Breaking News

ବିଏମ୍‌ସି ଭେହିକିଲ୍‌ ଟେଣ୍ଡରରେ ତେଲ କେଳେଙ୍କାରୀ: କେରାଣ୍ଡି ଗୁନ୍ଥି ବାଳିଆ ମାରିବା ଯୋଜନା

ବିଏମ୍‌ସି କରିଥିବା ଭେଇକିଲ୍‌ ଟେଣ୍ଡରକୁ ବିବାଦ ପିଛା ଛାଡ଼ୁନି। ଟେଣ୍ଡରକୁ ବାତିଲ୍‌ କରିବାକୁ କର୍ପୋରେସନ ନିଷ୍ପତ୍ତି ନେବା ପରେ ଏହା ପଛରେ ଥିବା ଅଧିକାରୀଙ୍କ ମୁଣ୍ଡ ବିନ୍ଧିଥିବା ବେଳେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଉପରୁ ପରଦା ହଟିବାରେ ଲାଗିଛି।

0

ଭୁବନେଶ୍ବର: ବିଏମ୍‌ସି କରିଥିବା ଭେଇକିଲ୍‌ ଟେଣ୍ଡରକୁ ବିବାଦ ପିଛା ଛାଡ଼ୁନି। ଟେଣ୍ଡରକୁ ବାତିଲ୍‌ କରିବାକୁ କର୍ପୋରେସନ ନିଷ୍ପତ୍ତି ନେବା ପରେ ଏହା ପଛରେ ଥିବା ଅଧିକାରୀଙ୍କ ମୁଣ୍ଡ ବିନ୍ଧିଥିବା ବେଳେ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଉପରୁ ପରଦା ହଟିବାରେ ଲାଗିଛି। କର୍ପୋରେସନର ବିନା ସ୍ବୀକୃତିରେ ‌ଡେପୁଟି କମିସନର ମନଇଚ୍ଛା କାମ କରିବା ଓ କ୍ଷମତାର ଅପବ୍ୟବହାର କରି ଚୁକ୍ତିନାମା କରିବା ଭଳି ବିବାଦ ଥମି ନଥିବା ବେଳେ ଏଥିରେ ହୋଇଥିବା ‘ତେଲ କେଳେଙ୍କାରୀ’ ସାମ୍ନାକୁ ଆସିଛି। ଠିକା ସଂସ୍ଥାକୁ ଗାଡ଼ି ପାଇଁ ବିଏମ୍‌ସି ଯେଉଁ ତେଲ ଯୋଗାଇବ ସେଥିରେ କୋଟି କୋଟି ଟଙ୍କା ହଡ଼ପ କଲା ଭଳି ଯୋଜନା ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ଦର ‘ତେଲ ସହ’ ହୋଇଥିବା ବେଳେ ନୂଆ ଟେଣ୍ଡରରେ ମୂଳ ଦରରୁ ୨ଶହ ଟଙ୍କା କାଟି ଦେଇ ତେଲ ବିଏମ୍‌ସି ଯୋଗାଇବାକୁ ଚୁକ୍ତି ହୋଇଛି। ତେଲ ବାବଦକୁ କୋଟି କୋଟି ଟଙ୍କା ବାଟମାରଣା ହେବା ବାଟ ଖୋଲିଛି। ଅର୍ଥାତ୍‌ କେରାଣ୍ଡି ଗୁନ୍ଥି ବାଳିଆ ମାରିବା ଯୋଜନା ହୋଇଥିବା ଅଭିଯୋଗ ହୋଇଛି।

ତେଲ ବାବଦକୁ ମାସକୁ ଖର୍ଚ୍ଚ ୧.୭୮କୋଟି, ମୋଟା ଅଙ୍କର କମିସନ ପାଇଁ ବାଟ ଖୋଲିଛନ୍ତି
କେରାଣ୍ଡି ଗୁନ୍ଥି ବାଳିଆ ମାରିବା ଯୋଜନା

ପୂର୍ବରୁ ବିଏମ୍‌ସି ଭାରୀଯାନମାନଙ୍କ ପାଇଁ ଯେଉଁ ଦର ଧାର୍ଯ୍ୟ କରିଥିଲା ସେଥିରେ ତେଲ ସାମିଲ ଥିଲା। ଅର୍ଥାତ୍‌ ଗାଡ଼ିମାଲିକଙ୍କୁ କେବଳ ଭନା ଦିଆଯିବ। ଭଡ଼ାରୁ ହିଁ ସେମାନେ ତେଲ ପକାଇବେ। କିନ୍ତୁ ନୂଆ ଟେଣ୍ଡରରେ ବିଏମ୍‌ସି ପୂରୁଣା ଦରରୁ ଗାଡ଼ି ପିଛା ୨ଶହ ଟଙ୍କା କାଟି ଦେଲା। ୨ଶହ ଟଙ୍କା କମ୍‌ କରି ଭଡ଼ାରୁ ତେଲ ବାଦ୍‌ କରିଦେଲା। ଅର୍ଥାତ୍‌ ଯେତେ ତେଲ ଖର୍ଚ୍ଚ ହେବ ତାହା ବିଏମ୍‌ସି ଯୋଗାଇବ ‌ବୋଲି ଚୁକ୍ତି ହୋଇଥିଲା। ହିସାବ ମୁତାବକ, ବିଏମ୍‌ସିରେ ଏବେ ଚେନ୍‌ମାଉଣ୍ଟେଡ୍‌ ଏକ୍ସାଭେଟର ୪ଟି ଚାଲୁଛି। ଘଣ୍ଟାକୁ ୧୦ ଲିଟର ତେଲ ହିସାବରେ ଦିନ(୧୦ ଘଣ୍ଟା)କୁ ୪ଟି ଗାଡ଼ି ପିଛା ୪ଶହ ଲିଟର ତେଲ ଖର୍ଚ୍ଚ ହେବ। ଜେସିବି ୧୮ଟିରେ ୬ ଲିଟର ହିସାବରେ ଦିନକୁ ୭୨୦ ଲିଟର ଖର୍ଚ୍ଚ ହେବ। ‌ଡୋଜର ୨ଟିରେ ୭ ଲିଟର ହିସାବରେ ୧୪୦ ଲିଟର ଖର୍ଚ୍ଚ ହେବ। ଅର୍ଥାତ୍‌ ଏହି ସବୁ ଗାଡ଼ି ଯଦି ଏକ ସମୟରେ ପୁରା ଦିନ ଚାଲେ ତେବେ ଦିନକୁ ୧୨୬୦ ଲିଟର ତେଲ ଖର୍ଚ୍ଚ ହେବ। ଯଦି ମାସକୁ ହିସାବ କରାଯାଏ ତ‌େବେ ୧୭ହଜାର ୮୦୦ ଲିଟର ତେଲ ପାଇଁ ୧କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଆବର୍ଜନା ତଥା ବିଭିନ୍ନ ଉଚ୍ଛେଦ କାମ ପାଇଁ ଏବେ ଭିଡ଼ ରହିଥିବାରୁ ଏ ସବୁ ଏକ ସମୟରେ ଦୀର୍ଘ ସମୟ ଧରି ଚାଲିବା‌ ସମ୍ଭାବନା ରହିଛି। ଅଧିକାରୀ ଠିକାଦାର ଏକାଠି ହୋଇ ମିଛରେ ବିଲ୍‌ କରି ଏହି କୋଟି କୋଟି ଟଙ୍କା ଠିକାଦାର ମାଧ୍ୟମରେ ହଡପ କରିବାକୁ ବାଟ ଖୋଲା ଯାଇଛି।

ଏହି ହିସାବ ସର୍ବନିମ୍ନ ରହିଛି। ଏହା ସହିତ ଅନ୍ୟ ଭାରୀଯାନ ଯାହାକୁ ଭଡ଼ା ସହିତ ତେଲ ମଧ୍ୟ ବିଏମ୍‌ସି ଯୋଗାଇବାକୁ ଚୁକ୍ତି ହୋଇଛି, ଯଦି ହିସାବ କରାଯାଏ ତ‌େବେ ମାସକୁ ୩୦ ଲକ୍ଷ ଟଙ୍କା ତେଲ ବାବଦକୁ ହରିଲୁଟ୍‌ କରିବା ଯୋଜନା ରହିଥିବା ଅଭିଯୋଗ ହୋଇଛି। ସେହିଭଳି ଟିପରଗୁଡ଼ିକ ପାଇଁ ଯେଉଁ ଦର ଧାର୍ଯ୍ୟ ହୋଇଛି ସେଥିରୁ ମଧ୍ୟ ତେଲ ବାଦ୍‌ ଦିଆଯାଇଛି। ଅର୍ଥାତ୍‌ ଭଡ଼ା ବାଦ୍‌ ବିଏମ୍‌ସି ସମ୍ପୃକ୍ତ ଠିକା ସଂସ୍ଥାକୁ ତେଲ ଯୋଗାଇବ। ଟିଟିଏସ୍‌ରେ ଆବର୍ଜନା ଗନ୍ଧ ହେବାରୁ ବିଏମ୍‌ସି ଏଠାରେ ଟିପର ଲଗାଇ ଶହ ଶହ ଟ୍ରିପ୍‌ ଆବର୍ଜନା ବୋହୁଥିଲା। ଏବେ ବି ଗୁଡ୍‌ଆର୍ଥ ବୋହି ବିଭିନ୍ନ ଖାଲୁଆ ଜାଗାରେ ପକାଉଛି। ଏଥିରେ ଟିପରରେ ବ୍ୟବହାର ହେଉଛି। ତେଲ ବାବଦରେ ଏଥିରେ ମଧ୍ୟ କୋଟି କୋଟି ଟଙ୍କା ଠିକା ସଂସ୍ଥାକୁ ଦେଇଦିଆଯିବ ଓ କମିସନ ବାବଦକୁ ମୋଟା ଅଙ୍କର ଅର୍ଥ ଅଧିକାରୀଙ୍କ ପକେଟ୍‌ରେ ପଶିବ ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ଏହାକୁ ବାତିଲ୍‌ ନ କରିବାକୁ ଏହା ପଛରେ ଥିବା ଅଧିକାରୀ ଲାଗି ପଡ଼ିଥିବା ନେଇ ସମ୍ବାଦରେ ପ୍ରକାଶ ପାଇବା ପରେ ତନାଘନା ହୋଇଛି। ଏକାଧିକ କର୍ପୋରେଟର ସମ୍ପୃକ୍ତ ଅଧିକାରୀଙ୍କୁ ଭେଟି କର୍ପୋରେସନ ନିଷ୍ପତ୍ତିକୁ ବାଟବଣା କରିବାକୁ ଦୁଃସାହସ ନ କରିବା ପାଇଁ ଚେତାବନୀ ଦେଇଥିବା ଜଣାପଡ଼ିଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.