Breaking News

ରିଟର୍ଣ୍ଣରେ ସୁନାକୁ ଟପିଯିବ ରୁପା: କେଜି ୧,୨୫,୦୦୦ ଟଙ୍କା ହେବ

ନିବେଶକମାନଙ୍କୁ ରିଟର୍ଣ୍ଣ ଦେବାରେ ପାରମ୍ପରିକ ମୂଲ୍ୟବାନ ଧାତୁ ସୁନାକୁ ରୁପା ଏଥର ଅତିକ୍ରମ କରିଯିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ୨୦୨୪ରେ ରୁପା ୪୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇସାରିଲାଣି।

0

ନୂଆଦିଲ୍ଲୀ: ନିବେଶକମାନଙ୍କୁ ରିଟର୍ଣ୍ଣ ଦେବାରେ ପାରମ୍ପରିକ ମୂଲ୍ୟବାନ ଧାତୁ ସୁନାକୁ ରୁପା ଏଥର ଅତିକ୍ରମ କରିଯିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ୨୦୨୪ରେ ରୁପା ୪୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇସାରିଲାଣି। ଏହାର କେଜି ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ଏକ ଲକ୍ଷ ଟଙ୍କା ସ୍ତର ଟପିସାରିଛି। ଆଗାମୀ ଦିନରେ ଏହାର ଦାମ୍ ୧,୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ମୋତିଲାଲ ଓସ୍ବାଲ୍ ଫାଇନାନ୍ସିଆଲ୍ ସର୍ଭି‌ସେସ୍ ଲିମିଟେଡ୍‌ ଆକଳନ କରିଛି। ରୁପା ହେଉଛି ଏଭଳି ଏକ ଧାତୁ ଯାହା ଗହଣା ବଜାରଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ବିଭିନ୍ନ କାମରେ ବ୍ୟବହାର ହେଉଛି। ବିଶେଷ କରି ଇଲେକ୍ଟ୍ରିକ୍ ଯାନ ଓ ସୌର ଶକ୍ତି ପ୍ରକଳ୍ପରେ ରୁପା ଅଧିକ ମାତ୍ରାରେ ବ୍ୟବହାର ହେଉଛି। ଲୋକମାନେ ତାହାକୁ ଗହଣା ଓ ବିଭିନ୍ନ ସାମଗ୍ରୀ ଆକାରରେ ମଧ୍ୟ ବ୍ୟବହାର କରୁଛନ୍ତି। ମୋତିଲାଲ ଓସ୍ବାଲ୍ ଆକଳନ କରିଛି ଯେ ମଧ୍ୟମକାଳୀନଭିତ୍ତିରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୧ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଦୀର୍ଘକାଳୀନଭିତ୍ତିରେ ୮୬୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍‌ ଦୀର୍ଘକାଳୀନଭିତ୍ତିରେ ୩୦୦୦ ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

ନିବେଶକଙ୍କୁ ରିଟର୍ଣ୍ଣ ଦେବାରେ ସୁନା ଅନ୍ୟ ସବୁ ଧାତବ ପଦାର୍ଥଠାରୁ ସର୍ବଦା ଆଗରେ ରହିଛି। କିନ୍ତୁ ଚଳିତ ବର୍ଷ ସୁନା ଯେତିକି ରିଟର୍ଣ୍ଣ ଦେଉଛି, ରୁପା ସେହି ସମାନ ଧରଣର କିମ୍ବା ତା’ଠାରୁ ଅଧିକ ରିଟର୍ଣ୍ଣ ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଚଳିତ ବର୍ଷ ସୁନା ମଧ୍ୟ ଭଲ ରିଟର୍ଣ୍ଣ ଦେଇଛି। ବାର୍ଷିକ ଭିତ୍ତିରେ ଏହା ୩୦ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରିଛି। ମୋତିଲାଲ ଓସ୍ବାଲ୍‌ର କମୋଡିଟି ରିସର୍ଚ୍ଚ ଆନାଲିଷ୍ଟ ମାନବ ମୋଦୀ କହିଛନ୍ତି ଯେ ବଜାରରେ ଅସ୍ଥିରତା, ସୁଧ ହାର ହ୍ରାସକୁ ନେଇ ଅନିଶ୍ଚିତତା, ଚାହିଦାରେ ବୃଦ୍ଧି, ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା, ଆମେରିକାର ରାଷ୍ଟ୍ରପତି ନିର୍ବାଚନ, ଭୂରାଜନୈତିକ ସଙ୍କଟ ଭଳି କାରଣ ପାଇଁ ସୁନା ରୁପାର ଚାହିଦା ବୃଦ୍ଧି ପାଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.