Breaking News

ଏମ୍‌ସ ପରିସର ଖାଁ ଖାଁ: ଗଡ଼ିଲାନି ୯୦ଭାଗ ବସ୍‌

ଏମ୍‌ସ ଭୁବନେଶ୍ବର ଆଜି ଖାଁ ଖାଁ ଥିବା ଦେଖିବାକୁ ମିଳିଛି। ସବୁଦିନ ଏମ୍‌ସରେ ଗହଳଚହଳ ଲାଗି ରହୁଥିଲା ବେଳେ ଆଜି ପରିବେଶ ଶୂନ୍‌ଶାନ ରହିଥିଲା। ଗାଡ଼ି ପାର୍କିଂସ୍ଥଳରେ ମଧ୍ୟ କମ୍‌ ସଂଖ୍ୟକ ଗାଡ଼ି ରହିଥିଲା।

0

ଖଣ୍ଡଗିରି: ଏମ୍‌ସ ଭୁବନେଶ୍ବର ଆଜି ଖାଁ ଖାଁ ଥିବା ଦେଖିବାକୁ ମିଳିଛି। ସବୁଦିନ ଏମ୍‌ସରେ ଗହଳଚହଳ ଲାଗି ରହୁଥିଲା ବେଳେ ଆଜି ପରିବେଶ ଶୂନ୍‌ଶାନ ରହିଥିଲା। ଗାଡ଼ି ପାର୍କିଂସ୍ଥଳରେ ମଧ୍ୟ କମ୍‌ ସଂଖ୍ୟକ ଗାଡ଼ି ରହିଥିଲା। ବର୍ତ୍ତମାନ ୨୦୩ଟି ଟ୍ରେନ୍‌ ବାତିଲ ହେବା ଦ୍ବାରା ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ଏମ୍‌ସରେ ଦେଖିବାକୁ ମିଳିଛି। କାରଣ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ପ୍ରତ୍ୟହ ଏକ ହଜାରରୁ ଅଧିକ ରୋଗୀ ଆସୁଥିବା ବେଳେ ଆଜି ଟ୍ରେନ୍‌ ସେବା ବ୍ୟାହତ ହେତୁ ରୋଗୀ ସଂଖ୍ୟା କମ୍‌ ରହିଥିଲା। ତେବେ ବାତ୍ୟା ସମୟରେ ରୋଗୀସେବାକୁ ମାତ୍ରାଧିକ ଗୁରୁତ୍ବ ଦିଆଯାଇଥିବା ନେଇ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି। ଗତକାଲି ଭୁବନେଶ୍ବର ଏମ୍‌ସ ନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗକୁ ଦାୟିତ୍ବ ବଣ୍ଟନ କରାଯାଇଛି। ବାତ୍ୟା ସତ୍ତ୍ବେ ଓପିଡି ଖୋଲା ରହିବା ସହିତ ୨୪ଘଣ୍ଟିଆ ଜରୁରୀକାଳୀନ ସେବା ‌ଯୋଗାଇ ଦିଆଯାଉଛି। ଚିକିତ୍ସା ସହିତ ରୋଗୀମାନଙ୍କ ଖାଦ୍ୟପେୟ ଉପରେ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି।

ବରମୁଣ୍ଡା: ବାତ୍ୟା ଭୟରେ ଆଜି ହଜାର ହଜାର ଯାତ୍ରୀଙ୍କ ଆତଯାତ ଲାଗି ରହୁଥିବା ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ପ୍ରାୟତଃ ଫାଙ୍କା ପଡ଼ିଥିଲା। ରାଜ୍ୟର ସବୁ ଜିଲ୍ଲାକୁ ଦିନ ଗୋଟାଏ ପର୍ଯ୍ୟନ୍ତ ବସ୍‌ ଚଳାଚଳ କରୁଥିବା ବେଳେ ଅପରାହ୍ନ ବେଳକୁ ପ୍ରାୟ ବସ୍‌ କେବଳ ଷ୍ଟ୍ରାଣ୍ଡ୍‌ରେ ଛିଡ଼ା ‌ହୋଇଥିବା ଦେଖିବାକୁ ମିଳିଥିଲା। ଭୋର୍‌ ଓ ସକାଳୁ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ଯାଉଥିବା ବସ୍‌ଗୁଡ଼ିକରେ ବହୁତ ଗହଳି ହୋଇଥିଲେ ହେଁ ପରେ ପରେ ଫାଙ୍କା ହୋଇ ଯାଇଥିଲା। କେଉଁ ବସ୍‌ରେ ୨-୩ ଯାତ୍ରୀ ଥିବା ବେଳେ କିଛି ବସ୍‌ ସମ୍ପୂର୍ଣ୍ଣ ଖାଲି ଯାଇଥିଲା। ପଶ୍ଚିମବଙ୍ଗକୁ ଯାଉଥିବା ବସ୍‌ସବୁ ଆଜି ମୂଳରୁ ଯାଇ ନଥିଲା। ବରମୁଣ୍ଡା ବସଷ୍ଟାଣ୍ଡରୁ ପ୍ରତିଦିନ ୧୨୦୦-୧୩୦୦ ଘରୋଇ ବସ୍‌ରେ ପ୍ରାୟ ୬୦ ହଜାର ଯାତ୍ରୀ ରାଜ୍ୟର ବିଭିନ୍ନ ସହର ସମେତ କୋଲକାତା, ରାୟପୁର ଆଦିକୁ ଯାଇଥାଆନ୍ତି। ସକାଳୁ ଶହ ଶହ ବସ୍‌ର ଭିଡ଼ ଲାଗୁଥିବା ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଆଜି ଭିନ୍ନ ରୂପ ଧାରଣ କରିଥିଲା। ବାତ୍ୟା ଦ୍ବାରା ବିଶେଷ ପ୍ରଭାବିତ ହେବାର ଆଶଙ୍କା ନଥିବା ବୌଦ୍ଧ, ଦେବଗଡ଼, ସୁବର୍ଣ୍ଣପୁର, ମାଲକାନଗିରି ଭଳି କିଛି ଅଞ୍ଚଳକୁ ବସ୍‌ ଯାଉଥିବା ବେଳେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପଶ୍ଚିମବଙ୍ଗ ଯାଉଥିବା ବସ୍‌ ଭିତରୁ ଅଧିକାଂଶ ବାହାରି ନାହାନ୍ତି। ସକାଳ ସମୟ‌ରେ ପ୍ରାୟ ୧୫୦ବସ୍‌ ଏହି ଜିଲ୍ଲାଗୁଡ଼ିକୁ ଯାଇଛନ୍ତି, କିନ୍ତୁ ସବୁଦିନ ଭଳି ଫେରିନାହାନ୍ତି। ଆସନ୍ତା କାଲି ମଧ୍ୟ ବସ୍‌ ଆସିବ ନାହିଁ କିମ୍ବା ଯିବନାହିଁ। ତେବେ ବାତ୍ୟା ଦ୍ବାରା ବିଶେଷ ପ୍ରଭାବିତ ହେବାର ଆଶଙ୍କା ନଥିବା ଜିଲ୍ଲାଗୁଡ଼ିକୁ ମଧ୍ୟ ଅନ୍ୟଦିନ ତୁଳନାରେ ବସ୍‌ ଅପେକ୍ଷାକୃତ କମ୍‌ ଯାଇଛି। କାରଣ ଅଧିକାଂଶ ବସ୍‌ର ଡ୍ରାଇଭର୍‌ ପ୍ରଭାବିତ ଜିଲ୍ଲାଗୁଡ଼ିକର ହୋଇଥିବାରୁ, ସେମାନଙ୍କ ଭିତରୁ ଅନେକ ନିଜ ପରିବାର ସହିତ ରହିବାଲାଗି ନିଜ ଜିଲ୍ଲାକୁ ‌ଚାଲି ଯାଇଛନ୍ତି। ବସ୍‌ ମାଲିକ ସଂଘର ସମ୍ପାଦକ ବରଦା ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ, ପାଖାପାଖି ୯୦ ପ୍ରତିଶତ ଗାଡ଼ି ଏବେ ବସ୍‌ ଷ୍ଟାଣ୍ଡ୍‌ରେ ଠିଆହୋଇ ରହିଛି। ଆସନ୍ତାକାଲି ମଧ୍ୟ ବସ୍‌ ଯାତାୟାତ ସ୍ବାଭା‌ବିକ ହେବନାହିଁ।

ବାଲିଅନ୍ତାରେ ୧୭୨ଟି ଆଶ୍ରୟସ୍ଥଳୀ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ର୍ଷା ଲାଗି ରହିବା ସହ ମଝିରେ ମଝିରେ ପବନର ବେଗ ବଢ଼ୁଛି। ସନ୍ଧ୍ୟା ୫ଟା ସୁଦ୍ଧା ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ୪ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ୮ଟି ସରକାରୀ କଲ୍ୟାଣମଣ୍ଡପରେ ବିପନ୍ନ ପରିବାର ପିଲାଛୁଆ ଓ ଗୃହପାଳିତ ପ୍ରାଣୀଙ୍କ ସହିତ ପହଞ୍ଚିଛନ୍ତି। ଏହାଛଡ଼ା ଗାଁ, ପଡ଼ା ଅଞ୍ଚଳରେ ରହିଥିବା କୋଠଘର, କ୍ଲବ, ଯୁବକ ସଂଘ ଘର ଭଳି ୧୦୦ଟି କମ୍ୟୁନିଟି ସେଣ୍ଟର ସହିତ ବିଭିନ୍ନ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ଲକ ପ୍ରଶାସନ ପକ୍ଷରୁ ୧୭୨ଟି‌ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ଗ୍ରାମ ପଞ୍ଚାୟତ ଅଧିକାରୀ ନୀଳଶୈଳ ସ୍ବାଇଁ କହିଛନ୍ତି। ଏସବୁ ଆଶ୍ରୟସ୍ଥଳୀରେ ସଂଧ୍ୟା ୬ଟା ସୁଦ୍ଧା ବିଭିନ୍ନ ପଞ୍ଚାୟତରୁ ୪୦୫ ଜଣ ବିପନ୍ନ ଆଶ୍ରୟ ନେଇଥିବା ବିଡିଓ ପବିତ୍ର କୁମାର ସାମଲ ସୂଚନା ଦେଇଛନ୍ତି। ରାତିସୁଦ୍ଧା ବିଭିନ୍ନ ଇଟାଭାଟିରେ କାମ କରୁଥିବା ଶ୍ରମିକମାନଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। ତେବେ ଆଶ୍ରୟସ୍ଥଳୀ ନିକଟରେ ବନ୍ଧା ଯାଇଥିବା ଗୃହପାଳିତ ପ୍ରାଣୀଙ୍କ ଲାଗି ପ୍ରଶାସନ ପକ୍ଷରୁ ଗୋ ଖାଦ୍ୟ ଯୋଗାଇ ଦିଆଯାଇନଥିବାରୁ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷରେ ଆଜି ଅପରାହ୍ନରେ ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସୁବାସ ଦାଶ ବାଲିଅନ୍ତା ବାତ୍ୟା ମୁକାବିଲା କାର୍ଯ୍ୟର ସମୀକ୍ଷା କରିଥଲେ। ବିଡିଓ ପବିତ୍ର କୁମାର ସାମଲ, ତହସିଲଦାର ବିମଳ କୁମାର ଲେଙ୍କା, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ସିଡିପିଓ ଖୁଲଣା ସାହୁ, ଓ ସହକାରୀ ନିର୍ବାହୀଯନ୍ତ୍ରୀ ବିଜୟ ଲକ୍ଷ୍ମୀ ପରିଡ଼ାଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.