ଭୁବନେଶ୍ୱର: ଓଏସ୍‌ଏସ୍‌ସିର ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ନିଯୁକ୍ତି ଦୁର୍ନୀତିକୁ ବିରୋଧ କରି ଷ୍ଟୁଡେଣ୍ଟସ୍‌ ଏଗେନ୍‌ଷ୍ଟ କରପସନ୍‌ ପକ୍ଷରୁ ଆଜି ଲୋୟର ପିଏମଜିରେ ଧାରଣା ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି।  ପରୀକ୍ଷା ବାତିଲ ଓ ନିଯୁକ୍ତି ଦୁର୍ନୀତିର ତଦନ୍ତ ଦାବି ଶହ ଶହ ମେଧାବୀ ଧାରଣାରେ ବସି ଆରଆଇ ପରୀକ୍ଷା ବାତିଲ ସହ ନିଯୁକ୍ତି ଦୁର୍ନୀତିର ତଦନ୍ତ କରି ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା ଦାବି କରିଥିଲେ। ପୂର୍ବାହ୍ନ‌ରୁ ଧାରଣା ଦେବା ପରେ ମେଧାବୀମାନେ ହଠାତ୍ ପ୍ରାୟ ଅପରାହ୍ନ ସାଢ଼େ ୩ଟାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ତାଙ୍କ ବାସଭବନ ଆଡ଼କୁ ଅଗ୍ରସର ହୋଇଥିଲେ। ଲୋୟର ପିଏମ୍‌ଜିରେ ପୁଲିସ  ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଉଠାଇନେଲା ପୁଲିସ

 ସେଠାରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ବିଗିଡ଼ିବା ଆଗରୁ ମୁଖ୍ୟ ଶାସନ ସଚିବ ଆଲୋଚନା ପାଇଁ ଡାକିଥିଲେ। ସେହି ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ପୁଲିସ ଆନ୍ଦୋଳନସ୍ଥଳରୁ ଉଠାଇ ନେଇଥିଲା। ପୂର୍ବରୁ ସାରା ରାଜ୍ୟରେ ଷ୍ଟୁଡେଣ୍ଟସ୍‌ ଏଗେନ୍‌ଷ୍ଟ କରପସନ୍‌ ନେତୃତ୍ୱରେ ଆରଆଇ ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ ହୋଇ ଆସୁଥିବାବେଳେ ନିଯୁକ୍ତି ଦୁର୍ନୀତି ବିରୋଧରେ ନିରବ ରହି ସରକାର କାହିଁକି ପ୍ରୋତ୍ସାହନ ଦେଉଛନ୍ତି ବୋଲି ସଂଗଠନର ଆବାହକ ବିଭୂତି ଭୂଷଣ ମହାପାତ୍ର ପ୍ରଶ୍ନ କରିଛନ୍ତି। ନିଯୁକ୍ତି ଦୁର୍ନୀତି ଓ ଚାକିରି ବିକ୍ରିରେ ପୂର୍ଣ୍ଣଛେଦ ପଡ଼ିବା ପର୍ଯ୍ୟନ୍ତ ରାଜ୍ୟରେ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଶେଷରେ ସଂଗଠନର ୬ଜଣିଆ ପ୍ରତିନିଧି ମଣ୍ଡଳୀ ଡିସିପି ଭୁବନେଶ୍ୱରଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଉପସ୍ଥାପନ କରିଥିବା ବେଳେ ୭ଦିନ ଭିତରେ ତଦନ୍ତ ହୋଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପରମେଶ୍ୱର ବଳ, ତୋଫାନ ପରିଡ଼ା, ଶୁଭ୍ରଜିତ୍ ସାହୁ, ଗଗନ ରଥ, ମହମ୍ମଦ ସାଦିକ୍ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।