ନୂଆଦିଲ୍ଲୀ: ଅଭ‌ିନେତ୍ରୀ ସୋମୀ ଅଲି ନିକଟରେ ରେଡିଟ୍‌ରେ ତାଙ୍କ ଫ୍ୟାନ୍‌ମାନଙ୍କ ସହ ଏଏମ୍‌ଏ (ଆସ୍କ ମି ଏନିଥିଙ୍ଗ୍‌) ସେସନ୍‌ରେ କଥା ହେବାବେଳେ ସଲମାନ ଖାନ୍‌ଙ୍କ ସହ ତାଙ୍କର ପୂର୍ବ ସମ୍ପର୍କ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି। ସେ କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଲେ ବୋଲି ତାଙ୍କୁ ଜଣେ ରେଡିଟ ୟୁଜର ପ୍ରଶ୍ନ କରିବାରୁ  ଏହାର ଉତ୍ତର ଦେଇ ସେ କହିଛନ୍ତି, ୧୯୯୦ ଦଶକରେ ସଲମାନ୍‌ ଖାନ୍‌ ବାରମ୍ବାର ମୋତେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବାରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିବାପାଇଁ ବାଧ୍ୟ ହେଲେ। ସୋମୀ ଅଲି କହିଛନ୍ତି, ପ୍ରତିଦିନ ମତେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଗଲା। ମୋ ବୟଫ୍ରେଣ୍ଡ୍‌ ଅନ୍ୟ କାହାକୁ ଗୋଟିଏ ରାତି ପାଇଁ ଆଣି ତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ଏବଂ ମୋତେ ମଧ୍ୟ ସେଭଳି ବ୍ୟବହାର କରିବା ମୁଁ ଗ୍ରହଣ କରିପାରିଲିନି।

ପ୍ରତିଦିନ ଶାରିରୀକ ଓ ମାନସିକ ନିର୍ଯାତନାରୁ ମୁକ୍ତି ପାଇଁ ମୁଁ ସଂପର୍କ ଶେଷ କରିଦେଲି। ସେ କହିଛନ୍ତି, ତାଙ୍କୁ ବଲିଉଡ୍‌ରୁ ଅଫର ମିଳିଥିଲା। କିନ୍ତୁ ସଲମାନ୍‌ ତାଙ୍କୁ ଫେରିବାପାଇଁ ଦେଇନଥିଲେ। କାଳେ ସେ ସଲମାନଙ୍କ ଅସଲ ଚରିତ୍ରକୁ ପଦାରେ ପକାଇଦେବେ ସେହି ଭୟରେ ସେ ତାଙ୍କୁ ସୁଯୋଗ ଦେଇନଥିବା ସୋମୀ କହିଛନ୍ତି। ସୋମୀ ସ୍ବୀକାର କରିଛନ୍ତି ଯେ ସେ ଅଭିନୟ ପାଇଁ ବଲିଉଡ୍‌ରେ ପ୍ରବେଶ କରିନଥିଲେ ବରଂ ସଲମାନଙ୍କ ପାଇଁ ଆସିଥିଲେ। ଅନ୍ୟ ଏକ ସମ୍ବେଦନଶୀଳ ଟିପ୍ପଣୀ ଦେଇ ସେ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ଆମେ ମଧ୍ୟ ଜାଣିନାହୁଁ ‌ଯେ ଜିଆ ଖାନ୍‌ଙ୍କ ସହ କ’ଣ ହେଲା। ସେ ଗର୍ଭବତୀ ଥିଲେ ଏବଂ ଏକ ସିଲିଂ ଫ୍ୟାନ୍‌ରୁ ଝୁଲି ପଡ଼ିଥିଲେ। ଅନ୍ୟପ‌କ୍ଷେ ସଲମାନଙ୍କୁ ବିଷ୍ଣୋ‌ଇ ସମ୍ପ୍ରଦାୟରୁ ହତ୍ୟା ଧମକ ମିଳିବା ସଂକ୍ରାନ୍ତରେ ସେ କହିଛନ୍ତି, ସଲମାନ ହୁଅନ୍ତୁ କି କୌଣସି ଅଚିହ୍ନା ବ୍ୟକ୍ତି ହୁଅନ୍ତୁ ମୁଁ ମୃତ୍ୟୁଦଣ୍ଡ ଏବଂ ହତ୍ୟାକୁ ବିରୋଧ କରେ। ବିଷ୍ଣୋଇକୁ ସେ ବଲିଉଡ୍‌ର ଦାଉଦ୍‌ ଏବଂ ଛୋଟା ସକିଲ୍‌ ବୋଲି ଅଭିହିତ କରିଛନ୍ତି।