Breaking News

ନୂଆ ଶିଖରରେ ଭାରତୀୟ ବଂଶୋଦ୍ଭବ ମହିଳା

ଏହି ନିଯୁକ୍ତି ଏଥିପାଇଁ ବିଶେଷ ଗୁରୁତ୍ବ ବହନ କରେ ଯେ ଏହି ବିଶାଳ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର ୧୬୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ‘ସିଏଫ୍‌ଓ’ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଜଣେ ମହିଳା ନିଯୁକ୍ତ ହୋଇଛନ୍ତି।

0

ବିଶ୍ବର ଅଗ୍ରଣୀ ବ୍ୟାଙ୍କ୍‌ ‘ଏଚ୍‌ଏସ୍‌ବିସି’ର ଚିଫ୍‌ ଫାଇନାନ୍‌ସିଆଲ୍‌ ଅଫିସର୍‌ (ସିଏଫ୍‌ଓ) ଭାବେ ଭାରତୀୟ ବଂଶୋଦ୍ଭବ ପାମ୍‌ କୌରଙ୍କୁ ନିଯୁକ୍ତ କରିଛି। ଏହି ନିଯୁକ୍ତି ଏଥିପାଇଁ ବିଶେଷ ଗୁରୁତ୍ବ ବହନ କରେ ଯେ ଏହି ବିଶାଳ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର ୧୬୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ‘ସିଏଫ୍‌ଓ’ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଜଣେ ମହିଳା ନିଯୁକ୍ତ ହୋଇଛନ୍ତି। ୬୦ ବର୍ଷୀୟା ପାମ୍‌ କୌର ଆସନ୍ତା ବର୍ଷ ଜାନୁଆରି ପହିଲାରୁ ତାଙ୍କର ନୂଆ ଦାୟିତ୍ବ ଗ୍ରହଣ କରିବେ। ପାମ୍‌ ଭାରତର ପଞ୍ଜାବ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ଅର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌ (ଇଵାଇ)ରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଯୋଗ୍ୟତା ହାସଲ କରିଥିଲେ।

ଏହା ପରେ ସେ ସିଟିବ୍ୟାଙ୍କ୍‌ରୁ ନିଜର କ୍ୟାରିଅର୍‌ ଆରମ୍ଭ କରି ବିଭିନ୍ନ ଆର୍ଥିକ ଅନୁଷ୍ଠାନର ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇଥିଲେ। ୨୦୧୩ରେ ସେ ‘ଏଚ୍‌ଏସ୍‌ବିସି’ର ଇଣ୍ଟର୍ନାଲ୍‌ ଅଡିଟ୍‌ର ଗ୍ରୁପ୍‌ ହେଡ୍‌ ରୂପେ ପ୍ରଥମେ ଅବସ୍ଥାପିତ ହୋଇଥିଲେ। କ୍ରମେ ସେ ପଦୋନ୍ନତି ପାଇ ଏବେ ସିଏଫ୍‌ଓ ଭାବେ ନିଯୁକ୍ତ ହୋଇଛନ୍ତି। ଏଥି ସହିତ ସେ ବୋର୍ଡ ଅଫ୍ ଡିରେକ୍ଟର୍ସର ଏକ୍‌ଜିକ୍ୟୁଟିଭ୍‌ ଡିରେକ୍ଟର୍‌ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିବେ। ଏଚ୍‌ଏସ୍‌ବିସି କମ୍ପାନିର ଜଣେ ବିଶ୍ବସ୍ତ ଅଧିକାରୀ ହେବା ଦିଗରେ ତାଙ୍କର ଅଡିଟ୍‌, କମ୍ପ୍ଲାଏନ୍‌ସ ଓ ରିସ୍କ ମ୍ୟାନେଜ୍‌ମେଣ୍ଟ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ସହାୟକ ହୋଇଛି। ଏହି ପଦରେ ଦାୟିତ୍ବ ସମ୍ଭାଳିବା ପାଇଁ ତାଙ୍କୁ ବାର୍ଷିକ ୮.୩ କୋଟି ଟଙ୍କାରୁ ଅଧିକ ଦରମା ମିଳିବ। ଉଲ୍ଲେଖନୀୟ ଯେ ପାମ୍‌ ଅଧ୍ୟୟନ ଜାରି ରଖିବା ଓ ଦ୍ରୁତ ପରିବର୍ତ୍ତନଶୀଳ ପୃଥିବୀରେ ସଦା ଚଳଚଞ୍ଚଳ ରହିବା ଉପରେ ବିଶେଷ ଗୁରୁତ୍ବ ଦେଇଥାନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.