Breaking News

ଶଳାର ଗଳା କାଟି ହତ୍ୟା ମାମଲା: ‘ବିଶ୍ବାସଘାତ କଲେ, ପ୍ରତିଶୋଧ ନେଲି’

ବୁଧବାର ବିଳମ୍ବିତ ରାତିରେ ଚନ୍ଦକା ଥାନା ମେଣ୍ଢାଶାଳରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ଅଭିଯୁକ୍ତ ଲକ୍ଷ୍ମୀଧର ଦାସ(୫୯)କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି। ଭୁଜାଲି ଚୋଟରେ ଶଳା ପ୍ରଶାନ୍ତ ବିଶ୍ବାଳ(୫୦)ଙ୍କ ଗଳା କାଟି ହତ୍ୟା କରିବା‌ ସହ ନିଜ ପୁଅ ଓ ୨ପୁତୁରା(ଶଳା ପ୍ରଶାନ୍ତଙ୍କ ପୁଅ)ଙ୍କୁ...

0

ମେଣ୍ଢାଶାଳ: ବୁଧବାର ବିଳମ୍ବିତ ରାତିରେ ଚନ୍ଦକା ଥାନା ମେଣ୍ଢାଶାଳରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ଅଭିଯୁକ୍ତ ଲକ୍ଷ୍ମୀଧର ଦାସ(୫୯)କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି। ଭୁଜାଲି ଚୋଟରେ ଶଳା ପ୍ରଶାନ୍ତ ବିଶ୍ବାଳ(୫୦)ଙ୍କ ଗଳା କାଟି ହତ୍ୟା କରିବା‌ ସହ ନିଜ ପୁଅ ଓ ୨ପୁତୁରା(ଶଳା ପ୍ରଶାନ୍ତଙ୍କ ପୁଅ)ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ସ୍ବୀକାର କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ଖାରଜ ହେବାରୁ ଲକ୍ଷ୍ମୀଧରକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ଆଜି କୋର୍ଟ ଚାଲାଣ ବେଳେ ଅଭିଯୁକ୍ତ ଲକ୍ଷ୍ମୀଧରର ମୁହଁରେ ସାମାନ୍ୟତମ ଅନୁଶୋଚନା ନଥିଲା, ବରଂ ତା’ ଆଖିରୁ କ୍ରୋଧର ସ୍ଫୁଲିଙ୍ଗ ଛିଟିକି ପଡ଼ିବା ଭଳି ପ୍ରତୀୟମାନ ହେଉଥିଲା। ମନ ଭିତରେ ବହୁ ଦିନ ଧରି ଚାପିରଖିଥିବା କ୍ରୋଧକୁ ସେ ମଧ୍ୟ ସଂକ୍ଷେପରେ ଗଣମାଧ୍ୟମକୁ ସୂଚନା ଦେଇଥିଲା। ତା’ ସହିତ ସମସ୍ତେ ବିଶ୍ବାସଘାତ କରିଥିବାରୁ ସେ ପ୍ରତିଶୋଧ ନେଇଥିବା ଖୋଲାଖୋଲି କହୁଥିଲା।

ଲକ୍ଷ୍ମୀଧର ରେଳବାଇ ବିଦ୍ୟୁତ୍‌ ବିଭାଗରେ ପୁରୀରେ କାମ କରୁଥିଲେ। ମାସିକ ୬୦/୭୦ ହଜାର ଟଙ୍କା ଦରମା ପାଉଥିଲେ। ୧୯୮୯ ମସିହାରେ ବାହାଘର ପରଠୁ ସେ ଶଶୁର ଘରେ ରହୁଥିଲେ। ତାଙ୍କର ଓ ଶଳା ପ୍ରଶାନ୍ତଙ୍କର ପରିବାର ମିଶି ଗୋଟିଏ ୨ ମହଲା ବିଶି‌ଷ୍ଟ କୋଠାଘରେ ରହୁଥିଲେ। ରାଜମିସ୍ତ୍ରି କାମ କରୁଥିବା ପ୍ରଶାନ୍ତ ଓ ଲକ୍ଷ୍ମୀଧର ମିଳିତ ଭାବେ ଘର ତିଆରି କରିଥିଲେ। ଶଶୁରଘରେ ରହୁଥିଲେ ମଧ୍ୟ ଲକ୍ଷ୍ମୀଧର ନିଜ ଗାଁ ଗଙ୍ଗପଡ଼ାରେ ରହୁଥିବା ବଡ଼ଭାଇଙ୍କ ସହ ଭଲ ସମ୍ପର୍କ ରଖିଥିଲା। ଏଥିରେ କାହାର କିଛି ପ୍ରତିବାଦ କରିବାର କାରଣ ନ ଥିଲା, ଯେହେତୁ ଲକ୍ଷ୍ମୀଧରଙ୍କ ବଡ଼ଭାଇ ହିଁ ତାଙ୍କ ଦେଡ଼ଶାଶୂଙ୍କୁ ବାହା ହୋଇଥିଲେ। କିନ୍ତୁ ଲକ୍ଷ୍ମୀଧର ବଡ଼ଭାଇଙ୍କ ମୃତ୍ୟୁ ପରେ ଚିତ୍ର ବଦଳିଯାଇଥିଲା। ବଡ଼ଭାଇଙ୍କ ପରିବାରକୁ ଲକ୍ଷ୍ମୀଧର ଆର୍ଥିକ ସହଯୋଗ କରିବାରୁ ବିବାଦ ଉପୁଜିଥିଲା। ସ୍ତ୍ରୀ ସରସ୍ବତୀ, ପୁଅ ରବିନାରାୟଣ, ଏମିତିକି ଶଳା ପ୍ରଶାନ୍ତ ମଧ୍ୟ ଲକ୍ଷ୍ମୀଧରଙ୍କୁ ବିରୋଧ କରିଥିଲେ। ଗତ ପ୍ରାୟ ୪ମାସ ହେଲା ଲକ୍ଷ୍ମୀଧର ଘରକୁ ଭଲରେ ଯିବା ଆସିବା କରୁନଥିଲା। ଯେତେବେଳେ ବି ଆସୁଥିଲା ନିଶାସକ୍ତ ଅବସ୍ଥାରେ ଆସୁଥିଲା। କ୍ଷଣକୋପୀ ଲକ୍ଷ୍ମୀଧର ମନରେ ଏହାକୁ ନେଇ ଜମାଟ ବାନ୍ଧିଥିଲା ପ୍ରଚଣ୍ଡ କ୍ରୋଧ। ‌ ସମସ୍ତେ ତା’ ସହିତ ବିଶ୍ବାସଘାତ କରିଛନ୍ତି ଏବଂ ସେ ପ୍ରତିଶୋଧ ନେବ ବୋଲି ସ୍ଥିର କରିଥିଲା। ତେଣୁ ବୁଧବାର ରାତିରେ ସେ ପୁରୀରୁ ପୂରା ପ୍ରସ୍ତୁତ ହୋଇ ଫେରିଥିଲା। ଘରେ ପହଞ୍ଚି ଭୁଜାଲିରେ ଶଳା ପ୍ରଶାନ୍ତଙ୍କ ଗଳା କାଟିଦେବା ସହ ପୁଅ ରବିନାରାୟଣ, ପୁତୁରା ବାସୁଦେବ ଓ ଶୁଭମ୍‌ଙ୍କୁ ଭୁସି ପକାଇଥିଲା। ଅନ୍ତବୁଜୁଳାରେ କ୍ଷତ ସୃଷ୍ଟି ହୋଇଥିବାରୁ ବାସୁଦେବଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.