Breaking News

ସବୁ ୱାର୍ଡରେ ଖୋଲିବ ନେବର୍‌ହୁଡ୍‌ ମାର୍କେଟ୍‌

ସବୁ ୱାର୍ଡରେ ଖୋଲିବ ନେବରହୁଡ୍‌ ମାର୍କେଟ୍‌। ରାସ୍ତାକଡ଼ରେ ବେପାର କରୁଥିବା ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ। ବେଆଇନ କ୍ୟାବିନ୍‌ ରହିବ ନାହିଁ। ଓଆଇଡିଏଫ୍‌ ପାଣ୍ଠିରୁ ଋଣ ଅଣାଯାଇ ନିର୍ମାଣ କରାଯିବ।

0

ଭୁବନେଶ୍ୱର: ସବୁ ୱାର୍ଡରେ ଖୋଲିବ ନେବରହୁଡ୍‌ ମାର୍କେଟ୍‌। ରାସ୍ତାକଡ଼ରେ ବେପାର କରୁଥିବା ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ। ବେଆଇନ କ୍ୟାବିନ୍‌ ରହିବ ନାହିଁ। ଓଆଇଡିଏଫ୍‌ ପାଣ୍ଠିରୁ ଋଣ ଅଣାଯାଇ ନିର୍ମାଣ କରାଯିବ। ପରେ ଏହି ମାର୍କେଟ୍‌ରୁ ଆଦାୟ ହେବାକୁ ଥିବା ରାଜସ୍ବରୁ ଋଣ ସୁଝାଯିବ। ଏଭଳି ଏକ ନିଷ୍ପତ୍ତି ନେଇଛି ବିଏମ୍‌ସି। ଖୁବ୍‌ଶୀଘ୍ର ଜାଗା ଚିହ୍ନଟ କରାଯାଇ ଜିଏ ବିଭାଗରୁ ଅନୁମତି ଅଣାଯିବ। ବିଏମ୍‌ସ ଏହି ଉଦ୍ୟମରେ ସଫଳ ହେଲେ ଅନେକ ବ୍ୟବସାୟୀ ଥଇଥାନ ହେ‌ବେ। ଏମାନେ ରାସ୍ତା କଡ଼ରେ ନ ରହିଲେ ଜବରଦଖଲ କିମ୍ବା ଟ୍ରାଫିକ୍‌ ଟେନ୍‌ସନ୍‌ ରହିବ ନାହିଁ। ବିଏମ୍‌ସିର ଏଭଳି ଏକ ଉଦ୍ୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ହେଲେ ପୂର୍ବରୁ ୧୧ଟି ଜାଗାରେ ନେବରହୁଡ୍‌ ମାର୍କେଟ୍‌ ପାଇଁ ଜିଏ ବିଭାଗ ଜାଗା ଯୋଗାଇ ସାରିଥିଲେ ମଧ୍ୟ ବିଏମ୍‌ସି ଗୋଟିଏ ହେଲେ ନିର୍ମାଣ କରିପାରି ନାହିଁ। ଏଣୁ ସବୁ ୱାର୍ଡରେ ଏଭଳି ମାର୍କେଟ୍‌ ନିର୍ମାଣ ଯୋଜନା କେବଳ ଧୁଆଁବାଣ ବୋଲି ଚର୍ଚ୍ଚା ହେଉଛି।

ଆଇଗିଣିଆ ନେବରହୁଡ୍‌ ମାର୍କେଟ୍‌ ବିବାଦ ତୁଟୁନି
୧୧ଟି ପାଇଁ ଜାଗା ମିଳିଛି, ହୋଇ ପାରୁନି

୨୦୧୨ ମସିହାରେ ଏଭଳି ଏକ ମାର୍କେଟ୍‌ର ପରିକଳ୍ପନା କରିଥିଲା ବିଏମ୍‌ସି। କମିସନର ବିଶାଲ ଦେବ ଥିବା ସମୟରେ ୱାର୍ଡ ସଂଖ୍ୟା ୫୨ର ନାଗେଶ୍ବରଟାଙ୍ଗୀ ଅଞ୍ଚଳରେ ପ୍ରଥମ ‌ନେବରହୁଡ୍‌ ମାର୍କେଟ୍‌ ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିଲା। ତା’ ସହିତ ସମସ୍ତ ୱାର୍ଡ(ସେତେବେଳେ ୬୦ଟି ୱାର୍ଡ ଥିଲା) ଏଭଳି ମାର୍କେଟ୍‌ କରିବାକୁ ଯୋଜନା ହୋଇଥିଲା। ପ୍ରାୟ ଗୋଟିଏ ଏକର ଜାଗାରେ ଏହି ମାର୍କେଟ୍‌ ପ୍ରତିଷ୍ଠା ହୋଇଥା’ନ୍ତା। ଏଥିରେ ମାଛ, ମାଂସ ଭଳି ଆମିଶ ଦ୍ରବ୍ୟ ସହ ପରିବା ଓ ଅନ୍ୟାନ୍ୟ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଉପଲବ୍‌ଧ ହୋଇଥା’ନ୍ତା। ପ୍ରସ୍ତୁତ ହେବାକୁ ଥିବା ବଜାରର ୯୦ ପ୍ରତିଶତ ଦୋକାନ ନିଲାମ କରିବାକୁ ଥିବା ବେଳେ ୧୦ ପ୍ରତିଶତ ସରକାରୀ ସଂସ୍ଥା ତଥା ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ଯୋଜନା ହୋଇଥିଲା। ଏଭଳି ଯୋଜନା କରି ପର୍ଯ୍ୟାୟକ୍ରମେ ବିଏମ୍‌ସି ୧୧ଟି ମାର୍କେଟ୍‌ ପାଇଁ ଜିଏ ବିଭାଗରୁ ଜମି ଆଣିଥିଲା। ହେଲେ ଗୋଟିଏ ବି ସମ୍ଭବ ହେଲା ନାହିଁ। ଏବେ ଋଣ ଆଣି ଏହି ୧୧ଟି ସମେତ ଅନ୍ୟ ସମସ୍ତ ୱାର୍ଡରେ ଏଭଳି ବଜାର କରିବାକୁ ଯୋଜନା କରିଛି। ଆଉ ଗୋଟିଏ ବଡ଼ କଥା ହେଉଛି, ଆଇଗିଣିଆରେ ରାଜପଥକୁ ଲାଗି ଏଭଳି ଏକ ନେବରହୁଡ୍‌ ମାର୍କେଟ୍‌ ରହିଛି। କିନ୍ତୁ ବିଏମ୍‌ସି ଏହାକୁ ସ୍ବୀକୃତିପ୍ରାପ୍ତ କରୁନାହିଁ। ହାଇକୋର୍ଟଙ୍କ ଆଦେଶ ଆସିବା ପରେ ବ୍ୟବସାୟୀମାନେ ଆଶ୍ବସ୍ତ ହୋଇଛନ୍ତି। ଦୀର୍ଘ ଦିନ ହେବ ୨୯ ଜଣ ବ୍ୟବସାୟୀ ଧର୍ମ ବିହାରରେ ଥିବା ହଜ କମିଟି ଜାଗାରେ ବସି ବ୍ୟବସାୟ କରୁଥିଲେ। ଏହି ଜାଗାକୁ ଖାଲି କରିବା ପାଇଁ ବିଏମ୍‌ସି ଏହି ବ୍ୟବସାୟୀମାନଙ୍କୁ ୨୦୦୮ ମସିହାରେ ଉଚ୍ଛେଦ କରିଥିଲା।

ଆଇଗିଣିଆ ଛକରେ ସେମାନଙ୍କ ପାଇଁ ଜାଗା ଚିହ୍ନଟ କରି ବିଏମ୍‌ସି ବସାଇଥିଲା। ସେଠାରେ ନେବରହୁଡ୍‌ ମାର୍କେଟ୍‌ କରିବା ପାଇଁ ଘୋଷଣା କରିଥିଲା। ହେଲେ ସେଠାରେ କାନ୍ଥ ଉଠାଇବା ବେଳେ ଜିଏ ବିଭାଗ ଏହାକୁ ନିଜ ଜାଗା ବୋଲି କହିବା‌ ସହ ସେମାନଙ୍କୁ ସେଠାରେ ବସିବାକୁ ଦେଇ ନଥିଲା। ବିଏମ୍‌ସି ୨୦୧୫ ମସିହାରେ ସର୍ଭେ କରିବା ସହ ଏମାନଙ୍କୁ ତାଲିକାଭୁକ୍ତ କରିଥିଲା। କିନ୍ତୁ ପରେ ଆଉ ମାନି ନଥିଲା। ଏଣୁ ୨୯ ବ୍ୟବସାୟୀ ନେବରହୁଡ୍‌ ମାର୍କେଟ୍‌ ବ୍ୟବସାୟୀ ସଂଘ ତିଆରି କରି ହାଇକୋର୍ଟରେ ପହଞ୍ଚିଥିଲେ। ହାଇକୋର୍ଟ ମାମଲାର ବିଚାର କରି ଚଳିତ ଫେବ୍ରୁଆରିରେ ବ୍ୟବସାୟୀଙ୍କ ସପକ୍ଷରେ ରାୟ ଦେଇଥିଲେ। ବ୍ୟବସାୟୀମାନେ ଏବେ ୱେଲ୍‌କମ୍‌ ହୋଟେଲ କଡ଼ରେ ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ଏଠାରୁ ପ୍ରଥମେ ଥଇଥାନ କରିବା ପରେ ଉଚ୍ଛେଦ କରିବାକୁ ହାଇକୋର୍ଟ ରାୟ ଦେଇଛନ୍ତି। ଏଥିରେ ୨୪ ଜଣ ମାଛମାଂସ ବ୍ୟବସାୟୀ ଥିବା ବେଳେ ୪ ଜଣ ଅଦାରସୁଣ ଓ ଜଣେ ପରିବା ବ୍ୟବସାୟୀ ରହିଛନ୍ତି। ବିଏମ୍‌ସି ଏବେ ସବୁ ୱାର୍ଡରେ ନେବରହୁଡ୍‌ ମାର୍କେଟ୍‌ କରିବାକୁ ଯୋଜନା କରିଥିବାରୁ ଏହି ବ୍ୟବସାୟୀମାନେ ଥଇଥାନ ହେବାକୁ ଯାଉଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.