Breaking News

‘ବାତ୍ୟା ଆମକୁ ଦୋହଲାଇ ପାରିବନାହିଁ’

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ରୋକିବାର କୌଣସି ସ୍ଥାୟୀ ପ୍ରତିକାର ନାହିଁ। ହେଲେ ସମସ୍ତଙ୍କ ଉଦ୍ୟମରେ ଏହାର ପ୍ରଭାବକୁ କମ କରାଯାଇପାରିବ। ସରକାରଙ୍କ ତରଫରୁ ଆଗାମୀ ବିପର୍ଯ୍ୟୟର ପରିଚାଳନା କରିବା ପାଇଁ ରାଜଧାନୀରେ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଖୋଲାଯିବାର ଯୋଜନା ରହିଛି।

0

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ରୋକିବାର କୌଣସି ସ୍ଥାୟୀ ପ୍ରତିକାର ନାହିଁ। ହେଲେ ସମସ୍ତଙ୍କ ଉଦ୍ୟମରେ ଏହାର ପ୍ରଭାବକୁ କମ କରାଯାଇପାରିବ। ସରକାରଙ୍କ ତରଫରୁ ଆଗାମୀ ବିପର୍ଯ୍ୟୟର ପରିଚାଳନା କରିବା ପାଇଁ ରାଜଧାନୀରେ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଖୋଲାଯିବାର ଯୋଜନା ରହିଛି। ଯେଉଁଥିରେ ବିପର୍ଯ୍ୟୟ ପରିଚାଳନା ସହିତ ଜଡ଼ିତ ସମସ୍ତ ବିଭାଗକୁ ଏକାଠି କରାଯିବ। ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ମହାବାତ୍ୟାର ୨୫ ବର୍ଷ ପୂର୍ତ୍ତି ଅବସରରେ ହୋଟେଲ ଶୀତଲରେ ଆୟୋଜିତ ପୁସ୍ତକ ଓ ସଙ୍ଗୀତ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହିତ ବାତ୍ୟା ‘ଦାନା’ର ସଫଳତା କେବଳ ଆମ ସରକାରର ନୁହେଁ ବରଂ ଶିବାନୀ ମଣ୍ଡଳ ପରି ଲକ୍ଷ ଲକ୍ଷ ସାହସୀ ଓଡ଼ିଆଙ୍କର ବୋଲି ମନ୍ତ୍ରୀ କହିଥିଲେ। ଆମର ସମାଜ ବିଶ୍ବରେ ସବୁଠୁ ଶକ୍ତିଶାଳୀ ସମାଜ, ଏଣୁ ବାତ୍ୟା ଆମକୁ ଦୋହଲାଇ ପାରିବ ନାହିଁ ବୋଲି ସେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଯୋଗଦେଇ ୧୯୯୯ ମହାବାତ୍ୟା ହଜାର ହଜାର ଓଡ଼ିଆଙ୍କର ମୃତ୍ୟୁ ତିଥି ବୋଲି କହିଥିଲେ। ଏଣୁ ଆଜିର ଦିନଟି ସେମାନଙ୍କ ତର୍ପଣ ଓ ଅର୍ପଣ କରିବାର ଦିନ ବୋଲି ମତ ପ୍ରକାଶ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଆମକୁ ବୃକ୍ଷ ଓ ଜଙ୍ଗଲର ମହାନତା ଶିଖାଇଛି। ତେଣୁ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ହେନ୍ତାଳ ବଣ ଓ ଲୁଣା ଜଙ୍ଗଲ ସଂରକ୍ଷଣର ନିରନ୍ତର ପ୍ରକ୍ରିୟା ଚାଲିବା ଆବଶ୍ୟକ ବୋଲି କହିଥିଲେ।

ଅନ୍ୟତମ ଅତିଥି ଭାବେ କୃଷି ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ। ହେନ୍ତାଳବଣ କ୍ଷୟ ଓ ଜଙ୍ଗଲ ନଷ୍ଟ ଆଗକୁ ସାମୁଦ୍ରିକ ବିପତ୍ତି ଓ ଭୂସ୍ଖଳନ ପରି ନୂଆ ବିପତ୍ତି ଡାକିଆଣିବ ବୋଲି ସେ ଚେତାଇ ଦେଇଥିଲେ। ତେଣୁ ଏବେଠାରୁ ପାହାଡ଼ର ସବୁଜିମା ସଂରକ୍ଷଣ ଓ ହେନ୍ତାଳବଣ ବୃଦ୍ଧି ପ୍ରତି ସଚେତନ ହେବାକୁ ଶ୍ରୀ ପାଢ଼ୀ ଆହ୍ବାନ ଦେଇଥିଲେ।

ଏହି ଅବସରରେ ଚିରଶ୍ରୀ ଇନ୍ଦ୍ରସିଂହଙ୍କ ସଂପାଦନାରେ ଗଳ୍ପ ସଙ୍କଳନ ‘ବାତ୍ୟା’ ଓ ଭାସ୍କର ପରିଚ୍ଛାଙ୍କ ଗବେଷଣା ଓ ତଥ୍ୟ ସମ୍ବଳିତ ପୁସ୍ତକ ‘ସାଇକ୍ଲୋନ୍ସ ଇନ୍ ଓଡ଼ିଶା’ ଉନ୍ମୋଚିତ ହୋଇଥିଲା। ଏଥିସହିତ ଅନୁଷ୍ଠାନ ପକ୍ଷରୁ ‘ବିପତ୍ତି ସଙ୍ଗୀତ’ ଲୋକାର୍ପିତ ହୋଇଥିଲା। ଶୁଭ୍ରାଂଶୁ ପଣ୍ଡା ଏହାର ପରିକଳ୍ପନା ଓ ଗୀତ ରଚନା କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର। କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ |

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.