Breaking News

୧୧୫ତମ ମନ୍ କୀ ବାତ୍‌: ଡିଜିଟାଲ୍‌ ଗିରଫଦାରୀରୁ ବର୍ତ୍ତିବା ମନ୍ତ୍ର ଦେଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ରାଷ୍ଟ୍ରୀୟ ବୀର- ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଭଗବାନ ବିର୍ସା ମୁଣ୍ଡାଙ୍କୁ ସମ୍ମାନ ଜଣାଇ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ୧୧୫ତମ ‘ମନ୍ କୀ ବାତ୍’ ଅଭିଭାଷଣ ଦେଇଛନ୍ତି।

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ରାଷ୍ଟ୍ରୀୟ ବୀର- ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଭଗବାନ ବିର୍ସା ମୁଣ୍ଡାଙ୍କୁ ସମ୍ମାନ ଜଣାଇ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ୧୧୫ତମ ‘ମନ୍ କୀ ବାତ୍’ ଅଭିଭାଷଣ ଦେଇଛନ୍ତି। ତାଙ୍କ ସରକାର ଦୁଇ ବରପୁତ୍ରଙ୍କ ୧୫୦ତମ ଜୟନ୍ତୀ ପାଳନ କରିବ ବୋଲି ସେ ଘୋଷଣା କରିଛନ୍ତି। ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ-ବର୍ଷ ଅକ୍ଟୋବର ୩୧ରୁ ଆରମ୍ଭ ହେବ। ଏହାପରେ ନଭେମ୍ବର ୧୫ରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ-ବର୍ଷ ଆରମ୍ଭ ହେବ। ଏହି ଦୁଇ ମହାପୁରୁଷଙ୍କର ସମାନ ଦୃଷ୍ଟିକୋଣ ଥିଲା। ତାହା ହେଲା ‘ଦେଶର ଏକତା’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏହି ଅବସରରେ ଡିଜିଟାଲ ଆରେଷ୍ଟ ଭଳି ସାଇବର ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଏ ନେଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ବିପଦର ମୁକାବିଲା ପାଇଁ ସେ ଏକ ତ୍ରିମୁଖୀ ମନ୍ତ୍ର ପ୍ରଦାନ କରିଛନ୍ତି। ତାହା ହେଲା ‘‘ଷ୍ଟପ୍ (ରୁହ), ଥିଙ୍କ୍ (ଭାବ) ଓ ଟେକ୍ ଆକ୍ସନ (କାର୍ଯ୍ୟାନୁଷ୍ଠାନ ନିଅ)।’’ ପ୍ରଧାନମନ୍ତ୍ରୀ ମୋଦୀ ଲୋକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍ସିଦ୍ୱାରା ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କିନ୍ତୁ ‘ଡିଜିଟାଲ ଗିରଫ’ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ସଚେତନତା ଜରୁରୀ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହାକୁ ବୁଝିବା ଆପଣମାନଙ୍କ ପାଇଁ ଜରୁରୀ। ଅପରାଧୀମାନେ ମୁଖ୍ୟତଃ ୩ଟି ସୂତ୍ରକୁ ଏ କ୍ଷେତ୍ରରେ ଆପଣାଇ ଥାନ୍ତି। ପ୍ରଥମ ସୂତ୍ର ହେଲା-ଆପଣଙ୍କ ବ୍ୟକ୍ତିଗତ ସୂଚନା।

ଆପଣଙ୍କ ବ୍ୟକ୍ତିଗତ ସୂଚନା ଏହି  ଅପରାଧୀମାନେ ସଂଗ୍ରହ କରନ୍ତି। ତେଣୁ ନ ବୁଝି ନ ଶୁଝି କାହାକୁ ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ। ଦ୍ବିତୀୟ ସୂତ୍ର ହେଲା ଭୟର ବାତାବରଣ। ୟୁନିଫର୍ମ, ସରକାରୀ କାର୍ଯ୍ୟାଳୟ ସେଟଅପ୍, ଆଇନଗତ ଧାରା ଆଦିକୁ ବ୍ୟବହାର କରି ଏହି ବ୍ୟକ୍ତିମାନେ ଆପଣଙ୍କୁ ଏମିତି ଭୟଭୀତ କରିବେ ଯେ ଆପଣ ଚିନ୍ତା ମଧ୍ୟ କରିପାରିବେ ନାହିଁ। କିନ୍ତୁ ଆପଣ ଡରି ନ ଯାଇ ଭଲଭାବେ ଚିନ୍ତା କରି ପରିସ୍ଥିତିକୁ ବୁଝନ୍ତୁ। ତୃତୀୟ ସୂତ୍ର ହେଲା- ସମୟ ଚାପ… ଏମାନେ ମାନସିକ ଚାପ ସୃଷ୍ଟି କରନ୍ତି। ଆପଣ ଚାପର ବଶବର୍ତ୍ତୀ ନ ହୋଇ ପୁଲିସର ସାହାଯ୍ୟ ନେବା ସହ ନିଜେ ସତର୍କ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.