Breaking News

ଭାଙ୍ଗିଗଲାଣି ଭରତପୁର ଜଙ୍ଗଲ ପାଚେରି: ଜଙ୍ଗଲ ଭିତରେ ପଡ଼ୁଛି ଅଳିଆ ଆବର୍ଜନା

ଭାଙ୍ଗିଗଲାଣି ଭରତପୁର ସଂରକ୍ଷିତ ଜଙ୍ଗଲ ପାଚେରି। ଖଣ୍ଡ ଖଣ୍ଡ ହୋଇ ପା‌ଚେରି ଜଙ୍ଗଲ ଭିତରକୁ ଖସି ପଡ଼ିଛି। ଦିନେ କି ଦୁଇ ଦିନ ନୁହେଁ, ବରଂ ଦୁଇ ସପ୍ତାହ ହେଲା ଏଭଳି ଅବସ୍ଥା‌ ହୋଇଥିଲେ ମଧ୍ୟ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।

0

ଖଣ୍ଡଗିରି: ଭାଙ୍ଗିଗଲାଣି ଭରତପୁର ସଂରକ୍ଷିତ ଜଙ୍ଗଲ ପାଚେରି। ଖଣ୍ଡ ଖଣ୍ଡ ହୋଇ ପା‌ଚେରି ଜଙ୍ଗଲ ଭିତରକୁ ଖସି ପଡ଼ିଛି। ଦିନେ କି ଦୁଇ ଦିନ ନୁହେଁ, ବରଂ ଦୁଇ ସପ୍ତାହ ହେଲା ଏଭଳି ଅବସ୍ଥା‌ ହୋଇଥିଲେ ମଧ୍ୟ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହାକି ଏବେ ଜଙ୍ଗଲର ଜୀବଜନ୍ତୁ ଓ ସହରବାସୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ରାଜଧାନୀକୁ ଲାଗି ରହିଥିବା ଏହି ଜଙ୍ଗଲ ପାଚେରିର କିଛି ଅଂଶର ଉଚ୍ଚତା ଦେଢ଼ବର୍ଷ ତଳେ ବୃଦ୍ଧି କରାଯାଇଥିଲା। କିଛି ସ୍ଥାନରେ ମରାମତି ମଧ୍ୟ ହୋଇ ନ ଥିଲା, ଯାହାକି ଏବେ ଭାଙ୍ଗିପଡ଼ିଛି। ସ୍ଥାନୀୟ ଲୋକେ ଅବାଧରେ ଜଙ୍ଗଲ ଭିତରକୁ ପ୍ରବେଶ କରୁଛନ୍ତି। ନିକଟରେ ଥିବା ବ୍ୟବସାୟୀମାନେ ମଧ୍ୟ ଜଙ୍ଗଲ ଭିତରେ ଅଳିଆ ଆବର୍ଜନା ପକାଇବା ସହ ଜୀବଜନ୍ତୁଙ୍କ ଉପରକୁ ଟେକାପଥର ମାଡ଼ କରୁଛନ୍ତି। କଳିଙ୍ଗ ଷ୍ଟୁଡିଓ ଛକରୁ ରେଣ୍ଟାଲ କଲୋନି ପର୍ଯ୍ୟନ୍ତ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଜଙ୍ଗଲ ଭିତରେ ପଡ଼ୁଛି ଅଳିଆ ଆବର୍ଜନା
ବନ୍ୟଜନ୍ତୁ ଓ ସହରବାସୀଙ୍କ ପାଇଁ ବିପଦ
ପାଣି କମିଲେ ମରାମତି ହେବ: ଡିଏଫ୍‌ଓ

୪ରୁ ୫ ବର୍ଷ ତଳେ ଏହି ଦୁଇ କିଲୋମିଟର ରାସ୍ତାର ଉଚ୍ଚତା ବଢ଼ିବାରୁ ପାଚେରି ବହୁ ତଳକୁ ହୋଇଯାଇଥିଲା। ଏହି ପାଚେରି ନିକଟରେ ହାତୀମାନେ ନିୟମିତ ବ୍ୟବଧାନରେ ଜଳକ୍ରୀଡ଼ା କରିଥାନ୍ତି ଏବଂ ହାତୀମାନଙ୍କୁ ପାଖରୁ ଦେଖିବା ଲାଗି ବିଭିନ୍ନ ସମୟରେ ରାସ୍ତା ଜାମ୍‌ ହୋଇଥାଏ। ସେହିଭଳି ସକାଳୁ ଜଙ୍ଗଲୀ ଜନ୍ତୁ ଏଠାକୁ ପାଣି ପିଇବାକୁ ଆସୁଥିବା ବେଳେ ଲୋକେ ସେମାନଙ୍କୁ ହଇରାଣ କରୁଥିଲେ। ମୟୂରଙ୍କୁ ଦେଖି ହୋହାଲ୍ଲା କରିବା ସହ କେହି କେହି ଟେକା ପକାଇଥିଲେ। ପାଚେରି ଉପରେ ଛିଡ଼ା ହୋଇ ଜୀବଜନ୍ତୁଙ୍କୁ ପାଟି କରିବା ଦ୍ବାରା ଜୀବଜନ୍ତୁ ଭୟଭୀତ ହୋଇ ପାଣି ନ ପିଇ ଜଙ୍ଗଲ ଭିତରକୁ ପଳାଇ ଯାଉଥିବା ନଜରକୁ ଆସିଥିଲା। ବହୁ ଜୀବଜନ୍ତୁ ଆହତ ମଧ୍ୟ ହୋଇଥିଲେ। ତେଣୁ ଅସାମାଜିକଙ୍କ ଉପରେ ରୋକ୍‌ ଲଗାଇବା ଓ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାକୁ ଚନ୍ଦକା-ଡମପଡ଼ା ବନଖଣ୍ଡ ପକ୍ଷରୁ ଯୋଜନା କରାଯାଇ ଏହି ରାସ୍ତାପାର୍ଶ୍ବର ପ୍ରାୟ ୭୧୦ ମିଟର ପାଚେରି ଉଚ୍ଚତା ବଢ଼ାଯିବା ସହ ଚଉଡ଼ା କରାଯାଇଥିଲା। ଏଥିସହ ପାଚେରି ଉପରେ ଲୁହା ତାର ଦିଆଯିବାରୁ ଜଙ୍ଗଲ ଭିତରେ କ’ଣ ହେଉଛି ସେବିଷୟରେ କେହି କିଛି ଜାଣିପାରୁ ନାହାନ୍ତି ସତ। ମାତ୍ର ଜଙ୍ଗଲ ଭିତରେ ଅଳିଆ ଆବର୍ଜନା ପକାଇବା ଉପରେ ରୋକ ଲଗାଯାଇପାରି ନାହିଁ।

ଇତିମଧ୍ୟରେ ଏହି ରାସ୍ତା ଉଠାଦୋକାନୀଙ୍କ ପ୍ରସରା ବଢ଼ିବାରେ ଲାଗିଛି। ୩୦ରୁ ଅଧିକ ଉଠାଦୋକାନୀ ରାସ୍ତାପାର୍ଶ୍ବ ଫୁଟ୍‌ପାଥରେ ଦୋକାନ ଖୋଲି ଫଳ ଓ ପନିପରିବା ବେପାର କରୁଛନ୍ତି। ସେଥିରୁ ବାହାରୁଥିବା ଆବର୍ଜନାଗୁଡ଼ିକୁ ସେମାନେ ଜଙ୍ଗଲ ଭିତରକୁ ପକାଇ ଦେଉଥିବା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ଲୋକେ ଘରର ଆବର୍ଜନାକୁ ସିଧାସଳଖ ଜଙ୍ଗଲ ଭିତରକୁ ଫିଙ୍ଗି ଦେଉଛନ୍ତି। ମଦ ବୋତଲ ପରି କାଚରେ ତିଆରି ସାମଗ୍ରୀ ଜୀବଜନ୍ତୁଙ୍କ ଗୋଡ଼ରେ ପଶୁଥିବା ବନ କର୍ମଚାରୀ କହିଛନ୍ତି। ଚନ୍ଦକା ଡିଏଫ୍‌ଓ ଶରତ କୁମାର ମିଶ୍ର କହିଛନ୍ତି ଉଚ୍ଚତା କମ୍‌ ଥିବା ସ୍ଥାନରେ ପାଚେରିକୁ ବଢ଼ାଯାଇଥିଲା। ତେବେ କିଛି ଦିନ ତଳେ ବର୍ଷା ହେବାରୁ ଉଚ୍ଚତା ବଢ଼ି ନ ଥିବା ପାଚେରିର ଦୁଇଟି ସ୍ଥାନ ଭାଙ୍ଗିଯାଇଛି। ଏନେଇ ଆମ ପାଖରେ ଖବର ଅଛି। ବନ୍ୟଜନ୍ତୁ କିମ୍ବା ସହରବାସୀଙ୍କ ପାଇଁ ଏହା କୌଣସି ପ୍ରକାର ବିପଦ ନୁହେଁ। ତଥାପି ମରାମତି ଦିନରେ ଆମେ ପଦକ୍ଷେପ ନେଉଛୁ। ପାଚେରି ଭାଙ୍ଗିଥିବା ସ୍ଥାନର ଜଙ୍ଗଲ ଭିତର ପାର୍ଶ୍ବ ଖାଲୁଆ ସ୍ଥାନ ରହିବା ସହ ପାଣି ରହିଥିବାରୁ ମରାମତି କରିବା ସମ୍ଭବପର ହେଉ ନାହିଁ। ‌ପାଣି କମିବା ପରେ କାର୍ଯ୍ୟ କରାଯିବ। ଯେଉଁଠି ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି ସେଠାରେ ସୁରକ୍ଷା ବଢ଼ାଯିବ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.