ରଗର୍ସ ବିଶ୍ବବିଦ୍ୟାଳୟ ଓ ଗ୍ଲାସ୍‌ଗୋ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ନିକଟରେ ଏଭଳି ଏକ କୌତୂହଳୀ ଆବିଷ୍କାର କରିଛନ୍ତି, ଯଦ୍ଦ୍ବାରା କୌଣସି କ୍ଷତ ଶୁଖିଗଲା ପରେ ଚର୍ମ ଉପରେ କିଛି ଦାଗ ରହିବ ନାହିଁ। ଅନ୍ତନାଳୀରେ ବଢ଼ୁଥିବା ‘ହେଲିଗ୍ମୋସୋମୋଏଡ୍‌ସ ପଲିଗାଇରସ୍‌’ ନାମକ ପରଜୀବୀ ଗୋଲକୃମି ପ୍ରଜାତିରୁ ଉଦ୍ଧୃତ ଏକପ୍ରକାର ପ୍ରୋଟିନ୍‌ ହିଁ କ୍ଷତରେ ଦ୍ରୁତ ଉପଶମ ଆଣିବା ସହ କୌଣସି ଚିହ୍ନ ରହିବାକୁ ଦେଉନାହିଁ ବୋଲି ଦାବି କରାଯାଇଛି। ଫଳରେ ଏଣିକି ଆଉ କ୍ଷତ ଚିକିତ୍ସାର ପାର୍ଶ୍ବପ୍ରତିକ୍ରିୟା ସ୍ବରୂପ ତ୍ବଚା ଉପରେ ରହିଯାଉଥିବା ଦାଗ ଦେଖିବାକୁ ମିଳିବନି।

ପରୀକ୍ଷାମୂଳକ ଭାବେ ମୂଷା ଦେହରେ ଏହାର ଫଳାଫଳ ସକାରାତ୍ମକ ରହିଥିବା ବେଳେ କ୍ଷତ ଚିକିତ୍ସା କ୍ଷେତ୍ରରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଚର୍ମର ବାହ୍ୟଭାଗକୁ ପ୍ରଭାବିତ କରୁଥିବା ସାମାନ୍ୟ କ୍ଷୁଦ୍ର କଟା ଘା’ କି କ୍ଷତ ଆପେ ଆପେ ଭରଣା କରିବା ପାଇଁ ମନୁଷ୍ୟ ଚର୍ମର ଏକ ଅନ୍ତର୍ନିହିତ ଗୁଣ ରହିଛି। ତେବେ ଚର୍ମର ଭିତର ଭାଗ ପ୍ରଭାବିତ ହେଉଥିବା ବୃହତ୍ତର ବା ଗଭୀର କ୍ଷତରେ ଚର୍ମତନ୍ତୁ ଛିଣ୍ଡି ଯାଇଥାଏ। ତେଣୁ ଘାଆ ଶୁଖିଗଲେ ବି ଚର୍ମର ଗଠନରେ ସ୍ଥାୟୀ ପରିବର୍ତ୍ତନ ସ୍ବରୂପ ଦାଗ ରହିଯାଏ। ବେଳେ ବେଳେ ତାହା ଆଖପାଖ ମାଂସପେଶୀ ଓ ଗଣ୍ଠି ପରିଚାଳନାରେ ବାଧକ ସାଜିଥାଏ। ତେଣୁ ଏହି ସମସ୍ୟାର ସମାଧାନ ଲାଗି ବୈଜ୍ଞାନିକମାନେ ଗବେଷଣା ଚଳାଇ ଆସୁଥିଲେ। ଅନ୍ତନାଳୀରେ ବଢୁଥିବା ଏହି ଗୋଲକୃମି ଉପରେ ଗବେଷକମାନେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। ସଂପୃକ୍ତ କୃମିଗୁଡ଼ିକ ଅନ୍ୟ ଶରୀରରେ ବଞ୍ଚି ରହିବା ପାଇଁ ପରଶରୀରର ରୋଗପ୍ରତିରୋଧକ ପ୍ରଣାଳୀକୁ ପ୍ରତିରୋଧ କରିବାର କ୍ଷମତା ରଖିଥା’ନ୍ତି। ସେମାନଙ୍କ ଦେହରେ ଥିବା  ‘ଟିଜିଟି-ବିଟା ମିମିକ୍‌’ (ଟିଜିଏମ୍‌) ନାମକ ଏକପ୍ରକାର ପ୍ରୋଟିନ୍‌ ସେଥିପାଇଁ ଦାୟୀ। ପରୀକ୍ଷାଗାରରେ ମୂଷା ଚର୍ମରେ ଏହି ପ୍ରୋଟିନ୍‌କୁ ପ୍ରୟୋଗ କରିବା ଦ୍ବାରା କ୍ଷତ ଦ୍ରୁତ ବେଗରେ ଶୁଖିଯାଉଥିବା ଏବଂ ଚର୍ମ ଉପରେ ଦାଗ ରହୁ ନଥିବା ପରିଲକ୍ଷିତ ହୋଇଥିଲା। ଯଦିଓ ଏହି ଆବିଷ୍କାର ଏକ ଯୁଗାନ୍ତକାରୀ ଉପଲବ୍‌ଧି, ତେବେ ତାହାର ପ୍ରୟୋଗ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଭବିଷ୍ୟତରେ ମନୁଷ୍ୟ ଶରୀରରେ ତାହାର ପ୍ରୟୋଗ କରାଯାଇ ଈପ୍‌ସିତ ଫଳ ମିଳିପାରିବ ବୋଲି ଆଶା ରହିଛି।