Breaking News

ମାଡ଼ିଆସୁଛି ‘ଦାନା’: ଜିଲ୍ଲା ଜଗିବେ ମନ୍ତ୍ରୀ, ଅଫିସର

ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି।

0

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରୀ ଓ ଆଇଏଏସ୍‌ଙ୍କୁ ଦାୟିତ୍ବ ଦେଇଛନ୍ତି।

ଜଗତସିଂହପୁର ପାଇଁ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାଲେଶ୍ବର ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଭଦ୍ରକ ପାଇଁ କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ମୟୂରଭଞ୍ଜ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରାପଡ଼ା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଗଞ୍ଜାମ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, କେନ୍ଦୁଝର ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କଟକ ପାଇଁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଦାୟିତ୍ବ ଦିଆଯାଇଛି।

୯ ମନ୍ତ୍ରୀ, ୬ ଆଇଏଏସ୍‌ଙ୍କୁ ଦାୟିତ୍ବ ଦେଲେ ସରକାର

ସେହିପରି ଜିଲ୍ଲାଗୁଡ଼ିକରେ ବାତ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ ବଣ୍ଟନ ସମେତ ସମସ୍ତ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାର ୬ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ୬ଟି ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ୨୩ତାରିଖ ସକାଳ ସୁଦ୍ଧା ଏହି ଆଇଏଏସ୍‌ ଅଧିକାରୀମାନଙ୍କୁ ସେମାନଙ୍କୁ ଆବଣ୍ଟନ ହୋଇଥିବା ଜିଲ୍ଲାରେ ପହଞ୍ଚିବାକୁ କୁହାଯାଇଛି। ସ୍ବତନ୍ତ୍ର ରିଲଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଲଘୁ ଖଣିଜ ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହଙ୍କୁ ପୁରୀ, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ବିିନୀତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ଏହି ଅଧିକାରୀମାନେ ପୂର୍ବରୁ ସଂପୃକ୍ତ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ଅଛି। ତେଣୁ ସେମାନଙ୍କୁ ଏହି ଜରୁରୀ ପରିସ୍ଥିତିରେ ଉକ୍ତ ଜିଲ୍ଲାକୁ ପଠାଯାଇଛି। ଅପରପକ୍ଷେ ବାତ୍ୟା ମୁକାବିଲା ଓ ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସମସ୍ତ ବିଧାୟକ/ବିଧାୟିକାମାନେ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ଓ ଅଞ୍ଚଳବାସୀଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.