ଭୁବନେଶ୍ବର: ଗତକାଲି ରାତିରେ ପଳାଶପଲ୍ଲୀ ଅଞ୍ଚଳର ଜଣାଶୁଣା ସମାଜସେବୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଏୟାର୍‌ପୋର୍ଟ ଥାନା ପୁଲିସ ୨ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଜଣେ ଆକ୍ରମଣରେ ସିଧାସଳଖ ସମ୍ପୃକ୍ତ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟଜଣକର ସମ୍ପୃକ୍ତିକୁ ନେଇ ଛାନ୍‌ଭିନ୍‌ ଚାଲିଛି। ଏହି ଆକ୍ରମଣରେ ୪ଜଣଙ୍କ ସିଧ‌‌ାସଳଖ ସମ୍ପୃକ୍ତି ଥିବା ବେଳେ ଷଡ୍‌ଯନ୍ତ୍ରରେ ୬ଜଣ ସାମିଲ ଥିବା ଚର୍ଚ୍ଚା ହେଉଛି। ଆକ୍ରମଣକାରୀମାନେ ପୂର୍ବରୁ ଶିବଙ୍କ ସାଙ୍ଗସାଥୀ ଥିଲେ ଏବଂ କୌଣସି କାରଣରୁ ନିକଟରେ ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହୋଇଛି। ଏମିତିକି କିଛି ଦିନ ପୂର୍ବେ ଶିବଙ୍କ ସହ ଜଣକର ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ତେଣୁ ପ୍ରତିଶୋଧ ପରାୟଣ ହୋଇ ସେମାନେ ସଂଘବଦ୍ଧଭାବେ ଶିବଙ୍କ ଉପରେ ଆକ୍ରମଣ କରିଥିବା କୁହାଯାଉଛି।

ଆଜି ଡିସିପି ପିନାକ ମିଶ୍ର ଏହି ମାମଲା ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ ଶିବଙ୍କ ୪ ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଅଟକ ରଖାଯାଇଛି ଏବଂ ସେଥିରେ ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡ଼ିଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ପୂର୍ବ ଶତ୍ରୁତାକୁ ନେଇ ଏହି କାଣ୍ଡ ଘଟିଛି। ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିବା ଶିବଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଛି। ତାଙ୍କ ଦେହରେ ୭ ଚୋଟ ବାଜିଛି। ତେଣୁ ଆଉ କିଛି ଘଣ୍ଟା ପରେ ପୁଲିସ ତାଙ୍କୁ ପଚରାଉଚରା କରି ଆକ୍ରମଣକାରୀଙ୍କ ବାବଦରେ ଓ ଆକ୍ରମଣର କାରଣ ସମ୍ପର୍କରେ ବିଶେଷ ତଥ୍ୟ ମିଳିପାରିବ। ଏୟାର୍‌ପୋର୍ଟ ଥାନା ପୁଲିସ ଓ ସ୍ପେସାଲ୍‌ ସ୍କ୍ବାଡ୍‌ ଅଭିଯୁକ୍ତମାନଙ୍କୁ ଧରିବାକୁ ଲାଗିଛନ୍ତି ଏବଂ ଖୁବ୍‌ ଶୀଘ୍ର ସେମାନଙ୍କୁ ପୁଲିସ  କୋର୍ଟ‌ରେ ହାଜର କରାଇବ ବୋଲି ଡିସିପି ଶ୍ରୀ ମିଶ୍ର କହିଛନ୍ତି।

ଆଜି ଶିବଙ୍କ ପରିବାର ପକ୍ଷରୁ ଗଣମାଧ୍ୟମକୁ କିଛି ସୂଚନା ମିଳିଛି। ରାଜନୈତିକ ଉଦ୍ଦେଶ୍ୟରେ ଶିବଙ୍କୁ ଆକ୍ରମଣ କରାଯାଇଛି ବୋଲି ତାଙ୍କ ମା’ କହିଛନ୍ତି। ସେ କହିଛନ୍ତି ଯେ ଶିବ ଘରୁ ବାହାରିବାର ମାତ୍ର ୧୦ ମିନିଟ୍‌ ପରେ ଆକ୍ରମଣର ଶିକାର ହୋଇଥିଲେ। ଛକି ରହିଥିବା ଆକ୍ରମଣକାରୀମାନେ ଶିବଙ୍କୁ ଘର ପାଖରୁ ପିଛା କରିଥିଲେ। ସେମାନେ କେହି ବାହାରର ନୁହନ୍ତି ବୋଲି ପରିବାର ଲୋକେ କହିଛନ୍ତି। ବାପୁଜୀନଗର, କେଦାରପଲ୍ଲୀ, ବରମୁଣ୍ଡା ଓ କପିଳେଶ୍ବର ଅଞ୍ଚଳର କିଛି ଯୁବକ ସଂଘବଦ୍ଧ ଭାବେ ଶିବଙ୍କୁ ଆକ୍ରମଣ କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି। ପ୍ରାୟ ୨୦ ଦିନ ପୂର୍ବେ ଶିବଙ୍କ ସହ କିଛି ଯୁବକଙ୍କର ଝଗଡ଼ା ହୋଇଥିଲା। ତେଣୁ ସେମାନେ ହିଁ ଯୋଜନାବଦ୍ଧ ଭାବେ ଶିବଙ୍କୁ ହତ୍ୟା କରିବାକୁ ଆକ୍ରମଣ କରିଥିଲେ।