ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅବଦାନ ହେଉଛି ଦେଶର ଚାଷୀ, ଆଦିବାସୀ, ମହିଳା, ଯୁବକ ଓ ଛାତ୍ର ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ବାବା ସାହେବ ଆମ୍ବେଦକର, ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ, ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ସମସ୍ତଙ୍କୁ ସମତା ଓ ସ୍ୱରାଜ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ଭାରତୀୟ ସମ୍ବିଧାନ ପ୍ରଣୟନ ହୋଇଥିଲା। ତେବେ ସମସ୍ତଙ୍କୁ ମିଳୁଥିବା ସମାନ ଅଧିକାରକୁ ବିରୋଧ କରି ଶାସକ ଗୋଷ୍ଠୀ ପକ୍ଷରୁ ଭାରତୀୟ ସମ୍ବିଧାନକୁ ବଦଳାଇବା ପାଇଁ ଷଡ୍‌ଯନ୍ତ୍ର ଆରମ୍ଭ ହୋଇଛି। ଏହା ବିରୋଧରେ ଗାଁ ଗାଁରେ ଆନ୍ଦୋଳନ ଚଳାଇ ଏହାକୁ ବଞ୍ଚାଇବାକୁ ପଡ଼ିବ। ୟୁସୁଫ୍ ମେହେର ଅଲ୍ଲୀ ସେଣ୍ଟର ପକ୍ଷରୁ ଲୋହିଆ ଏକାଡେମୀ ପରିସରରେ ଅନୁଷ୍ଠିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମତା ସ୍ୱରାଜ୍ୟ ସଂକଳ୍ପ ସମ୍ମିଳନୀରେ ଏଭଳି ମତ ପ୍ରକାଶ ପାଇଛି।

ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଉଦ୍‌ଘାଟକ ଭାବେ ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ, ସମ୍ମାନିତ ଅତିଥି ଗ୍ରିନ୍‌ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ଶିକ୍ଷାବିତ୍ ପ୍ରଫେସର ବୀରେନ୍ଦ୍ର ନାୟକ, ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ ଡା. ବିଶ୍ୱଜିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ ଏହାକୁ ସଞ୍ଚାଳନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ‘ଆମ ସମ୍ବିଧାନ-ଏକ ସମୀକ୍ଷା ଅଧିବେଶନ’କୁ କିଷାନ ପଟ୍ଟନାୟକ ସଞ୍ଚାଳନ କରିଥିଲେ।

ରାଜ୍ୟସ୍ତରୀୟ ସମତା ସ୍ୱରାଜ୍ୟ ସଂକଳ୍ପ ସମ୍ମିଳନୀ

ଏଥିରେ  ପ୍ରଫେସର ଧନେଶ୍ୱର ସାହୁ, ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ସଭାପତି ସଂଗ୍ରାମ ମଲ୍ଲିକ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ବାଲେଶ୍ୱର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ମହମ୍ମଦ ଇସଲାମ ପ୍ରମୁଖ ଯୋଗ ଦେଇ ଭାରତୀୟ ସମ୍ବିଧାନ ଓ ଏହାର ବିଶେଷତା ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ। ସେହିପରି ସନ୍ଧ୍ୟା ଅଧିବେଶନରେ ‘ଭାରତୀୟ ସଂସଦୀୟ ବ୍ୟବସ୍ଥାର ୭୫ ବର୍ଷ-ଏକ ସମୀକ୍ଷା’ ଶୀର୍ଷକ ଆଲୋଚନାକୁ ‘ଛାଇ’ର ସମ୍ପାଦକ ସତୀଶ ମିଶ୍ର ସଞ୍ଚାଳନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଆମ୍‌ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ବିଜୁ ଜନତା ଦଳର ମୁଖପାତ୍ର ଲେନିନ ମହାନ୍ତି, ସ୍ତମ୍ଭକାର ସରଳ ଦାସ ପ୍ରମୁଖ ସମ୍ବିଧାନ ସଂଶୋଧନ, ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ସଂସଦୀୟ ଗଣତନ୍ତ୍ର ତଥା ଆଜିର ସମ୍ବିଧାନ ପରିବର୍ତ୍ତନ ଷଡ୍‌ଯନ୍ତ୍ର ସମ୍ବନ୍ଧରେ କହିଥିଲେ। ଏହି ସମ୍ମିଳନୀକୁ ୟୁସୁଫ୍ ମେହେର ଅଲ୍ଲୀ ସେଣ୍ଟରର ରାଜ୍ୟ ସଂଯୋଜକ କଲ୍ୟାଣ ଆନନ୍ଦ ଓ ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ ପରିଚାଳନା କରିଥିଲେ।