Breaking News

ରଣଜୀ ଟ୍ରଫି: ବରୋଦାକୁ ଆଦୌ ହରାଇନି ଓଡ଼ିଶା

ରଣଜୀ ଟ୍ରଫିର ଗତ ମୁକାବିଲାରେ ଜମ୍ମୁ କଶ୍ମୀରଠୁ କଳେ ବଳେ ୩ ପଏଣ୍ଟ ପାଇଥିବା ଓଡ଼ିଶା ଏବେ ପୂର୍ଣ୍ଣ ପଏଣ୍ଟ୍‌ ସନ୍ଧାନରେ ରହିଛି। ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ବାଧୀନ ଦଳ ବର୍ତ୍ତମାନ ବଡ଼ୋଦରାର ମୋତିବାଗ୍‌ ସିଂହ ଷ୍ଟାଡିୟମ୍‌ରେ ବରୋଦା ସହିତ ଶନିବାରଠାରୁ ତୃତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି।

0

ଭୁବନେଶ୍ବର: ରଣଜୀ ଟ୍ରଫିର ଗତ ମୁକାବିଲାରେ ଜମ୍ମୁ କଶ୍ମୀରଠୁ କଳେ ବଳେ ୩ ପଏଣ୍ଟ ପାଇଥିବା ଓଡ଼ିଶା ଏବେ ପୂର୍ଣ୍ଣ ପଏଣ୍ଟ୍‌ ସନ୍ଧାନରେ ରହିଛି। ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ବାଧୀନ ଦଳ ବର୍ତ୍ତମାନ ବଡ଼ୋଦରାର ମୋତିବାଗ୍‌ ସିଂହ ଷ୍ଟାଡିୟମ୍‌ରେ ବରୋଦା ସହିତ ଶନିବାରଠାରୁ ତୃତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି। ପ୍ରଥମ ଦୁଇଟି ମ୍ୟାଚ୍‌ ପରେ ଦଳ ଘୋଷଣା ହେବା ପୂର୍ବରୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତ୍ରିପୁରା ବିପକ୍ଷ ମ୍ୟାଚ୍‌ ବର୍ଷାରେ ଧୋଇ ହୋଇଯାଇଥିବାରୁ ଏହି ଦଳକୁ ଅପରିବର୍ତ୍ତିତ ରଖାଯାଇଛି। ତେବେ ବରୋଦାଠୁ ପଏଣ୍ଟ ପାଇବା ସହଜ ହେବନି। କାରଣ ଏହି ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ରେ ସର୍ଭିସେସ୍‌ ଓ ପୂର୍ବତନ ବିଜେତା ମୁମ୍ବାଇକୁ ପରାସ୍ତ କରି ୧୨ ପଏଣ୍ଟ ସହ ଗ୍ରୁପ୍‌ ଶୀର୍ଷରେ ରହିଛି। କେବଳ ଏତିକି ନୁହେଁ ଅତୀତରେ କେବେ ବି ବରୋଦା ବିପକ୍ଷରେ ଓଡ଼ିଶା ବିଜୟୀ ହୋଇପାରିନାହିଁ। ୮ ମ୍ୟାଚ୍‌ରୁ ଗୋଟିଏ ହେଲେ ଜିତିପାରିନି। ୩ ମ୍ୟାଚ୍‌ରେ ପରାଜିତ ହୋଇଥିଲା ବେଳେ ୫ ମ୍ୟାଚ୍‌ ଅମୀମାଂସିତ ରହିଛି। ଅମୀମାଂସିତ ମ୍ୟାଚ୍‌ରୁ ଓଡ଼ିଶା ମାତ୍ର ଦୁଇଥର ପାଳି ଅଗ୍ରଣୀ ପାଇଛି।

ଉଭୟ ଦଳଙ୍କ ମଧ୍ୟରେ ରଣଜୀ ସଂପର୍କ ଆରମ୍ଭ ହୋଇଥିଲା ୨୦୦୦-୦୧ ଋତୁଠୁ। ଓଡ଼ିଶା ପ୍ରଥମ ଥର ପାଇଁ ରଣଜୀ ଟ୍ରଫିର ସେମିଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ବରୋଦା କଣ୍ଟା ସାଜିଥିଲା। ବଡ଼ୋଦରାରେ ହୋଇଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ନୟନ ମୋଙ୍ଗିଆଙ୍କ ଶତକ (୧୮୧), ଜାକବ୍‌ ମାର୍ଟିନ (୮୬), ତୁଷାର ଆରୋଠେ (୮୬) ଙ୍କ ଅର୍ଦ୍ଧଶତକୀୟ ପାଳି ସହାୟତାରେ ୫୬୮ ରନ୍‌ର ବିଶାଳ ସ୍କୋର ଠିଆ କରିଥିଲା। ଦେବାଶିଷ ମହାନ୍ତି ଓ ସଂଜୟ ରାଉଳ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ୨୮୦ ରନ୍‌ରେ ଅଲ୍ଆଉଟ୍‌ ହୋଇଥିଲା। ରଶ୍ମିରଂଜନ ପରିଡ଼ା ସର୍ବାଧିକ ୯୪ ରନ୍‌ କରିଥିଲେ। କିନ୍ତୁ ଓଡ଼ିଶାକୁ ଫଲୋଅନ୍‌ ଖେଳିବାକୁ ଦେବା ବଦଳରେ ବରୋଦା ଦ୍ବିତୀୟ ପାଳି ଆରମ୍ଭ କରିବା ସହ ୪୦୯ ରନ୍‌ କରିଥିଲା। ଓଡ଼ିଶା ଦ୍ବିତୀୟ ପାଳିରେ ୩୬୧/୫ ରନ୍‌ କରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା। ସଂଜୟ ରାଉଳ ଓ ସଂଜୟ ଶତପଥୀ ଏହି ମ୍ୟାଚ୍‌ରେ ୧୦୦ତମ ରଣଜୀ ୱିକେଟ୍‌ ହାସଲ କରିଥିଲେ। ଏହାପରଠୁ ଓଡ଼ିଶା ଦ୍ବିତୀୟ ଥର ପାଇଁ କେବେ ଏଲିଟ୍‌ ଗ୍ରୁପ୍‌ର ସେମିଫାଇନାଲ୍‌ରେ ପହଞ୍ଚିପାରିନି।

ଶେ‌ଷଥର ପାଇଁ ଗତ ଋତୁରେ ହୋଇଥିବା ମୁକାବିଲାରେ ବରୋଦା ୧୪୭ ରନ୍‌ରେ ଓଡ଼ିଶାକୁ ହରାଇଥିଲା। ବରୋଦାର ପ୍ରଥମ ପାଳି ରନ୍‌ ୩୫୧କୁ ପିଛା କରି ଓଡ଼ିଶା ୧୭୮ ରନ୍‌ରେ ଅଲ୍ଆଉଟ୍‌ ହୋଇଥିଲା। ଦ୍ବିତୀୟ ପାଳିରେ ବରୋଦା ୨୫୮/୪ରେ ପାଳି ଘୋଷଣା କରିବାରୁ ଓଡ଼ିଶା ସମ୍ମୁଖରେ ୪୩୨ ରନ୍‌ର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଓଡ଼ିଶା ୨୮୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଏବେ ପୁଣି ସେହି ସମାନ ପଡ଼ିଆରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବର୍ଷ ଆରମ୍ଭରୁ ମୋତିବାଗ୍‌ ସିଂହ ଷ୍ଟାଡିୟମ୍‌ରେ ଓଡ଼ିଶାକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ଏଥର ଉପଯୁକ୍ତ ସମୟ ଆସିଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.