Breaking News

ମହାନଦୀ ଜଳବିବାଦ: ଆପୋସ ସମାଧାନ କେବେ?

ଚଳିତବର୍ଷ ଅଣମୌସୁମୀ ଋତୁର ମାସେ ନପୂରୁଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସାଢ଼େ ୩ ଫୁଟରୁ ଅଧିକ ଖସି ସାରିଲାଣି। ଆଗକୁ ବଡ଼ ବର୍ଷା ନହେଲେ ଜଳଭଣ୍ଡାରର ଜଳସ୍ତର ସାଂଘାତିକ ଭାବେ ହ୍ରାସ ପାଇବ।

0

 

ଝାରସୁଗୁଡ଼ା: ଚଳିତବର୍ଷ ଅଣମୌସୁମୀ ଋତୁର ମାସେ ନପୂରୁଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସାଢ଼େ ୩ ଫୁଟରୁ ଅଧିକ ଖସି ସାରିଲାଣି। ଆଗକୁ ବଡ଼ ବର୍ଷା ନହେଲେ ଜଳଭଣ୍ଡାରର ଜଳସ୍ତର ସାଂଘାତିକ ଭାବେ ହ୍ରାସ ପାଇବ। ଫଳରେ ହୀରାକୁଦରୁ ଜଳ ବିଦ୍ୟୁତ୍‌ ଉତ୍ପାଦନ, ଜଳସେଚନ ଠପ୍‌ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏବେ ରାଜ୍ୟ ଓ କେନ୍ଦ୍ରରେ ବିଜେପିର ସରକାର ଥିବା ବେଳେ ଛତିଶଗଡ଼ରେ ବି ବିଜେପି ସରକାର। ତେଣୁ ଦଶନ୍ଧି ପୁରୁଣା ଏହି ଜଳ ବିବାଦ ମାମଲା ଆପୋସ ଆଲୋଚନାରେ ସମାଧାନ ହେବା ନେଇ ଆଶାବ୍ୟକ୍ତ କରାଯାଉଥିଲା। ଇତିମଧ୍ୟରେ ନୂଆ ସରକାରକୁ ୧୪୦ ଦିନ ପୂରିଥିବା ସତ୍ତ୍ବେ ଏ ଦିଗରେ କୌଣସି ଉଦ୍ୟମ ଆରମ୍ଭ ହୋଇପାରିନି। ଏଭଳି ସ୍ଥିତିରେ ସମାଧାନ ପାଇଁ ସରକାର କେବେ ପଦକ୍ଷେପ ନେବେ, ତାକୁ ନେଇ ପ୍ରଶ୍ନ ଉଠିଛି।

ଆଜିର ଦିନରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୪୩ ଫୁଟ ରହିଛି। ଯାହା ବିଗତ ୫ ବର୍ଷରେ ଜଳଭଣ୍ଡାରର ଜଳସ୍ତରର ସର୍ବନିମ୍ନ ସ୍ଥିତି। ୨୦୨୩ରେ ଆଜି ଦିନରେ ଜଳଭଣ୍ଡାରର ଜଳସ୍ତର ୬୨୮.୩୧ ଫୁଟ ରହିଥିଲା ବେଳେ ୨୦୨୨ରେ ୬୨୯.୪୫ ଫୁଟ ଥିଲା। ସେହିପରି ୨୦୨୧ ମସିହାରେ ୬୨୯.୭୯ ଫୁଟ ଓ ୨୦୨୦ ମସିହାରେ ଜଳସ୍ତର ୬୨୯.୭୭ ଫୁଟ ରହିଥିଲା। ଚଳିତବର୍ଷ ଅଣ‌ ମୌସୁମୀ ଋତୁ (ଅକ୍ଟୋବର ପହିଲାରୁ) ଆରମ୍ଭ ହେବା ପରଠାରୁ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ହ୍ରାସ ପାଉଛି। ଯାହାର ସିଧାସଳଖ ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭରଶୀଳ ବୁର୍ଲା ପାୱାର ହାଉସ୍‌ ଉପରେ ପଡ଼ୁଛି। ଏହି ଧାରାରେ ଜଳସ୍ତର ହ୍ରାସ ପାଇଲେ ଆଗକୁ ବରଗଡ଼ ଓ ଶାସନ କେନାଲରେ ମଧ୍ୟ ପାଣି ଛାଡ଼ିବା ଉପରେ କଟକଣା ଜାରି ହୋଇପାରେ।

ଛତିଶଗଡ଼ ସରକାର ମହାନଦୀ ଓ ଏହାର ଶାଖା ନଦୀ ଉପରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଚାଲିଥିବା ବେଳେ ଓଡ଼ିଶା ପଟକୁ ପାଣି ଆସିବା କମି ଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀକୁ ନେଇ ଲାଗି ରହିଥିବା ଜଳ ବିବାଦର ଫଇସଲା ପାଇଁ ୨୦୧୮ ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ୨୦୨୩ ମେ’ ମାସରେ ଅର୍ଥାତ୍‌ ଟ୍ରିବ୍ୟୁନାଲ ଗଠନର ୫ ବର୍ଷ ପରେ ଏହାର ସଦସ୍ୟମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ୨୦୨୩ ନଭେମ୍ବରରୁ ଏହି ମାମଲାର ଶୁଣାଣି ବି ଆରମ୍ଭ ହୋଇଛି। କିନ୍ତୁ ଗତ ମାର୍ଚ୍ଚ ମାସରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଥିବା ଜଷ୍ଟିସ୍‌ ଏଏମ୍‌ ଖାନୱିଲକରଙ୍କୁ ସରକାର ଲୋକପାଳ କମିଟିର ଅଧ୍ୟକ୍ଷ କରିବା ପରେ ଟ୍ରିବ୍ୟୁନାଲର ଏହି ପଦ ଖାଲି ପଡ଼ିଛି। ଫଳସ୍ବରୂପ ଜଳ ବିବାଦ ମାମଲାରେ ପରବର୍ତ୍ତୀ ଶୁଣାଣି କେବେ ହେବ, ସେ ସଂପର୍କରେ କୌଣସି ଠୋସ୍‌ ସୂଚନା ଆସିପାରୁନି।

ଟ୍ରିବ୍ୟୁନାଲ ସଦସ୍ୟଙ୍କ କ୍ଷେତ୍ର ପରିଦର୍ଶନ ପରଠାରୁ ଛତିଶଗଡ଼ ସରକାର ଉପର ମୁଣ୍ଡରେ ଏକାଧିକ ନୂଆ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିବା ଜଣାପଡ଼ିଛି। ଫଳସ୍ବରୂପ ମହାନଦୀ ଓଡ଼ିଶା ସୀମାରେ ପ୍ରବେଶ କରିବା ପୂର୍ବରୁ ହିଁ ଶୁଖିଲା ‌ପଡ଼ୁଛି। ଗତମାସରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍‌ ପାଟିଲ ଓଡ଼ିଶା ଗସ୍ତ କରିଥିଲେ। ମହାନଦୀ ଜଳ ବିବାଦ ମାମଲାର ସମାଧାନ ଖୁବ୍‌ ଶୀଘ୍ର ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଯଦି ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ମହାନଦୀ ତଳମୁଣ୍ଡର କ୍ଷେତଗୁଡ଼ିକ ଶୁଷ୍କ ରହିବା ସାଙ୍ଗକୁ ଲୋକେ ପାଣି ମୁନ୍ଦାଏ ମଧ୍ୟ ପାଇବା କଷ୍ଟକର ହୋଇପଡ଼ିବ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.