Breaking News

ଝାରପଡ଼ା ଜେଲ୍‌ରୁ ଛୁରି ଜବତ: ତଥାପି ଚେତିନାହାନ୍ତି ଜେଲ୍ କର୍ତ୍ତୃପକ୍ଷ, ସରକାର

ପୁଣି ବିବାଦର କାଠଗଡ଼ାରେ ଠିଆହୋଇଛି ଝାରପଡ଼ା ଜେଲ୍‌। ନିକଟରେ ଘଟିଥିବା ଗ୍ୟାଙ୍ଗ୍‌ୱାର ଓ କଏଦୀ ମୃତ୍ୟୁ ପରେ ପରେ ଆଜି ପଦାକୁ ଆସିଛି କଏଦୀଙ୍କ ମଜଲିସୀର ଭିଡିଓ। ବ୍ରାଉନ୍‌ସୁଗାର ମାଫିଆ ନନ୍ଦୁ ରହୁଥିବା ସେଲ୍‌ ଭିତରୁ ଭାଇରାଲ୍‌ ହୋଇଥିବା ଭିଡିଓକୁ ନେଇ ଅକଳରେ ପଡ଼ିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ।

0

ଭୁବନେଶ୍ବର: ପୁଣି ବିବାଦର କାଠଗଡ଼ାରେ ଠିଆହୋଇଛି ଝାରପଡ଼ା ଜେଲ୍‌। ନିକଟରେ ଘଟିଥିବା ଗ୍ୟାଙ୍ଗ୍‌ୱାର ଓ କଏଦୀ ମୃତ୍ୟୁ ପରେ ପରେ ଆଜି ପଦାକୁ ଆସିଛି କଏଦୀଙ୍କ ମଜଲିସୀର ଭିଡିଓ। ବ୍ରାଉନ୍‌ସୁଗାର ମାଫିଆ ନନ୍ଦୁ ରହୁଥିବା ସେଲ୍‌ ଭିତରୁ ଭାଇରାଲ୍‌ ହୋଇଥିବା ଭିଡିଓକୁ ନେଇ ଅକଳରେ ପଡ଼ିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ। ନନ୍ଦୁ ହାତରେ ଛୁରି ଧରି ମସ୍ତି କରୁଥିବା ବେଳେ ଅନ୍ୟ କଏଦୀମାନେ ଗଞ୍ଜେଇ ଦଳୁଥିବାର ଦୃଶ୍ୟ ଜେଲ୍‌ ସୁରକ୍ଷାର ବିକଳ ଚିତ୍ରକୁ ପଦାକୁ ଆଣିଛି। ଆଜି ଏ ସଂକ୍ରାନ୍ତ ଖବର ‘କନକ ନ୍ୟୁଜ୍‌’ରେ ପ୍ରସାରଣ ପରେ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଚଢ଼ଉ କରାଯାଇଛି ଏବଂ ପାଇଖାନା କାନ୍ଥରୁ ସ୍ମାର୍ଟଫୋନ୍‌ ଓ ଏକ୍‌ଜଷ୍ଟେଡ୍‌ ଫ୍ୟାନ୍‌ (ବାୟୁ ନିଷ୍କାସନ ପଙ୍ଖା) ପାଖରୁ ଛୁରି ଜବତ କରାଯାଇଛି। ଜେଲ୍‌ ଭିତରକୁ ନିଶା ଚାଲାଣ ପୁରୁଣା କଥା ଥିଲା। କିନ୍ତୁ ଜେଲ୍‌ ଭିତରକୁ ସ୍ମାର୍ଟଫୋନ୍‌ ଓ ମାରଣାସ୍ତ୍ର ମଧ୍ୟ ଯାଇପାରୁଛି ବୋଲି ସ୍ପଷ୍ଟ ହୋଇଛି। ଜେଲ୍‌ର ଏହି ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ପାଇଁ କିଏ ଦାୟୀ, ସେନେଇ ତନାଘନା ଆରମ୍ଭ ହୋଇଛି। କିଛି ୱାର୍ଡରଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ଏବଂ ସେହି ଦିଗରେ ତଦନ୍ତ ଚାଲିଛି। ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ଼ ଚଳାଇଛି।

ଗୋଟିଏ ଭିଡିଓରେ ବିଚାରାଧୀନ କଏଦୀ ତଥା ବ୍ରାଉନ୍‌ସୁଗାର ମାଫିଆ ନନ୍ଦୁ ହାତରେ ଏକ ବଡ଼ ଛୁରି ଧରି ବସିଥିବା ବେଳେ ତାକୁ ଘେରି ରହିଥିବା ଅନ୍ୟ କିଛି କଏଦୀ ଗଞ୍ଜେଇ ଦଳୁଥିବାର ଦୃଶ୍ୟ ରହିଛି। ବେଶ୍‌ ରାଜକୀୟ ଢଙ୍ଗରେ ନନ୍ଦୁ ବସିଥିଲା। ଅନ୍ୟ କଏଦୀମାନେ ବି ମଜା କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ସେଲ୍‌ ଭିତରେ କୌଣସି ସ୍ମାର୍ଟଫୋନ୍‌ରେ ସୁଟ୍‌ କରାଯିବା ପରେ ଭାଇରାଲ୍‌ ହୋଇଥିଲା। ନନ୍ଦୁ କି ଉଦ୍ଦେଶ୍ୟ ରଖି ନିଜ ଭିଡିଓ ଭାଇରାଲ୍‌ କରିଥିଲା, ତାହାକୁ ନେଇ ବିସ୍ମୟ ବଢ଼ିଛି। ଏହା ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି ସିନା କିନ୍ତୁ ମାଫିଆ ନନ୍ଦୁର ଉଦ୍ଦେଶ୍ୟ ଭିନ୍ନ ବୋଲି ଚର୍ଚ୍ଚା ହେଉଛି। ଜେଲ୍‌ରେ ଥାଇ ବି ତା’ର ଦବ୍‌ଦବା କମିନାହିଁ ବୋଲି ଜଣାଇବା ଉଦ୍ଦେଶ୍ୟରେ ସେ ଏଭଳି କରିଥିବା ସନ୍ଦେହ କରାଯାଉଛି। ସେହିଭଳି ଜେଲ୍‌ରେ ଥାଇ ମଧ୍ୟ ବଟି ଆଦାୟ କରିବାକୁ ଏହା ଏକ ଉତ୍ତମ ମାଧ୍ୟମ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏବେ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିଘା ସେଠି ନାହିଁ। ଜେଲ୍‌ର ସୁରକ୍ଷା ବଳୟ ଭେଦ କରି ଭିତରକୁ ସ୍ମାର୍ଟଫୋନ୍‌ ଓ ଛୁରି କିଭଳି ଗଲା, ସେହି ଚିନ୍ତାରେ କର୍ତ୍ତୃପକ୍ଷ ହରବର। ଛୁରିକୁ କେହି ସହଯୋଗୀ ପାଚେରି ଉପର ଦେଇ ଭିତରକୁ ଫୋପାଡ଼ିବା ଅନୁମାନ କରାଯାଇପାରେ।

ବ୍ରାଉନ୍‌ସୁଗାର ମାଫିଆ ନନ୍ଦୁର ନାଟକ ଧରାପଡ଼ିଲା
ସ୍ମାର୍ଟଫୋନ୍ ବି ଜବତ, ଗଞ୍ଜେଇ ଦଳୁଥିଲେ କଏଦୀ
ତଥାପି ଚେତିନାହାନ୍ତି ଜେଲ୍ କର୍ତ୍ତୃପକ୍ଷ, ସରକାର

କିନ୍ତୁ ସ୍ମାର୍ଟଫୋନ୍‌ ଫୋପାଡ଼ି ହେବ ନାହିଁ। ତେଣୁ ନନ୍ଦୁ ହାତକୁ ସ୍ମାର୍ଟଫୋନ୍‌ କୌଣସି କର୍ମଚାରୀଙ୍କ ହାତରେ ହିଁ ଯାଇଛି, ଏହା ନିଶ୍ଚିତ। ତେଣୁ କିଛି ୱାର୍ଡରଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ତଦନ୍ତରୁ ପ୍ରମାଣ ମିଳିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଲ୍‌ ଡିଜି କହିଛନ୍ତି। ଜବତ ମୋବାଇଲ୍‌ରୁ କଲ୍‌ ଡିଟେଲ୍‌ସ ବାହାର କରାଯିବ ଏବଂ ସେଥିରୁ ଅନେକ କିଛି ସଂଗିନ୍ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି। ଏମିତିକି ମାଫିଆ ନନ୍ଦୁ କାହା କାହା ସହ ଅନ୍‌ଲାଇନ୍‌ରେ ଅର୍ଥ ଦେଣନେଣ କରିଛି, ସେ ତଥ୍ୟ ମଧ୍ୟ ଜଣାପଡ଼ିବ। ତେଣୁ ଜବତ ସ୍ମାର୍ଟଫୋନ୍‌ରୁ ନନ୍ଦୁର ଗୁମର ଖୋଲିବା ପରେ ତା’ର କଳା ସାମ୍ରାଜ୍ୟର ବିସ୍ତୃତି ସ୍ପଷ୍ଟ ହୋଇଯିବ।

ସୂଚନାଯୋଗ୍ୟ ଯେ ନିକଟରେ ଜେଲ୍‌ ଭିତରେ ଘଟିଥିଲା ଗ୍ୟାଙ୍ଗ୍‌ୱାର। ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳରେ ଜଣେ ଗୁରୁତର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଗ୍ୟାଙ୍ଗ୍‌ଷ୍ଟର ହାଇଦର ପୁଅ ମୁନା ଇଙ୍ଗିତରେ ଏହି ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଜେଲ୍‌ ଡିଆଇଜି ତଦନ୍ତ କରିଥିଲେ। ଏବେ ବ୍ରାଉନ୍‌ସୁଗାର ମାଫିଆ ନନ୍ଦୁ ଚର୍ଚ୍ଚାରେ। ତେଣୁ ଜେଲ୍‌ ଭିତରେ ମାଫିଆମାନେ ରାଜ୍‌ କରୁଥିବା ସ୍ପଷ୍ଟ ହୋଇଛି। ଗତ ସପ୍ତାହରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ସେ ମଧ୍ୟ ନିଶା କାରବାର ମାମଲାରେ ଜେଲ୍‌ରେ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ କରି ହତ୍ୟା ଅଭିଯୋଗ କରିଛନ୍ତି ଏବଂ ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ ଜାରି ରଖିଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.