ଭୁବନେଶ୍ବର: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌ ବା ‘ହିଲ୍‌’)ର ଆଗାମୀ ୨୦୨୪-୨୫ ସଂସ୍କରଣ ଲାଗି ବୁଧବାର ୱେବ୍‌ସାଇଟ୍‌ ଉନ୍ମୋଚିତ ହେବା ସହ ସୂଚୀ ଘୋଷିତ ହୋଇଛି। ଡିସେମ୍ବର ୨୮ ତାରିଖରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ଓ ଟିମ୍‌ ଗୋନାସିକା ମ୍ୟାଚ୍‌ରୁ ୭ ବର୍ଷ ପରେ ଫେରିଥିବା ଏହି ପ୍ରତିଯୋଗିତାର ଶୁଭାରମ୍ଭ ହେବ। ‘ହିଲ୍‌’ର ନୂଆ ୱେବ୍‌ସାଇଟ୍‌ର ନାଁ hockeyindialeague.com ରହିଛି। ଏଥିରେ ସାରା ବିଶ୍ବର ପ୍ରଶଂସକମାନେ ଲିଗ୍‌ର ସମସ୍ତ ଖବର ସହ ମ୍ୟାଚ୍‌ ସୂଚୀ, ଖେଳାଳି ତାଲିକା ଓ ସ୍ବତନ୍ତ୍ର ଭିଡିଓ ବିଷୟବସ୍ତୁ ପାଇପାରି‌ବେ। ଏକ ଆକର୍ଷଣ ଅନୁଭବ ଏବଂ ସୁନ୍ଦର ଅଭିଜ୍ଞତା ପ୍ରଦାନ ଉଦ୍ଦେଶ୍ୟ ନେଇ ଏହି ୱେବ୍‌ସାଇଟ୍‌ ପ୍ରସ୍ତୁତ ହୋଇଛି। ଏହା ପ୍ରଶଂସକ, ଖେଳାଳି ଓ ହକିପ୍ରେମୀଙ୍କୁ ପ୍ରତିଯୋଗିତା ସହ ଯୋଡ଼ିବାର ସକ୍ଷମ ହେବ।
ଚଳିତ ବର୍ଷ ‘ହିଲ୍‌’ରେ ୮ ପୁରୁଷ ଓ ୪ ମହିଳା ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। ପୁରୁଷ ଲିଗ୍‌ ଡିସେମ୍ବର ୨୮ ତାରିଖରୁ ରାଉରକେଲାରେ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇ ଆସନ୍ତା ବର୍ଷ ଫେବ୍ରୁଆରି ୧ ତାରିଖରେ ଶେଷ ହେବ। ପ୍ରଥମ ପର୍ଯ୍ୟାୟ ୨୮ରୁ ଜାନୁଆରି ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ସମସ୍ତ ୮ ଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ଜାନୁଆରି ୧୯ ତାରିଖରୁ ଆରମ୍ଭ ହେଉଥିବା ଦ୍ବିତୀୟ ପର୍ଯ୍ୟାୟରେ ଦଳଗୁଡ଼ିକ ୨ଟି ପୁଲ୍‌ରେ ଭାଗ ହେବେ। ପୁଲ୍‌-ଏରେ ଦିଲ୍ଲୀ ଏସ୍‌ଜି ପାଇପର୍ସ, ଶ୍ରାଚି ରାର୍‌ ବେଙ୍ଗଲ ଟାଇଗର୍ସ, ସୁର୍‌ମା ହକି କ୍ଲବ୍‌ ଓ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଏବଂ ପୁଲ୍‌-ବି’ରେ ଟିମ୍‌ ଗୋନାସିକା, ହାଇଦ୍ରାବାଦ ତୁଫାନ୍ସ, ତାମିଲନାଡ଼ୁ ଡ୍ରାଗନ୍ସ ଓ ୟୁପି ରୁଦ୍ରାସ୍‌ ରହିଛନ୍ତି। ପ୍ରତି ଦଳ ‌ନିଜ ପୁଲ୍‌ରେ ଥିବା ଦଳ ସହ ଖେଳିବେ। ଶୀର୍ଷ ୪ ଦଳ ‌୩୧ ତାରିଖରେ ଖେଳାଯିବାକୁ ଥିବା ସେମିଫାଇନାଲ୍‌କୁ ଉନ୍ନିତ ହେବେ।

ୱେବ୍‌ସାଇଟ୍‌ ଉନ୍ମୋଚିତ ଓ ସୂଚୀ ଘୋଷିତ: ପୁରୁଷରେ ୪୪, ମହିଳାରେ ୧୩ ମ୍ୟାଚ୍

ସେହିପରି ମହିଳା ଲିଗ୍‌ ଜାନୁଆରି ୧୨ ତାରିଖରୁ ରାଞ୍ଚିର ମାରଙ୍ଗ ଗୋମ୍‌କେ ଜୟପାଲ ସିଂହ ମୁଣ୍ଡା ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ଏବଂ ୨୬ରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ୱାରିୟର୍ସ, ସୁର୍‌ମା ହକି କ୍ଲବ୍‌, ଶ୍ରାଚି ରାର୍‌ ବେଙ୍ଗଲ ଟାଇଗର୍ସ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ। ପ୍ରତିଦଳ ନିଜ ନିଜ ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପୁଲ୍‌ ପର୍ଯ୍ୟାୟ ପରେ ଶୀର୍ଷ ୨ ଦଳ ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିବେ। ପ୍ରଶଂସକଙ୍କୁ ଯୋଡ଼ି ରଖିବାକୁ ଉଭୟ ପୁରୁଷ ଓ ମହିଳା ଦଳଗୁଡ଼ିକ ନିଜ ନିଜର ଗୋଟିଏ ମ୍ୟାଚ୍‌ ଅଲ୍‌ଟରନେଟିଭ୍‌ ଭେନ୍ୟୁରେ ଖେଳିବେ। ‘ହିଲ୍‌’ର ପରିଚାଳନା ସମିତି ଅଧ୍ୟକ୍ଷ ଦିଲୀପ ତିର୍କି କହିଛନ୍ତି ଯେ ‘‘ଆମେ ୭ ବର୍ଷ ପରେ ପୁଣି ଥରେ ‘ହିଲ୍‌’କୁ ଆରମ୍ଭ କରିଥିବାରୁ ଉତ୍ସାହିତ। ଏହି ଋତୁରେ ଭାରତୀୟ ଓ ଅନ୍ତର୍ଜାତୀୟ ହକି ତାରକା ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଆଶା ରଖିଛୁ। ଉନ୍ମୋଚିତ ‌ହୋଇଥିବା ଆମ ନୂଆ ୱେବ୍‌ସାଇଟ୍‌ ନିଶ୍ଚିତ ପ୍ରଶଂସକଙ୍କୁ ନିକଟତର କରିବ। କିନ୍ତୁ ପ୍ରକୃତ ରୋମାଞ୍ଚକୁ ଅପେକ୍ଷା ରହିଲା’’।