Breaking News

ରାତିରେ ଭୟ ବଢ଼ାଏ ହଂସପାଳ-ଅଭୟମୁଖି ରାସ୍ତା: ଅସାମାଜିକଙ୍କ ଆଡ଼ା ରାମଚନ୍ଦ୍ରପୁର କାଜ

ରାତି ହେଲେ ହଂସପାଳ-ଅଭୟମୁଖି ରାସ୍ତାରେ ଯାତାୟାତ କରିବାକୁ ଡର ଲାଗିଲାଣି। ତିନି ତିନିଟି ଜିଲ୍ଲାର ଲୋକଙ୍କ ପାଇଁ ଏକପ୍ରକାର ଜୀବନରେଖା ପାଲଟିଥିବା ଏହି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ନଥିବାରୁ ଲୋକେ ଚୋର, ଲୁଟେରାଙ୍କ ହାବୁଡ଼ରେ ପଡ଼ୁଛନ୍ତି।

0

ବାଲିଅନ୍ତା ବଜାର: ରାତି ହେଲେ ହଂସପାଳ-ଅଭୟମୁଖି ରାସ୍ତାରେ ଯାତାୟାତ କରିବାକୁ ଡର ଲାଗିଲାଣି। ତିନି ତିନିଟି ଜିଲ୍ଲାର ଲୋକଙ୍କ ପାଇଁ ଏକପ୍ରକାର ଜୀବନରେଖା ପାଲଟିଥିବା ଏହି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ନଥିବାରୁ ଲୋକେ ଚୋର, ଲୁଟେରାଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଏଥିସହିତ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି ଏବଂ ଧନ ଜୀବନହାନି ହେଉଛି। ରାମଚନ୍ଦ୍ରପୁର କାଜ ପାଲଟିଛି ଅସାମାଜିକଙ୍କ ଆଡ଼ା। ଅନ୍ଧ‌ାରର ସୁଯୋଗ ନେଇ ନିଶାଡ଼ିମାନେ ଏଠାରେ ଡେରା ପକାଇ ଆପରାଧିକ କାମ କରୁଛନ୍ତି। ଏଠାରେ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା କରିବାକୁ ବହୁ ଦିନ ଧରି ଦାବି ହୋଇଆସୁଛି। ମାତ୍ର ଫମ୍ପା ପ୍ରତିଶ୍ରୁତିରେ ଦିନ ଗଡ଼ୁଛି ସିନା ଲୋକମାନଙ୍କ ଦୁର୍ଦ୍ଦଶା କମିବା ନାଁ ନେଉନାହିଁ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ହଂସପାଳ-ଅଭୟମୁଖି ରାସ୍ତାରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ବହୁ ଅଞ୍ଚଳର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ବେପାରୀଙ୍କଠାରୁ ଆରମ୍ଭ କରି ଚାକିରିଆଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଦିନରାତି ଏହି ରାସ୍ତାରେ ଭୁବନେଶ୍ବରକୁ ଯା’ଆସ କରୁଛନ୍ତି। ସମ୍ପ୍ରତି ଏହି ଅଞ୍ଚଳକୁ ରାଜଧାନୀର ପରିସୀମା ମାଡ଼ିମାଡ଼ି ଆସୁଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ଯା’ଆସ ଲାଗିରହୁଛି। ବିଭିନ୍ନ ଘରୋଇ ସଂସ୍ଥାରେ କାମ କରୁଥିବା ଲୋକେ ବିଳମ୍ବିତ ରାତିରେ ଯିବାଆସିବା କରୁଛନ୍ତି। ହଂସପାଳରୁ ବାଲିଅନ୍ତା ବଜାର ପର୍ଯ୍ୟନ୍ତ ବିଏମ୍‌ସି ଅଞ୍ଚଳ ଅଧୀନରେ ଥିବାରୁ ଷ୍ଟ୍ରିଟ୍‌ ଲାଇଟ୍‌ ରହିଛି। ମାତ୍ର ଏହାପରଠୁ ପଞ୍ଚାୟତ ଅଞ୍ଚଳ ହୋଇଥିବାରୁ ରାତିରେ ଅନ୍ଧାରର ରାଜୁତି ଚାଲିଛି।

କୁସୁଗଡ଼ିଆଠାରୁ ରାମଚନ୍ଦ୍ରପୁର କାଜ ପର୍ଯ୍ୟନ୍ତ ଅଞ୍ଚଳଟି ବେଶି ବିପଜ୍ଜନକ ହୋଇପଡ଼ିଛି। କାରଣ ଏଇଠି ହିଁ ନିଶାଡ଼ିଙ୍କଠାରୁ ଲୁଟେରାଙ୍କ ପର୍ଯ୍ୟନ୍ତ ସବୁପ୍ରକାର ଅପରାଧୀମାନେ ଆଡ଼ା ଜମାଇଥାଆନ୍ତି। ରାମଚନ୍ଦ୍ରପୁର କାଜ ନିକଟରେ କୁଶଭଦ୍ରା ନଦୀରେ ବ୍ୟାରେଜ୍‌ ନିର୍ମାଣ ଚାଲିଥିବାରୁ ବହୁ ଭାରୀଯାନ ଚଳାଚଳ ହେଉଛି। ରାତିରେ ଗାଡ଼ିଚାଳକମାନଙ୍କ ବେପରୁଆ ଚାଳନା ପଥଚାରୀଙ୍କ ମୃତ୍ୟୁର କାରଣ ହେଉଛି। ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ବ୍ଲକ୍‌ ବା ପଞ୍ଚାୟତ ପ୍ରଶାସନ ପକ୍ଷରୁ ଏଠାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଲାଗି ବିଧିବ୍ୟବସ୍ଥା ନାହିଁ। ତେଣୁ ପୂର୍ତ୍ତ ବିଭାଗ ଚାହିଲେ, କିଛି ହୋଇପାରିବ ବୋଲି କୁହାଯାଉଛି। ଏନେଇ ପୂର୍ବତନ ବିଧାୟକମାନଙ୍କୁ ଦାବି କରାଯାଇଥିଲା ଏବଂ ସେମାନେ ଲୋକଙ୍କ ଦାବି ଅନୁସାରେ ରାମଚନ୍ଦ୍ରପୁର କାଜରେ ଷ୍ଟ୍ରିଟ୍‌ଲାଇଟ୍‌ ବ୍ୟବସ୍ଥା କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେମାନଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ‌ଏବେ ଚର୍ଚ୍ଚା ହେଉଛି। ଏବେ ନୂଆ ବିଧାୟକଙ୍କୁ ଦାବିପତ୍ର ଦିଆଯିବ ବୋଲି ସ୍ଥାନୀୟ ଲୋକେ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.