Breaking News

ବାଣ ଖୁସି ପାଇଁ ବାୟୁମଣ୍ଡଳ ବିଷ: ୭ ସହର ମଧ୍ୟମ ଧରଣ ପ୍ରଦୂଷିତ

ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାହୁ ପ୍ରଦୂଷଣ ସ୍ଥିତି ସାଂଘାତିକ ରୂପ ନେଇଛି। ପଡ଼ୋଶୀ ରାଜ୍ୟମାନଙ୍କରେ ନଡ଼ାପାଳ ପୋଡ଼ି ଜାରି ରହିଥିବା ବେଳେ ଦିନକ ମଧ୍ୟରେ ଦିଲ୍ଲୀ ପ୍ରଦୂଷଣରେ ୩୬ ପ୍ରତିଶତ ବୃଦ୍ଧି ହୋଇଛି।

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାହୁ ପ୍ରଦୂଷଣ ସ୍ଥିତି ସାଂଘାତିକ ରୂପ ନେଇଛି। ପଡ଼ୋଶୀ ରାଜ୍ୟମାନଙ୍କରେ ନଡ଼ାପାଳ ପୋଡ଼ି ଜାରି ରହିଥିବା ବେଳେ ଦିନକ ମଧ୍ୟରେ ଦିଲ୍ଲୀ ପ୍ରଦୂଷଣରେ ୩୬ ପ୍ରତିଶତ ବୃଦ୍ଧି ହୋଇଛି। ସମଗ୍ର ଦିଲ୍ଲୀକୁ  ଆଜି ସକାଳେ ଘନ ଧୂଆଁ  ମିଶ୍ରିତ କୁହୁଡ଼ି ଆଚ୍ଛାଦିତ  କରି ରଖିଥିବା ବେଳେ ସକାଳ ସାଢ଼େ ୮ଟା ସୁଦ୍ଧା ଅଧିକାଂଶ ୮ଟି ଅଞ୍ଚଳରେ  ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୦ରୁ ଅଧିକ ରହିଥିଲା।  ଦୀପାବଳିର ଦୁଇ ଦିନ ପରେ ରବିବାର  ପୂର୍ବାହ୍‌ଣ ସାଢ଼େ ୧୦ଟା ସୁଦ୍ଧା ଜାତୀୟ ରାଜଧାନୀର ଅର୍ଦ୍ଧାଧିକ ଅଂଚଳରେ ବାୟୁ ପ୍ରଦୂଷଣ ସ୍ତର ‘ସାଂଘାତିକ’ଶ୍ରେଣୀରେ ରହିଥିବାରୁ ଆଗକୁ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି।  ଏଭଳି ସ୍ଥିତି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।   ଦିଲ୍ଲୀ-ଏନ୍‌ସିଆର୍‌ରେ ପିଏମ୍ ୨.୫ ସ୍ତର  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ୫୦ ଗୁଣ ଅଧିକ ରହିଛି।  ୧୨ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏକ୍ୟୁଆଇ ୧୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇବାରୁ ଆଗକୁ ‘ସାଂଘାତିକ’ ସ୍ଥିତି ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ଦିନକରେ ଏକ୍ୟୁଆଇ   ୩୨୭ରୁ ୪୪୭କୁ ବୃଦ୍ଧି ପାଇଛି। ଶନିବାର ରାତି ୯ଟା ସୁଦ୍ଧା ଦିଲ୍ଲୀର ଏକ୍ୟୁଆଇ ଅଧିକାଂଶ ଅଞ୍ଚଳରେ ୩୨୭ ରେକର୍ଡ କରାଯାଇଥିଲା ଆନନ୍ଦ ବିହାର ଭଳି ଅଞ୍ଚଳରେ ସକାଳ ସାଢ଼େ ୮ଟା ପରେ ଏକ୍ୟୁଆଇ ୫୦୦ ଉପରେ ରହିଥିଲା।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ପ୍ରକାଶିତ ଜାତୀୟ ଏକ୍ୟୁଆଇ  ତଥ୍ୟ ପ୍ରଦାନ କରୁଥିବା ସମୀର ଆପ୍ ଅନୁଯାୟୀ ଅଲିପୁର, ଆନନ୍ଦ ବିହାର, ଅଶୋକ ବିହାର, ଆୟା ନଗର, ବୱାନା, ବୁରାରି, ମଥୁରା ରୋଡ୍, ଆଇଜିଆଇ ବିମାନବନ୍ଦର, ଦ୍ୱାରକା, ଜାହାଙ୍ଗୀରପୁରୀ, ମୁଣ୍ଡକା, ନରେଲା, ପାଟପରଗଞ୍ଜ, ରୋହିଣୀ, ଶାଦିପୁର, ସୋନିଆ ବିହାର, ୱାଜିରପୁର, ମନ୍ଦିର ମାର୍ଗ, ନେହେରୁ ନଗର, ନଜଫଗଡ଼ ଏବଂ ଅନ୍ୟ  ପାଣିପାଗ ମନିଟରିଂ ଷ୍ଟେସନରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି।  ସିପିସିବି ଅନୁଯାୟୀ ଦୀପାବଳି ପାଳନର ଗୋଟିଏ ଦିନ ପରେ ଶୁକ୍ରବାର ସହରର ବାୟୁଗୁଣବତ୍ତା ‘ଅତି ଖରାପ’ ଶ୍ରେଣୀରେ ରେକର୍ଡ କରାଯାଇଥିଲା ଏବଂ ରବିବାର ଏହା ‘ସାଂଘାତିକ’ସ୍ତରକୁ ଆସିଛି। ରାଜଧାନୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ  ୩୫୦ରୁ ଅଧିକ ରେକର୍ଡ କରାଯାଇଥିବାରୁ ସରକାରଙ୍କ ପକ୍ଷରୁ କେତେକ ଜରୁରୀ ପଦକ୍ଷେପ ନିଆଯାଇଛି। ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ବାଣରୁ ଉତ୍ପନ୍ନ ଧୂଆଁ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣକୁ ଆହୁରି ଖରାପ କରିଥିବାରୁ ଦିଲ୍ଲୀର ଅଧିକାଂଶ ଲୋକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଦିଲ୍ଲୀ ଏବଂ ପଡ଼ୋଶୀ ଏନ୍‌ସିଆର ଅଞ୍ଚଳରୁ ଏହି ସର୍ଭେରେ ଅଂଶଗ୍ରହଣ କରିଥିବା ୨୧,୦୦୦ ଉତ୍ତରଦାତାଙ୍କ ମଧ୍ୟରୁ ୬୯ ପ୍ରତିଶତ କହିଛନ୍ତି ଯେ ପ୍ରତ୍ୟେକ ପରିବାରର ଅତିକମରେ ଜଣେ ସଦସ୍ୟ ଗଳା ଯନ୍ତ୍ରଣା ଏବଂ କାଶ ଭଳି ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡ଼ିତ ଥିବା ବେଳେ ୬୨ ପ୍ରତିଶତ ବାୟୁର ଗୁଣବତ୍ତା ଖରାପ ହେତୁ ଆଖିରେ ଜଳାପୋଡ଼ା ଅନୁଭବ କରିଥିଲେ।

ସୂଚନାଯୋଗ୍ୟ, ଜାତୀୟ ରାଜଧାନୀରେ ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି-୨) ଭଳି ସମସ୍ତ ସମ୍ଭାବ୍ୟ ପଦକ୍ଷେପ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଦିଲ୍ଲୀର ବାୟୁ ଦିନକୁ ଦିନ ଖରାପ ହେବାରେ ଲାଗିଛି। ବାୟୁ ମାନ ପରିଚାଳନା କମିସନ(ସିଏକ୍ୟୁଏମ) ଅକ୍ଟୋବର ୨୧ ରେ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (ଜିଆରଏପି-୨) କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦିଲ୍ଲୀ ପ୍ରଦୂଷଣରେ ୩୬% ବୃଦ୍ଧି
୮ ସ୍ଥାନରେ ଏକ୍ୟୁଆଇ ୪୦୦

୭ ସହର ମଧ୍ୟମ ଧରଣ ପ୍ରଦୂଷିତ, ଭଲ ସ୍ଥିତିରେ ଥିବା ଦ୍ବୈତନଗରୀ ବିଗିଡ଼ିଗଲା

ଭୁବନେଶ୍ବର, ୩/୧୧ (ଇମିସ): ଗୁରୁବ‌ାର ଅଧା ରାଜ୍ୟରେ ଦୀପାବଳି ପାଳିଲେ। ବା‌ଣ ଫୁଟେଇଲେ। ବାୟୁମଣ୍ଡଳ ପ୍ରଦୂଷିତ କଲେ। ଶୁକ୍ରବାର ବି ଛାଡ଼ିଲେନି। ଅନୁମତି ନଥାଇ ବାଣ ଫୁଟେଇଲେ। ପରିଣାମ ସ୍ବରୂପ ପରିସ୍ଥିତି ଗୁରୁବାରଠାରୁ ଆହୁରି ଜଟିଳ ହୋଇଯାଇଛି। ବାଣଫୁଟାରେ ଖାଲି ଶବ୍ଦ ପ୍ରଦୂଷଣ ହେଲା ନାହିଁ। ବରଂ କୃତ୍ରିମ କୁହୁଡ଼ିରେ ରାସ୍ତାଘାଟ ଧୂଆଁମୟ ହୋଇଗଲା। ତିନି ଦିନ ପରେ ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ଆସି ନାହିଁ। ଆଜି ମଧ୍ୟ ରାଜ୍ୟର ୭ଟି ସହରର ବାୟୁ ମଧ୍ୟମ ଧରଣ ପ୍ରଦୂଷିତ ଅବସ୍ଥାରେ ରହିଛି। ଗୋଟିଏ ସମୟରେ ଭଲ ଅବସ୍ଥାରେ ରହିଥିବା ଦୈତ୍ୟନଗରୀ ଯଥା କଟକ ଓ ଭୁବନେଶ୍ବରର ପ୍ରଦୂଷଣ ଆଜି ବି ମଧ୍ୟମଧରଣର ରହିଛି। ଆଶ୍ବସ୍ତିକର ବିଷୟ ହେଉଛି ଯେ ଦୀପାବଳି ଦୁଇ ଦିନ ଖରାପ ସ୍ଥିତିରେ ଥିବା ଅନୁଗୁଳ ଓ ତାଳଚେରର ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇ ମଧ୍ୟମ ଧରଣରେ ପହଞ୍ଚିଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ତଥ୍ୟ ଅନୁଯାୟୀ ଶୁକ୍ରବାର ତାଳଚେରରେ ଏକ୍ୟୁଆଇ ମାତ୍ରା ୨୩୭ ଥିବା ବେଳେ ଶନିବାର ତାହା ୨୩୮ରେ ପହଞ୍ଚିଥିଲା। ସେହିପରି ରାଉରକେଲାର ଏକ୍ୟୁଆଇ ମାତ୍ରା ୧୬୨ରୁ ୧୮୨, ବାଲେଶ୍ୱରରେ ୧୦୪ରୁ ବଢ଼ି ୧୨୪ରେ, ଭୁବନେଶ୍ବରରେ ୧୮୬‌ ଓ କଟକର ଏକ୍ୟୁଆଇ ଶନିବାର ୧୩୫‌ରେ ପହଞ୍ଚିଥିଲା। ଆଜିର ସ୍ଥିତିରେ ସେଭଳି କୌଣସି ଉନ୍ନତି ଆସି ନାହିଁ। ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଅନୁଗୁଳ ସହରର ଏକ୍ୟୁଆଇ ୧୮୧ ରହିଥିବା ବେଳେ ତାଳଚେରରେ ୧୭୬, ରାଉରକେଲାରେ ୧୫୦, ବାଲେଶ୍ବରରେ ୧୪୩, ଭୁବନେଶ୍ୱର ଓ କଟକ ସହରର ପ୍ରଦୂଷଣ ମାତ୍ରା ୧୩୨ ଓ ବାରିପଦାରେ ୧୦୧ ରହିଛି।

ଚିନ୍ତାର ବିଷୟ ହେଉଛି ଯେ ଦ୍ବୈତନଗରୀରେ ବାଣ ପ୍ରଦୂଷଣ ଏବେ ସାଧାରଣ ଲୋକଙ୍କ ପାଇଁ ବିପଦ ଆଣି ଦେଇଛି। ଦୀପାବଳି ଦୁଇ ଦିନ ବାଣ ପ୍ରଦୂଷଣ ରୋକିବାକୁ ସାଇରନ୍‌ ଦେଇ ପୁଲିସ ଘନ ଘନ ପାଟ୍ରୋଲିଂ କରୁଥିଲେ ବି କାହାକୁ ଅଟକାଇ ପାରିନଥିଲା। ଆଇନ୍‌କୁ ଆଖିଠାର ଭଳି ପୁଲିସ ଯୁଆଡ଼େ ଯାଉଥାଏ, କେବଳ ସେହି କିଛି ସମୟ ପାଇଁ କିଛି ମିଟର ଦୂରରେ ଲୋକ ନିରବ ହୋଇ ଯାଉଥିଲେ। ତା’ପରେ ପୁଣି ଆରମ୍ଭ ହୋଇ ଯାଉଥିଲା ବୋମାମାଡ଼ ଭଳି ବାଣଫୁଟା‌। ଖାଲି ଶବ୍ଦ ପ୍ରଦୂଷଣ ନୁହେଁ, ଧୂଆଁମୟ ହୋଇ ଯାଇଥିଲା ରାଜଧାନୀ। ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ କମିସନରେଟ୍‌ ପୁଲିସ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେବଳ ଗ୍ରିନ୍ କ୍ରାକର(ସବୁଜ ବାଣ) ଫୁଟାଇବାକୁ ଅନୁମତି ଦିଆଯାଇଥିଲା। ମାତ୍ର କଟକଣାକୁ କେହି ଖାତିର କରି ନଥିଲେ। ଲୋକେ ଏତେ ବାଣ ଫୁଟାଇଲେ ଯେ ରାତି ୯ଟା ବେଳୁ ରାସ୍ତାଘାଟ ଧୂଆଁମୟ ‌ହୋଇଯାଇଥିଲା। କେତେକ ସ୍ଥାନରେ ଗାଡ଼ି ଚାଳକଙ୍କୁ ରାସ୍ତା ଦିଶିଲାନି। ନିଷିଦ୍ଧ ବାଣର ଛାତିଥରା ଶବ୍ଦ ସାଙ୍ଗକୁ ଏ ଧୂଆଁ ବୟସ୍କ ଓ ରୋଗାକ୍ରାନ୍ତ ଲୋକଙ୍କୁ ଭୟଭୀତ କରିଦେଲା। ଅମାନିଆ ମାନିଲେନି, ସେମାନଙ୍କୁ ମାନିବାକୁ ବାଧ୍ୟ କରିବାର ଦାୟିତ୍ବ ନେଇଥିବା ପୁଲିସ ଓ ଅନ୍ୟ ବିଭାଗ ମଧ୍ୟ ନିଜ କାମରେ ବିଫଳ ହେଲେ।

ଓୟୁଏଟି କୃଷି ପାଣିପାଗ ବୈଜ୍ଞାନିକ ଅମରେଶ ଖୁଣ୍ଟିଆଙ୍କ କହିବା କଥା, ରାଜଧାନୀରେ ସ୍ବାଭାବିକ ଠାରୁ ବାୟୁ ପ୍ରଦୂଷଣ ଅଧିକ ବଢ଼ିଯାଇଛି। ସବୁଜ ବାଣରୁ କ୍ଷତିକାରକ ଗ୍ୟାସ୍‌ ନ ବାହାରିଲେ ମଧ୍ୟ ଧୂଆଁ ବାହାରେ। ଯାହା କିଛି ସମୟ ବାୟୁରେ ରହେ। ଏହି ଧୂଆଁ ସହ ଅନ୍ୟ ବାଣଗୁଡ଼ିକର ଗ୍ୟାସ୍‌ ମିଶି ବାୟୂ ପ୍ରଦୂଷଣ ବଢ଼ାଉଛି। କୁହୁଡ଼ି ସହିତ ଧୂଆଁ ମିଶି କୃତ୍ରିମ କୁହୁଡ଼ି ହୋଇଥିବା ସେ କହିଛନ୍ତି। ସେହିପରି ସବୁଜ ବାଣ ନାମରେ ଅନେକ ଆପତ୍ତି ଜନକ ପଦାର୍ଥ ମିଶ୍ରିତ ହୋଇ ବଜାରରେ ବିକ୍ରି ହେଉଛି। ଯାହାର ପ୍ରଭାବ ଶ୍ୱାସରୋଗୀ, ହୃଦ୍‌ରୋଗୀ ଓ ଫୁସଫୁସ୍ ରୋଗରେ ପୀଡ଼ିତ ଲୋକଙ୍କ ଉପରେ ଅଧିକ ପଡ଼ିବ ବୋଲି ସେ କହିଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.