Breaking News

ଓଡ଼ିଶା ବିକାଶ କନକ୍ଲେଭ୍‌: ବିକଶିତ ପୂର୍ବରୁ ବୟସ୍କ ହେଉଛି ଓଡ଼ିଶା

ଓଡ଼ିଶା ବିକଶିତ ରାଜ୍ୟ ହେବା ପୂର୍ବରୁ ବୟସ୍କ ହେଉଛି। ଅର୍ଥାତ୍‌ ଓଡ଼ିଶାର ମୋଟ ଜନସଂଖ୍ୟାରେ ପିଲାଙ୍କ ତୁଳନାରେ ବୟସ୍କଙ୍କ ସଂଖ୍ୟା ବଢ଼ୁଛି। ୨୦୧୧ରେ ରାଜ୍ୟରେ ବୟସ୍କଙ୍କ ସଂଖ୍ୟା ୩୯ ଲକ୍ଷ ଥିବାବେଳେ ୨୦୩୬ରେ ଏହା ୮୨ ଲକ୍ଷରେ ପହଞ୍ଚିବ।

0

ଭୁବନେଶ୍ୱର: ଓଡ଼ିଶା ବିକଶିତ ରାଜ୍ୟ ହେବା ପୂର୍ବରୁ ବୟସ୍କ ହେଉଛି। ଅର୍ଥାତ୍‌ ଓଡ଼ିଶାର ମୋଟ ଜନସଂଖ୍ୟାରେ ପିଲାଙ୍କ ତୁଳନାରେ ବୟସ୍କଙ୍କ ସଂଖ୍ୟା ବଢ଼ୁଛି। ୨୦୧୧ରେ ରାଜ୍ୟରେ ବୟସ୍କଙ୍କ ସଂଖ୍ୟା ୩୯ ଲକ୍ଷ ଥିବାବେଳେ ୨୦୩୬ରେ ଏହା ୮୨ ଲକ୍ଷରେ ପହଞ୍ଚିବ। ଯାହାକି ସେହି ସମୟର ମୋଟ ଜନସଂଖ୍ୟାର ପ୍ରାୟ ୧୬ ପ୍ରତିଶତ ରହିବ। ଓଡ଼ିଶାର ଜନସଂଖ୍ୟାରେ ଆସିଥିବା ଏହି ପରିବର୍ତ୍ତନ ଆମ ପାଇଁ ଆହ୍ୱାନ ସହିତ ସୁଯୋଗ ଆଣିଛି। ୨୦୩୬ ମସିହାରେ ଓଡ଼ିଶା ଗଠନକୁ ୧୦୦ ବର୍ଷ ପୂରଣ ହେବ। ୨୦୩୬ରେ ‘ବିକଶିତ ଓଡ଼ିଶା’ ହେଲେ ୨୦୪୭ରେ ‘ବିକଶିତ ଭାରତ’ ଗଠନ ହୋଇପାରିବ। ଏଥିପାଇଁ ସରକାର, ନାଗରିକ ସମାଜ ସମେତ ସମାଜର ସବୁ କ୍ଷେତ୍ରର ‌ଯୋଗଦାନ ଅପରିହାର୍ଯ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି।

ଓଡ଼ିଶା ବିକାଶ କନ୍‌କ୍ଲେଭ୍‌ର ଉଦ୍‌ଯାପନୀ ସମାରୋହକୁ ସମ୍ବୋଧନ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଓଡ଼ିଶାକୁ ଆଗକୁ ନେବା ପାଇଁ ରହିଥିବା ପ୍ରତିବନ୍ଧକକୁ ଦୂର କରିବାକୁ ପଡ଼ିବ। ଆମେ ଯଦି ଏମିତି ଓଡ଼ିଶା ଗଠନ କରିବା ଯେଉଁଠି କେହି ବେକାରୀ ନଥିବେ, ଯେଉଁଠି କେହି ଦାଦନ ଖଟିବାକୁ ଯାଉ ନଥିବେ, ଯେଉଁଠି ସବୁ ନାରୀ ସୁରକ୍ଷିତ ରହିବେ ତାହେଲେ ଏଥିପାଇଁ ସମସ୍ତଙ୍କୁ ମିଳିତ ଭାବେ ଠିକ୍‌ରେ କାର୍ଯ୍ୟ କରିବାକୁ ‌ପଡ଼ିବ। ସିୱାଇଏସ୍‌ଡି ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ପ୍ରଫେସର ଡକ୍ଟର ଅମିତାଭ କୁଣ୍ଡୁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ୟୁଏନ୍‌ଏଫ୍‌ପିଏର ରାଜ୍ୟ ମୁଖ୍ୟ ମହମ୍ମଦ ନଦିମ୍ ନୁର୍ ଓ ଆଇଆଇପିଏର ମହାନିର୍ଦ୍ଦେଶକ ଏସ୍‌ଏନ୍ ତ୍ରିପାଠୀ ଓଡ଼ିଶାର ଶହେ ବର୍ଷ ପୂର୍ତ୍ତିରେ ଦୃଶ୍ୟମାନ ହେବାକୁ ଥିବା ସମସ୍ୟା ଓ ସମ୍ଭାବନା ଉପରେ ଆଲୋକପାତ କରିଥିଲେ।

 ବିକଶିତ ଓଡ଼ିଶା ପାଇଁ ସମ୍ମିଳିତ ପ୍ରୟାସ ‌ଲୋଡ଼ା: ଉପମୁଖ୍ୟମନ୍ତ୍ରୀ
 ଫାଷ୍ଟ୍‌ଟ୍ରାକ୍‌ ମହିଳା କୋର୍ଟ ସ୍ଥାପନ ପାଇଁ ଚିନ୍ତା କରାଯାଉଛି: ଆଇନମନ୍ତ୍ରୀ

ଓଡ଼ିଶା ବିକାଶ କନ୍‌କ୍ଲେଭର ସ୍ୱତନ୍ତ୍ର ଅଧିବେଶନ ଗୁଡ଼ିକରେ ସ୍ଥାନାନ୍ତର, ସ୍ବାସ୍ଥ୍ୟ ଓ ପୁଷ୍ଟି, ନିଯୁକ୍ତି ଓ ନଗରାଞ୍ଚଳ ସମସ୍ୟା, ଶିକ୍ଷା, ବୟସ୍କ ଲୋକଙ୍କ ସମସ୍ୟା, ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଆଦି ଆଲୋଚନାର ନିଷ୍କର୍ଷ ଉପସ୍ଥାପିତ ହୋଇଥିଲା। ପଞ୍ଚାୟତ ସ୍ତରରେ ଶ୍ରମିକଙ୍କୁ ଚିହ୍ନଟ, ସେମାନଙ୍କ ଦକ୍ଷତା ମ୍ୟାପିଂ କରିବା, ସହରାଞ୍ଚଳରେ ଶ୍ରମିକଙ୍କ ପାଇଁ ଶସ୍ତାରେ ଭଡ଼ା ଘର, ହେଲ୍‌ପ ସେଣ୍ଟର୍ ପ୍ରତିଷ୍ଠା ପାଇଁ ମତାମତ ଆସିଥିଲା। ଅନୁରୂପ ଭାବେ ବୟସ୍କ ଲୋକଙ୍କ ପାଇଁ ପଞ୍ଚାୟତ ସ୍ତରରେ ଡେ କେୟାର ସେଣ୍ଟର, ଗାଁ ସ୍ତରରେ ବୟସ୍କ ଲୋକଙ୍କ ପାଇଁ ଯତ୍ନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅଧିବେଶନଗୁଡ଼ିକରେ ମତ ପ୍ରକାଶ ପାଇଛି। ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କହିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶମାନ ଉପସ୍ଥାପିତ ହେଇଥିଲା। ସିୱାଇଏସ୍‌ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

କନକ୍ଲେଭ୍‌ର ଏକ ଅଧିବେଶନରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ନାରୀ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ବଜେଟ୍‌ ଆବଣ୍ଟନ ହେବା ଉଚିତ ବୋଲି ମତ ପୋଷଣ କରିଥିଲେ। ଓଡ଼ିଶାକୁ ଚାରିଟି ଜୋନ୍‌ କରି ଚାରିଟି ଫାଷ୍ଟ୍‌ଟ୍ରାକ୍‌ ମହିଳା କୋର୍ଟ ସ୍ଥାପନ ଦିଗରେ ରାଜ୍ୟ ସରକାର ଚିନ୍ତା କରୁଥିବା ଦର୍ଶାଇଥିଲେ। ଏହା ପୀଡ଼ିତାକୁ ତ୍ୱରିତ ନ୍ୟାୟ ଦେବାରେ ସହାୟକ ହୋଇ ପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ପୂର୍ବାହ୍ନରେ ଉଦ୍‌ଘାଟନୀ ଉତ୍ସବରେ ଉନ୍ନୟନ କମିସନର ଅନୁ ଗର୍ଗ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ଓଡ଼ିଶାରେ ୪୮୦ କିଲୋମିଟରର ବେଳାଭୂମି ରହିଛି। ରାଜ୍ୟର ମୋଟ ଅଞ୍ଚଳର ୩୩ ପ୍ରତିଶତ ହେଉଛି ଜଙ୍ଗଲ। ୨୩ ପ୍ରତିଶତ ଲୋକ ଅନୁସୂଚିତ ଜନଜାତି ବର୍ଗର। ତେଣୁ ବିକଶିତ ଓଡ଼ିଶା ପାଇଁ ଏସବୁ ସାମର୍ଥ୍ୟକୁ ସୁଯୋଗରେ ପରିଣତ କରିବାକୁ ହେବ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.