ଭୁବନେଶ୍ବର: ମାତ୍ରାଧିକ ନିଶ୍ଚେତକ ପ୍ରୟୋଗ କରି ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର, ତା’ର ୨ ପ୍ରେମିକା ରୋଜି ଓ ଇଜିତାଙ୍କୁ ଭରତପୁର ଥାନା ପୁଲିସ ରିମାଣ୍ଡ୍‌ରେ ଆଣିବ। ଏଥିପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା ଏବଂ ଦିନିକିଆ ରିମାଣ୍ଡ୍‌ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଆସନ୍ତକାଲି ଅର୍ଥାତ୍ ବୁଧବାର ପୂର୍ବାହ୍ଣ ୧୦ଟାରୁ ଗୁରୁବାର ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ସେମାନେ ବିଚାର ବିଭାଗୀୟ ହାଜତରୁ ବାହାରି ପୁଲିସ ହେପାଜତରେ ରହିବେ। ସେହିଭଳି ଆସନ୍ତାକାଲି ମୃତକ ଶୁଭଶ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ମିଳିବ ବୋଲି ସୂଚନା ମିଳିଛି। ଏଥିସହିତ ଫୋରେନ୍‌ସିକ୍‌ ଲାବ୍‌ରୁ ରିପୋର୍ଟ ମିଳିବା ପରେ ପୁଲିସ ଏହି ମାମଲାର ଚାର୍ଜସିଟ୍‌ ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି।

ଭରତପୁର ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ପଛରେ ବହୁ ବିଚିତ୍ର ତଥା ଗୁଢ଼ ରହସ୍ୟ ରହିଛି। ଜଣେ ନିଜ ପତ୍ନୀଙ୍କୁ ହତ୍ୟା ଷଡ୍‌ଯନ୍ତ୍ର କରିବା ଓ ସେଥିରେ ଦୁଇ ଦୁଇ ପ୍ରେମିକା ସାମିଲ ହେବା, ବଡ଼ ବିଚିତ୍ର କଥା। ପତ୍ନୀ ଶୁଭଶ୍ରୀଙ୍କ ମୃତ୍ୟୁ ପରେ ୨ପ୍ରେମିକାଙ୍କୁ ନେଇ ଅଭିଯୁକ୍ତ ସ୍ବାମୀ ପ୍ରଦ୍ୟୁମ୍ନ କୁମାର କିଭଳି ଘରସଂସାର କରିବାକୁ ଯୋଜନା କରିଥିଲା, ତାହା ଏବେ ବି ରହସ୍ୟ ହୋଇରହିଛି। ସେହିଭଳି ନର୍ସିଂ ଅଫିସର ଭାବେ କାମ କରୁଥିବା ୨ ଯୁବତୀ କିଭଳି ଜଣେ ମହିଳାଙ୍କୁ ହତ୍ୟା କରିବାକୁ ଷଡ୍‌ଯନ୍ତ୍ରରେ ସାମିଲ ହେଲେ, ତାହା ବି ବଡ଼ ବିସ୍ମୟ। ଏଣୁ ରିମାଣ୍ଡ ଅବଧିରେ ପୁଲିସ ପ୍ରଦ୍ୟୁମ୍ନ କୁମାରକୁ ଏନେଇ ପ୍ରଶ୍ନ କରିବ। ସେହିଭଳି ରୋଜି ଓ ଇଜିତାକୁ ମଧ୍ୟ ପୁଲିସ ପୃଥକ ପୃଥକ ଭାବେ ଜେରା କରି ଏସବୁ ରହସ୍ୟ ଉନ୍ମୋଚନ କରିବ। ଶେଷରେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବ ଏବଂ ସେମାନେ ଲୁଚାଇବାକୁ ଚାହୁଥିବା ଗୋପନ ତଥ୍ୟ ପଦାକୁ କଢ଼ାଯିବ ବୋଲି ତଦନ୍ତ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ କହିଛନ୍ତି।  ୨୦୨୦ ମସିହାରେ ପ୍ରଦ୍ୟୁମ୍ନ ଓ ଶୁଭଶ୍ରୀ ପ୍ରେମ ବିବାହ କରିଥିଲେ।

ପରେ ପ୍ରଦ୍ୟୁମ୍ନ ଏକ ଘରୋଇ ହସ୍ପିଟାଲ୍‌ର ନର୍ସିଂ ଅଫିସର ଇଜିତା ଓ ରୋଜିଙ୍କ ସମ୍ପର୍କରେ ଆସିଥିଲା। ଏହାକୁ ନେଇ ଶୁଭଶ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ତେଣୁ ସେ ବାପଘରକୁ ଚାଲିଯାଇଥିଲେ। ଗତ ମାସ ୨୮ ତାରିଖରେ ପ୍ରଦ୍ୟୁମ୍ନ ଶଶୁରଘରକୁ ଯାଇ ଶୁଭଶ୍ରୀଙ୍କୁ ବୁଝାସୁଝା କରି ନିଜ ପାଖକୁ ନେଇ ଆସିଥିଲା। ସ୍ବାମୀ କଥାକୁ ବିଶ୍ବାସ କରି ଶୁଭଶ୍ରୀ ଭରତପୁର ଚାଲିଆସିଥିଲେ। ପରଦିନ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଶୁଭଶ୍ରୀଙ୍କ ହାତରେ ଥିବା ସିରିଞ୍ଜ୍ ଫୋଡ଼ା ଚିହ୍ନରୁ ସନ୍ଦେହ ବଢ଼ିଥିଲା। ପରେ ଜଣାପଡ଼ିଥିଲା ଯେ ପ୍ରଦ୍ୟୁମ୍ନ, ରୋଜି ଓ ଇଜିତା ଜୋର୍‌ ଜବରଦସ୍ତ ଶୁଭଶ୍ରୀଙ୍କ ଦେହରେ ଆନାସ୍ଥେସିଆ ଫୋଡ଼ି ହତ୍ୟା କରିଥିଲେ।