Breaking News

ବଢ଼ିଚାଲିଛି ଝାରପଡ଼ା ଜେଲ୍‌ ବିଭ୍ରାଟ: ତଦନ୍ତ ରିପୋର୍ଟ ଉପରେ ଡିଜିଙ୍କ ତନାଘନା

ଗ୍ୟାଙ୍ଗ୍‌ଵାର୍‌, କଏଦୀ ମୃତ୍ୟୁ, ସେଲ୍‌ ଭିତରେ ସ୍ମାର୍ଟଫୋନ୍‌ରେ ଭିଡିଓ ସୁଟ୍, ଜେଲର୍‌ ଓ ୱାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ ଭଳି ବିଭ୍ରାଟ ସବୁକୁ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷ ଅଡ଼ୁଆରେ। ଦିନକୁ ଦିନ ବିଭିନ୍ନ ପ୍ରକାରର ନୂଆନୂଆ ବିଭ୍ରାଟ ଦେଖିବାକୁ ମିଳିଛି।

0

ଭୁବନେଶ୍ବର: ଗ୍ୟାଙ୍ଗ୍‌ଵାର୍‌, କଏଦୀ ମୃତ୍ୟୁ, ସେଲ୍‌ ଭିତରେ ସ୍ମାର୍ଟଫୋନ୍‌ରେ ଭିଡିଓ ସୁଟ୍, ଜେଲର୍‌ ଓ ୱାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ ଭଳି ବିଭ୍ରାଟ ସବୁକୁ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷ ଅଡ଼ୁଆରେ। ଦିନକୁ ଦିନ ବିଭିନ୍ନ ପ୍ରକାରର ନୂଆନୂଆ ବିଭ୍ରାଟ ଦେଖିବାକୁ ମିଳିଛି। ସ୍ଥିତି ଏମିତି ହେଲାଣି, ଯେମିତି କାରାଗାର କଏଦୀଙ୍କ ପାଇଁ ଏକ କ୍ଲବ୍‌ ଘର ବା ମଉଜ ମଜଲିସିର କ୍ଷେତ୍ର। ବଡ଼ କଥା ହେଉଛି, ପ୍ରତ୍ୟେକ ବିଭ୍ରାଟ ପରେ ବିଭାଗୀୟ ତଦନ୍ତ କରାଯାଉଛି। ମାତ୍ର ତଦନ୍ତ ରିପୋର୍ଟ ସେମିତି ଫାଇଲ ଭିତରେ ରୁନ୍ଧିହୋଇ ରହୁଛି। ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ପୁଣି ନୂଆ ବିଭ୍ରାଟ ସୃଷ୍ଟି ହେଉଛି। ଏବେ ଜେଲ୍‌ ଡିଜି ଅରୁଣ ରାୟ ଏସବୁ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି। ସମସ୍ତ ବିଭାଗୀୟ ତଦନ୍ତ ରିପୋର୍ଟକୁ ନେଇ ତନାଘନା ଚଳାଇଛନ୍ତି। ତେଣୁ ଖୁବ୍‌ ଶୀଘ୍ର କିଛି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ହେବା ନେଇ ଆଭାସ ମିଳିଲାଣି। ଜେଲ୍‌ ଭିତରେ କେଉଁଠି ପରିଚାଳନାଗତ ତ୍ରୁଟି ରହିଛି, ସେସବୁକୁ ତୁରନ୍ତ ସଜାଡ଼ିବା ଲକ୍ଷ୍ୟରେ ଡିଜି ଶ୍ରୀ ରାୟ ତତ୍ପର ଥିବା ସୂଚନା ମିଳିଛି।

୨୦୨୪ ମାର୍ଚ୍ଚ ୨। ଜେଲ୍‌ ଭିତରେ ଘଟିଥିଲା ଏକ ଗ୍ୟାଙ୍ଗ୍‌ଵାର। ଚୋରି, ଡକାୟତି ଭଳି ସଂଗିନ୍‌ ଅପରାଧରେ ଗିରଫ ହୋଇ ଜେଲ୍‌ରେ ଥିବା ଚକରା ବାରିକ ଓ ତା’ର ସହଯୋଗୀଙ୍କ ଆକ୍ରମଣରେ ବିଚାରାଧୀନ ବନ୍ଦୀ ଶମ୍ଭୁନାଥ ବାରିକ ଗୋଷ୍ଠୀ ଆହତ ହୋଇଥିଲେ। ସେତେବେଳେ ଜେଲ୍‌ ଭିତରର ସୁରକ୍ଷା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠିଥିଲା। ଏହି ଘଟଣାରେ ଜଣେ ଡିଆଇଜି ତଦନ୍ତ କରି ରିପୋର୍ଟ ଦେଲେ। ମାତ୍ର ସେ କି ରିପୋର୍ଟ ଦେ‌ଲେ ଏବଂ ତା’ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଗଲା, ତାହା ଜଣାପଡ଼ିଲା ନାହିଁ। ୨୦୨୪ ସେପଟେମ୍ବର ୨ରେ ପୁଣି ଘଟିଲା ଏକ ଗୋଷ୍ଠୀଗତ ଗଣ୍ଡ‌ଗୋଳ। ଜେଲ୍‌ ଭିତରକୁ ନିଶା ଓ ମୋବାଇଲ ଫୋନ୍‌ ଯାଇପାରୁଥିବା ରହସ୍ୟର ଗୁମର ଖୋଲିବାରୁ ଜଣେ ବିଚ‌ାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତି ଆକ୍ରମଣର ଶିକାର ହୋଇଥିଲେ। ଜଣେ ଗ୍ୟାଙ୍ଗ୍‌ଷ୍ଟର ପୁଅ ଗୋଷ୍ଠୀର ଗୁମର ଖୋଲିଥିବା ବନ୍ଦୀଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ। ଏହି ଘଟଣାରେ ମଧ୍ୟ ଜେଲ୍‌ ଡିଆଇଜି ତଦନ୍ତ କରି ରିପୋର୍ଟ ଦେଇଥିଲେ। ଜେଲ୍‌ କର୍ମଚାରୀଙ୍କ ଅବହେଳାରୁ ଗୋଷ୍ଠୀ ସଂଘର୍ଷ ଘଟୁଛି ଏବଂ ଜେଲ୍‌ କର୍ତ୍ତୃପକ୍ଷ ପୂର୍ବାଭାସ ପାଉନାହାନ୍ତି ବୋଲି ଚର୍ଚ୍ଚା ହୋଇଥିଲା।

ମାତ୍ର ଜେଲ୍‌ ଡିଆଇଜିଙ୍କ ତଦନ୍ତ ରିପୋର୍ଟ କ’ଣ ଏବଂ ତା ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା, ସେସବୁ ଫାଇଲ୍‌‌ରେ ହିଁ ରହିଗଲା। ଏହାପରେ ଗତ ସପ୍ତାହରେ ଆସିଲା ବଡ଼ ଭୟଙ୍କର ଚିତ୍ର। ବ୍ରାଉନ୍‌ସୁଗାର ମାଫିଆ ନନ୍ଦୁ ଗୋଷ୍ଠୀର ଆକ୍ରମଣର ଶିକାର ହେଲେ ଖୋଦ୍‌ ଜେଲ୍‌ ଅଧିକାରୀ ଓ କର୍ମଚାରୀ। ଜେଲର୍‌ ପ୍ରସନ୍ନ ସାହୁଙ୍କୁ ୫କଏଦୀ ବ୍ଲେଡ୍‌ରେ ଆକ୍ରମଣ କରିବା ସହ ମୁଣ୍ଡକୁ ପିଟି ଦେଇଥିଲେ। ସେହିଭଳି ୨ୱାର୍ଡର ରାଜେଶ ପାତ୍ର ଓ ପୃଥିବୀ ବେହେରା ମଧ୍ୟ ବ୍ଲେଡ୍‌ ଆକ୍ରମଣରେ ରକ୍ତ‌ାକ୍ତ ହୋଇଥିଲେ। ପୂର୍ବରୁ ଘଟିଥିବା ଦୁଇ ଦୁଇଟି ଗଣ୍ଡଗୋଳରୁ ଜେଲ୍‌ କର୍ତ୍ତୃପକ୍ଷ କିଛି ଶିକ୍ଷା ଗ୍ରହଣ କଲେ ନାହିଁ ବୋଲି ବାରମ୍ବାର ବିଭ୍ରାଟ ହେଉଛି ବୋଲି ଅଭିଯୋଗ ହେଉଛି। ଜେଲ୍‌ କର୍ତ୍ତୃପକ୍ଷଙ୍କ ଉଦାସୀନତା କାରଣରୁ ‌ଶେଷରେ ନିଜେ ଜେଲ୍‌ କର୍ମଚାରୀମାନେ ବି ଆହତ ହେଲେ। ପ୍ରଶ୍ନ ଉଠୁଛି, କଏଦୀମାନେ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବାକୁ କିଭଳି ସାହସ କରୁଛନ୍ତି? ସେମାନଙ୍କୁ ସୁଯୋଗ ମିଳୁଛି କିଭଳି? ଏସବୁ ଉପରେ ଏବେ ଜେଲ୍‌ ଡିଜି ଶ୍ରୀ ରାୟ ଛାନ୍‌ଭିନ୍‌ କରୁଛନ୍ତି। ତେଣୁ ଆଗକୁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.