Breaking News

ବିଲୁପ୍ତ ହୋଇଯାଇଥିବା ଐତିହାସିକ ସ୍ଥାନ

ଲକ୍ଷ ଲକ୍ଷ ବର୍ଷ ଧରି ଭୂପୃଷ୍ଠରେ ପରିବର୍ତ୍ତନ ସଂଘଟିତ ହୋଇ ଆସୁଛି। ପ୍ରାକୃତିକ ଭୂମିରୂପଗୁଡ଼ିକ ବିକଶିତ ହୁଏ, ଅଦୃଶ୍ୟ ହୁଏ ଅଥବା ପୁନଃରୂପାୟିତ ହୁଏ। ଏକଦା ସୌନ୍ଦର୍ଯ୍ୟରେ ଭରପୂର ଥିବା ସେଭଳି କେତେକ ସ୍ଥାନ କେବେଠାରୁ ଲୀନ ହୋଇଯାଇଛି ଏବଂ ସେଗୁଡ଼ିକ କେବଳ ସ୍ମୃତି ଓ ନଥିପତ୍ରରେ ସ୍ଥାନିତ ହୋଇ ରହିଛି।

0

ଲକ୍ଷ ଲକ୍ଷ ବର୍ଷ ଧରି ଭୂପୃଷ୍ଠରେ ପରିବର୍ତ୍ତନ ସଂଘଟିତ ହୋଇ ଆସୁଛି। ପ୍ରାକୃତିକ ଭୂମିରୂପଗୁଡ଼ିକ ବିକଶିତ ହୁଏ, ଅଦୃଶ୍ୟ ହୁଏ ଅଥବା ପୁନଃରୂପାୟିତ ହୁଏ। ଏକଦା ସୌନ୍ଦର୍ଯ୍ୟରେ ଭରପୂର ଥିବା ସେଭଳି କେତେକ ସ୍ଥାନ କେବେଠାରୁ ଲୀନ ହୋଇଯାଇଛି ଏବଂ ସେଗୁଡ଼ିକ କେବଳ ସ୍ମୃତି ଓ ନଥିପତ୍ରରେ ସ୍ଥାନିତ ହୋଇ ରହିଛି। ଏଭଳି ହଜିଯାଇଥିବା ସ୍ଥାନଗୁଡ଼ିକ ଆମକୁ ପୃଥିବୀର ଗତିଶୀଳ ଚରିତ୍ର, ପ୍ରାକୃତିକ ଘଟଣାବଳି ତଥା ମନୁଷ୍ୟକୃତ ନିରନ୍ତର ପ୍ରଭାବ ସମ୍ପର୍କରେ ମନେ ପକାଇଦେଇଥାଏ। ସେହିଭଳି ପାଞ୍ଚଟି ଅନନ୍ୟ ସ୍ଥାନ ବାବଦରେ ଜାଣିବା ଯାହା ଭୂପୃଷ୍ଠରୁ ଅନ୍ତର୍ଦ୍ଧାନ ହୋଇଯାଇଛି।

ସେଭଳି ଗୋଟିଏ ସ୍ଥାନ ହେଲା ‘ଇଷ୍ଟ୍‌ ଆଇଲ୍ୟାଣ୍ଡ୍‌’। ହାଵାଇର ଫ୍ରେଞ୍ଚ୍‌ ଫ୍ରାଇଗେଟ୍‌ ସୋଲ୍‌ସ ଦ୍ବୀପପୁଞ୍ଜ ଅନ୍ତର୍ଗତ ଏହି କ୍ଷୁଦ୍ର ଦ୍ବୀପଟି ବିରଳ ପ୍ରଜାତିର ହାଵାୟାନ୍‌ ସାମୁଦ୍ରିକ ନୀଳ କଇଁଛ ଓ ମଙ୍କ୍‌ ସିଲ୍‌ମାନଙ୍କ ବାସସ୍ଥାନ ଭାବେ ପରିଚିତ ଥିଲା। ତେବେ ୨୦୧୮ ମସିହାରେ ଆସିଥିବା ସାମୁଦ୍ରିକ ଝଡ଼ ‘ଵାଲାକା’ର ଲହଡ଼ି ଓ ଜଳସ୍ରୋତରେ ଏହି ଦ୍ବୀପଟି ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ଏହି ଦ୍ବୀପ ଏଭଳି ନିଖୋଜ ହେବା ସମୁଦ୍ର ପତ୍ତନଠାରୁ ଅଳ୍ପ ଉଚ୍ଚରେ ରହିଥିବା ଦ୍ବୀପମାନେ ଅଚିରେ ଚରମ ପାଣିପାଗ ଓ ସମୁଦ୍ର ପତ୍ତନ ବୃଦ୍ଧିର ଶିକାର ହେବା ଅବଶ୍ୟମ୍ଭାବୀ ବୋଲି ସତର୍କ କରାଇଦେଇଛି।

ଏକଦା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଗନ୍ତାଘର ଥିବା କେତେକ ପର୍ଯ୍ୟଟନ ସ୍ଥଳୀର ଆଜି ସତ୍ତା ନାହିଁ। କେବଳ ଇତିହାସର ନଥିପତ୍ରରେ ସେଗୁଡ଼ିକର ସ୍ମୃତି ରହିଛି

ସେହିପରି ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ ଭାବେ ବିବେଚିତ ନିଉଜିଲାଣ୍ଡ୍‌ର ‘ଗୋଲାପି ଓ ଧବଳ ପ୍ରାକୃତିକ ଛାତ (ଟେରାସ)’ ହେଉଛି ଅନ୍ୟତମ ହଜିଯାଇଥିବା ସୁଦୃଶ୍ୟ ସ୍ଥାନ। ଭୂ-ତାପଜ କାର୍ଯ୍ୟକଳାପ ଯୋଗୁଁ ସୃଷ୍ଟ ଏହି ପ୍ରାକୃତିକ ସିଲିକା ଛାତର ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଅଭିଭୂତ କରିଦେଉଥିଲା। ଏହା ଉପରେ ଉତ୍ତପ୍ତ ଖଣିଜବହୁଳ ଜଳରାଶି ପ୍ରବାହିତ ହୋଇ ଏହାର ରଙ୍ଗକୁ ଗୋଲାପି ଓ ଧଳା  କରିଥିଲା। ତେବେ ୧୮୮୬ ମସିହାରେ ତାରାୱେରା ପର୍ବତରୁ ଆଗ୍ନେୟ ଉଦ୍‌ଗିରଣ  ଏହାକୁ ନଷ୍ଟ କରିଦେବା ସହ ତାହାକୁ ଆଗ୍ନେୟ ପାଉଁଶ ଓ କାଦୁଅ ତଳେ ପୋତି ଦେଇଥିଲା। ତାହାର ପୁନରୁଦ୍ଧାର ପାଇଁ ଏଯାବତ୍‌ ଯେତେ ପ୍ରୟାସ କରାଯାଉଥିଲେ ହେଁ ତାହାର ସାମାନ୍ୟ ସତ୍ତା ବି ମିଳିପାରିନାହିଁ।
ବ୍ରାଜିଲ ଓ ପାରାଗୁଏର ସୀମାରେ ରହିଥିବା ‘ଗ୍ବାଇରା ପ୍ରପାତ’ ମଧ୍ୟ ଉଭେଇଯାଇଛି। ଜଳସ୍ରୋତ ହିସାବରେ ଏକଦା ଏହା ବିଶ୍ବର ଏକ ଶ୍ରେଷ୍ଠ ପ୍ରପାତ ଥିଲା। ଏହାର ହାରାହାରି ଜଳସ୍ରୋତ ନାଏଗ୍ରା ପ୍ରପାତର ଜଳସ୍ରୋତଠାରୁ ମଧ୍ୟ ଅଧିକ ଥିଲା। ତେବେ ୧୯୮୨ ମସିହାରେ ଇଟାଇପୁ ନଦୀବନ୍ଧ ନିର୍ମାଣ ପରେ ଉକ୍ତ ପ୍ରପାତର ଜଳଧାରା ନଦୀବନ୍ଧର ଉଦ୍‌ବୃତ୍ତ ଜଳରାଶିରେ ନିମଗ୍ନ ହୋଇଗଲା। ଜଳଭଣ୍ଡାର ତଳେ ଲୁଚିଯାଇଥିବା ଏହି ପ୍ରପାତ ପରିବେଶ ଉପରେ ମନୁଷ୍ୟର ଯାନ୍ତ୍ରିକ ପ୍ରଭାବକୁ ସୂଚାଉଛି।

ସେହିପରି ଏସିଆ ଓ ଉତ୍ତର ଆମେରିକାକୁ ସଂଯୋଗ କରୁଥିବା ‘ବେରିଂ ମାଟି ବନ୍ଧ’ ହେଉଛି ଅନ୍ୟତମ ଅସ୍ତିତ୍ବ ହରାଇଥିବା ସ୍ଥାନ। ବିଗତ ବରଫ ଯୁଗରେ ଏହାରି ଉପରେ ଲୋକେ ସହଜରେ ଏସିଆ ଓ ଉତ୍ତର ଆମେରିକା ମଧ୍ୟରେ ଯା’ଆସ କରିପାରୁଥିଲେ। ତେବେ ଧୀରେ ଧୀରେ ସମୁଦ୍ର ପତ୍ତନର ବୃଦ୍ଧି ଯୋଗୁଁ ଏହାକୁ ବିଲୀନ ହେବାକୁ ପଡ଼ିଲା। ସମ୍ପ୍ରତି ଏହାର ଏକ କ୍ଷୀଣ ଅଂଶ ‘ବେରିଂ ପଥ’ ନାମରେ ତିଷ୍ଠି ରହିଛି।  ସାହାରା ମରୁଭୂମି ଦେଇ ଏକଦା ପ୍ରବାହିତ ‘ଇରହର୍ହର ନଦୀ’ର ମଧ୍ୟ ଅନୁରୂପ ଅବସ୍ଥା। ପ୍ରାଚୀନ ସଭ୍ୟତା ଓ ବିବିଧ ପରିସଂସ୍ଥା ପାଇଁ ଜୀବନରେଖା ସାଜିଥିବା ଏହି ନଦୀର ଶଯ୍ୟା କେବଳ ଜୀବାଶ୍ମ ଅବସ୍ଥାରେ ରହିଛି। ହଜାର ହଜାର ବର୍ଷ ଧରି ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ସ୍ବରୂପ ଏହା ସାହାରା ବାଲୁକାସ୍ତୂପରେ କୁଆଡ଼େ ହଜିଯାଇଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.