିଲେ ପୁରୁଷମାନେ କେଶ ବଜାୟ ରଖନ୍ତି। ଡିହାଇଡ୍ରୋଟେଷ୍ଟେରୋନ (ଏକ ଟେଷ୍ଟୋଷ୍ଟେରୋନ ବାଇପ୍ରଡକ୍ଟ) କେଶ ଝଡ଼ିବାର କାରଣ ହୋଇଥାଏ। ପୁରୁଷମାନଙ୍କର ଅକାଳ କେଶ ଝଡିବାର ସବୁଠାରୁ ସାଧାରଣ ପ୍ରକାରକୁ ଆଣ୍ଡ୍ରୋଜେନେଟିକ ଆଲୋପେସିଆ ବା ପୁରୁଷ ଢାଞ୍ଚା ଚନ୍ଦାପଣ (ଏମ୍‌ପିବି) କୁହାଯାଏ। କେଶ ଝଡ଼ିବାର ଏହି ରୂପ ୫୦% ପୁରୁଷଙ୍କୁ ୫୦ ବର୍ଷ ବୟସରେ ପ୍ରଭାବିତ କରିଥାଏ, କିନ୍ତୁ କେତେକଙ୍କ ପାଇଁ ଏହା ବହୁତ ପୂର୍ବରୁ ଆରମ୍ଭ ହୋଇଥାଏ। ଏଥିରେ ଜିନ୍‌ଗତ ଦୋଷୀ ହେଉଛି ଡାଇହାଇଡ୍ରୋଟୋଷ୍ଟେରୋନ (ଡିଏଚ୍‌ଟି) ନାମକ ଏକ ହରମୋନ ଯାହା ସମୟକ୍ରମେ କେଶର ଫଲିକଲ୍‌ସକୁ ସଂକୁଚିତ କରିବା ଯୋଗୁ କେଶ ପତଳା ହୋଇଯାଏ। ଗବେଷଣାରୁ ଜଣାପଡିଛି ଯେ ଏହି ଜେନେଟିକ୍ ପ୍ରବୃତ୍ତି ଯୋଗୁ ଯଦି ଆପଣଙ୍କ ବାପା କିମ୍ବା ଜେଜେବାପାଙ୍କ ଚନ୍ଦାପଣ ଥାଏ ତେବେ ଆପଣ ମଧ୍ୟ ଚନ୍ଦା ହୋଇପାରନ୍ତି। ଚର୍ମରୋଗ ବିଶେଷଜ୍ଞ ତଥା କସ୍ମେଟିକ୍ ସର୍ଜନ ଡାକ୍ତର ଦୀପାଲି ଭରଦ୍ୱାଜ କହିଛନ୍ତି ଯେ ଜେନେଟିକ୍ସ ଓ କେଶ ଝଡ଼ିବା ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିଛି। ପିଏଲ୍‌ଓଏସ୍‌ ଜେନେଟିକ୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ପୁରୁଷ ଢାଞ୍ଚା ଚନ୍ଦାପଣ ସହ ଜଡିତ ୨୫୦ରୁ ଅଧିକ ଜେନେଟିକ୍ କ୍ଷେତ୍ର ଉପରେ ଆଲୋକପାତ କରାଯାଇଛି, ଯାହା ପ୍ରମାଣ କରିଛି ଯେ କେଶ ଝଡିବା ସମସ୍ୟା ପ୍ରକୃତରେ ଉତ୍ତରାଧିକାର ସୂତ୍ରରୁ ଆସିପାରେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜିନ୍‌ଗୁଡ଼ିକ କେବଳ ବାପାଙ୍କଠାରୁ ଆସି ନ ଥାଏ। ଜଣେ ବ୍ୟକ୍ତିଙ୍କର ଅକାଳରେ କେଶ ଝଡ଼ିବ କି ନାହିଁ ତାହା ନିର୍ଦ୍ଧାରଣ କରିବାରେ ମାତୃ ଜେନେଟିକ୍ସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ନୂଆ ଗବେଷଣାରୁ ଜଣାପଡିଛି ଯେ ଅକାଳ କେଶ ଝଡ଼ିବାର ଅନ୍ୟତମ ପ୍ରମୁଖ କାରଣ ଖାଦ୍ୟ। କେଶକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି ଏବଂ ଏହାର ଅଭାବ କେଶ ଝଡ଼ିବା ବୃଦ୍ଧି କରିପାରେ। ଉଦାହରଣ ସ୍ବରୂପ ବାୟୋଟିନ୍ (ଭିଟାମିନ୍ ବି୭), ଜିଙ୍କ୍ ଓ ଆଇରନ୍‌ ଭଳି ପୋଷକ ତତ୍ତ୍ୱର ଅଭାବ କେଶ ପତଳା ହେବା ସହିତ ଜଡିତ।  ଆଇରନ୍‌ର ଅଭାବ ପୁରୁଷମାନଙ୍କର କେଶ ଝଡ଼ିବାରେ ସହାୟକ ହୋଇପାରେ ଏବଂ ଜିଙ୍କ୍ ଅଭାବ କେଶର ସୁସ୍ଥ ବୃଦ୍ଧିରେ ବାଧା ସୃଷ୍ଟି କରିପାରେ। ଅନ୍ୟ ଏକ କାରକ ହେଉଛି ପ୍ରୋଟିନ୍। ମୁଖ୍ୟତଃ କେରାଟିନ୍ ନାମକ ଏକ ପ୍ରୋଟିନ୍‌ର ଅଭାବ କେଶ ବୃଦ୍ଧିକୁ ପ୍ରଭାବିତ କରିପାରେ। ଡାକ୍ତର ଭରଦ୍ୱାଜ କହିଛନ୍ତି ଯେ ଅଧିକ ମାତ୍ରାରେ ପ୍ରୋଟିନ୍ ସପ୍ଲିମେଣ୍ଟ୍ ଯୋଗୁଁ ଅନେକ ଜିମ୍ ଯାଉଥିବା ବ୍ୟକ୍ତିଙ୍କର ବି କେଶ ଝଡିପାରେ। ଏହା ବ୍ୟତୀତ ହେୟାର ଜେଲ୍‌, କଠୋର ରାସାୟନିକ ପଦାର୍ଥ ଥିବା ହେୟାର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ମଧ୍ୟ କେଶର ସଠିକ୍ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ବେଙ୍ଗାଲୁରୁର ଡାକ୍ତର ଦିବ୍ୟା ଶର୍ମା କହିଛନ୍ତି ଯେ ପୋଷଣ, ମେଟାବୋଲିଜିମ୍ ଓ ହର୍ମୋନ୍ ଭଳି ଆଭ୍ୟନ୍ତରୀଣ କାରଣ ଯୋଗୁ କେଶ ଝଡ଼ିବା ମୁଖ୍ୟତଃ ପ୍ରଭାବିତ ହୋଇଥାଏ। କିନ୍ତୁ ଖାରଜଳରେ କେଶ ଧୋଇବା ଦ୍ୱାରା ସିଧାସଳଖ କେଶର ବୃଦ୍ଧି କିମ୍ବା ଝଡ଼ିବା ଉପରେ ପ୍ରଭାବ ପଡି ନ ଥାଏ। ଆପଣ ଆପଣଙ୍କ ଜିନ୍‌କୁ ତ ବଦଳାଇପାରିବେ ନାହିଁ, କିନ୍ତୁ ଆପଣ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଖାଇବା, ମାନସିକ ଚାପକୁ ନିୟନ୍ତ୍ରଣ କରିବା ଓ ସ୍ବାସ୍ଥ୍ୟକର ଜୀବନଶୈଳୀ ଦ୍ବାରା କେଶ ଝଡ଼ିବାକୁ ହ୍ରାସ ବା ବିଳମ୍ବ କରିପାରିବେ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.