ଭୁବନେଶ୍ୱର: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପରିସ୍ଥିତିର ସମୀକ୍ଷା କରିବା ସହିତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଗତକାଲି ମଧ୍ୟ ରାତ୍ରରୁ ଆଜି ସକାଳ ୭ଟା ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ହୋଇଛି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆମେ ଆମର  ‘ଶୂନମୃତ୍ୟୁ’ (ଜିରୋ କାଜୁଆଲ୍‌ଟି) ଲକ୍ଷ୍ୟ ହାସଲ କରିଛୁ। ବାତ୍ୟା ମୁକାବିଲାରେ ଆମେ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛୁ। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ଓ ପ୍ରଶାସନର ତତ୍ପରତା ଯୋଗୁ ପ୍ରାୟତଃ କ୍ଷୟକ୍ଷତି ଘଟି ନାହିଁ।

ରାତିରେ ପୁଣି ଥରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବାତ୍ୟା ପାଇଁ ମୋଟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ନିଜ ଘରକୁ ଯିବାକୁ ଅନୁମତି ଦିଆଯାଇଛି। ଆଉ କିଛି ସ୍ଥାନରେ ଲୋକଙ୍କ ଘର ନଷ୍ଟ ହୋଇଥିବାରୁ ସେମାନେ ଆଶ୍ରୟସ୍ଥଳୀରେ ରହିଛନ୍ତି। ଏହି ସବୁ ଆଶ୍ରୟସ୍ଥଳୀରେ ଆଜିଠୁ ଆଉ ୭ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ବାତ୍ୟାର ପ୍ରକୋପ ଲାଗି ରହିଥିବା ବେଳେ ୨୨୦୦ ଜଣ ଶିଶୁ ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ୧୮ଜଣ ମା’। ଏହି ସମସ୍ତ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁରକ୍ଷିତ ରହିଛି।

ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ

ଶ୍ରୀ ମାଝୀ କହିଥିଲେ, ଯଦିଓ ବାତ୍ୟା ଦୁର୍ବଳ ହୋଇଯାଇଛି, ତେବେ ଏହାର ପ୍ରଭାବରେ କିଛି ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗି ରହିଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି । ତେବେ ଆଜି ଅପରାହ୍ଣ ସୁଦ୍ଧା ରାସ୍ତା ଅବରୋଧକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ବାତ୍ୟା ଯୋଗୁ ଗଛ ଭାଙ୍ଗି ଯାଇଥିବାରୁ ଏସବୁ ରାସ୍ତା ଅବରୋଧ ହୋଇଥିଲା । ସେହିପରି ୨୨.୪୩ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ଇତିମଧ୍ୟରେ ୧୪.୮୦ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ୍‌ ପୁନଃଯୋଗାଣ ସମ୍ଭବପର ହୋଇପାରିଛି। କିନ୍ତୁ ପ୍ରବଳ ବର୍ଷା ଯୋଗୁ ବାକି ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଣ ହୋଇପାରିନି। ଆସନ୍ତାକାଲି ସୁଦ୍ଧା ଏହି ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି। ଆଜି ରାତି ୯ଟା ସୁଦ୍ଧା ଭଦ୍ରକ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି।

ସେହିପରି ପ୍ରାକ୍ ଆକଳନ ଅନୁସାରେ ବାତ୍ୟା ଯୋଗୁ ରାଜ୍ୟର ପ୍ରାୟ ୧.୭୫ଲକ୍ଷ ଏକର ଚାଷଜମିରେ ଫସଲ ନଷ୍ଟ ହୋଇଛି। କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ ଓ ସରକାର ସହାୟତା ଯୋଗାଇଦେବେ। ବାତ୍ୟାରେ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଅବା ଆଂଶିକ ନଷ୍ଟ ହୋଇଛି ତା’ର ଗ୍ରାଉଣ୍ଡ ସର୍ଭେ ରିପୋର୍ଟ ଆସିବା ପରେ ସେମାନଙ୍କୁ ଘର ଦିଆଯିବ ଓ ସହାୟତା ଯୋଗାଇ ଦିଆଯିବ। ଟିମ୍ ୱାର୍କ ମାଧ୍ୟମରେ ବାତ୍ୟାର ସଫଳ ମୁକାବିଲା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୌଜନ୍ୟ – ସମ୍ବାଦ