Breaking News

ନିର୍ମାଣାଧୀନ ମନ୍ଦିରରେ ନିଖୋଜ ଯୁବକଙ୍କ ମୃତଦେହ ପରିବାର ଆଣିଲା ହତ୍ୟା ଅଭିଯୋଗ

ଗତକାଲି ଅପରାହ୍ଣରୁ ନିଖୋଜ ଥିବା ଚନ୍ଦକା ପଥରଗାଡ଼ିଆର ସୁଶାନ୍ତ ବେହେରା(୩୦)ଙ୍କ ମୃତଦେହ ଆଜି ଏକ ନିର୍ମାଣାଧୀନ ମନ୍ଦିରରୁ ଠାବ ହୋଇଛି। ରହସ୍ୟମୟ ଭାବେ ନିଖୋଜ ହେବା ଓ ଆଜି ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

0

ଭୁବନେଶ୍ବର: ଗତକାଲି ଅପରାହ୍ଣରୁ ନିଖୋଜ ଥିବା ଚନ୍ଦକା ପଥରଗାଡ଼ିଆର ସୁଶାନ୍ତ ବେହେରା(୩୦)ଙ୍କ ମୃତଦେହ ଆଜି ଏକ ନିର୍ମାଣାଧୀନ ମନ୍ଦିରରୁ ଠାବ ହୋଇଛି। ରହସ୍ୟମୟ ଭାବେ ନିଖୋଜ ହେବା ଓ ଆଜି ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ସୁଶାନ୍ତଙ୍କ ଭାଇ ନବକିଶୋରଙ୍କ ଅଭିଯୋଗ ଆଧାରରେ ଇନ୍‌ଫୋସିଟି ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ଛାନ୍‌ଭିନ୍‌ ଚଳାଇଛି। ପୁଲିସ ମୃତ ସୁଶାନ୍ତଙ୍କ ପରିଚିତ ୫ ଯୁବକଙ୍କୁ ପଚରାଉଚରା କରିଛି। କିନ୍ତୁ ଏହାପୂର୍ବରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଘଟିଥିବା ଉତ୍ତେଜନା ପାଇଁ ଆଜି ସୁଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରାଥମିକ ତଦନ୍ତ ସରିବା ପରେ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

ସୁଶାନ୍ତ ପଟିଆ ଅଞ୍ଚଳସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ର ଆମ୍ବୁଲାନ୍ସ ଚାଳକ ଭାବେ କାମ କରନ୍ତି। ସୋମବାର ଅପରାହ୍‌ଣ ୨ଟାରେ ସେ ଘରୁ ବାଇକ୍‌ ଧରି ହସ୍ପିଟାଲ୍‌ ଯାଇଥିଲେ। ରାତି ସାଢ଼େ ୧୧ରେ ଘରକୁ ଫେରିବା କଥା। କିନ୍ତୁ କୌଣସି ଜରୁରୀ କାମ ନେଇ ପରିବାର ଲୋକେ ତାଙ୍କୁ ଅପରାହ୍ଣ ସାଢ଼େ ୪ଟା ବେଳେ ଫୋନ୍‌ କରିଥିଲେ। ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ଦେଖାଇଥିଲା। ପରେ ପରିବ‌ାର ଲୋକେ ବାରମ୍ବାର ଫୋନ୍‌ କରିଥିଲେ ହେଁ ମୋବାଇଲ୍‌ ସୁଇଚ୍‌ ଅଫ୍ ଦେଖାଇଥିଲା। ସେହିଭଳି ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ସେ ଘରକୁ ଫେରିଲେ ନାହିଁ। ତେଣୁ ଆଜି ସକାଳେ ପରିବାର ପକ୍ଷରୁ ଇନ୍‌ଫୋସିଟି ଥାନାରେ ଏକ ନିଖୋଜ ମାମଲା କରାଯାଇଥିଲା। ପୁଲିସ ସୁଶାନ୍ତଙ୍କ ମୋବାଇଲ୍‌ ଟ୍ରାକ୍‌ କରୁଥିଲା। ଅପରାହ୍ଣ ପାଖାପାଖି ୩ଟା ବେଳେ ଶୁଭମ୍‌ ଗ୍ରାଣ୍ଡ ‌ଓୟୋ ନିକଟ ନିର୍ମାଣାଧୀନ ମନ୍ଦିରରେ ଜଣେ ଯୁବକ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଛନ୍ତି ବୋଲି ପୁଲିସକୁ ଖବର ମିଳିଲା। ନାକ ଓ କାନରୁ ରକ୍ତ ଝରିଝରି ଶୁଖିଯାଇଥିବା ଦେଖିବାକୁ ମିଳିଥିଲା। ବଞ୍ଚିଥିବା ଭାବି ପୁଲିସ ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଜଣାପଡ଼ିଲା ଯେ ମୃତକ ହେଉଛନ୍ତି ନିଖୋଜ ସୁଶାନ୍ତ। ଖବର ପାଇ ପରିବାର ଲୋକେ ଓ ସମ୍ପର୍କୀୟମାନେ ହସ୍ପିଟାଲ୍‌‌ରେ ପହଞ୍ଚିବା ପରେ ଉତ୍ତେଜନା ବଢ଼ିଥିଲା। ନାକ ଓ କାନରୁ ରକ୍ତ ବାହାରୁଥିବା ଦେଖି ସେମାନେ ଏହା ଏକ ହତ୍ୟାକାଣ୍ଡ ବୋଲି ଦାବି କରିଥିଲେ।

ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଧାରରେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସୋମବାର ଅପରାହ୍ଣରେ ସୁଶାନ୍ତ ଓୟୋ ନିକଟରେ ବାଇକ୍‌ ରଖି ୫/୬ଜଣଙ୍କ ସହ ନିର୍ମାଣାଧୀନ ମନ୍ଦିରକୁ ଯାଇଥିଲେ। ରାତି ସୁଦ୍ଧା ଅନ୍ୟମାନେ ଫେରିଥିଲେ ହେଁ ସୁଶାନ୍ତ ଫେରିନଥିଲେ। ସୁଶାନ୍ତଙ୍କ ସହ ଯାଇଥିବା ୫ଜଣଙ୍କୁ ପୁଲିସ ଚିହ୍ନଟ କରିବା ପରେ ପଚରାଉଚରା କରିଛି। ସେମାନେ ନିର୍ମାଣାଧୀନ ମନ୍ଦିରକୁ କ’ଣ ପାଇଁ ଯାଇଥିଲେ, ସେଠାରେ କି ପ୍ରକାର ପରିସ୍ଥିତି ଉପୁଜିଥିଲା, ସୁଶାନ୍ତଙ୍କୁ ସେମାନେ କାହିଁକି ଏକୁଟିଆ ଛାଡ଼ି ପଳାଇଆସିଲେ, କିଛି ଅଘଟଣ ଘଟିଥିଲେ ହେଁ ପୁଲିସକୁ କାହିଁକି ଜଣାଇନଥିଲେ, ସେସବୁ ବାବଦରେ ପୁଲିସ ପଚରାଉଚରା କରୁଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.