Breaking News

ବିଜେପି ସଙ୍ଗଠନ ପର୍ବ କର୍ମଶାଳାରେ ସାରଦା-ସୁମନ୍ତ କଳି: ବୈଠକରେ ନଥିଲେ ସାରଦା କି ସୁମନ୍ତ

କଟକ ଜିଲ୍ଲା ବିଜେପି ସଙ୍ଗଠନ ପର୍ବ କର୍ମଶାଳାରେ ଦେଖିବାକୁ ମିଳିଛି ସାରଦା ଓ ସୁମନ୍ତଙ୍କ ସମର୍ଥକଙ୍କ ମଧ୍ୟରେ କଳି। ମାହାଙ୍ଗା ବିଜେପିର ନେତା କିଏ ? କ’ଣ ପାଇଁ ବ୍ୟାନରରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଫଟୋ ରଖାଯାଇଛି ବୋଲି ପ୍ରଶ୍ନକୁ ନେଇ ସଭାସ୍ଥଳରେ ହଟ୍ଟଗୋଳ, ଧକ୍କା...

0

କଟକ/ବାରଙ୍ଗ: କଟକ ଜିଲ୍ଲା ବିଜେପି ସଙ୍ଗଠନ ପର୍ବ କର୍ମଶାଳାରେ ଦେଖିବାକୁ ମିଳିଛି ସାରଦା ଓ ସୁମନ୍ତଙ୍କ ସମର୍ଥକଙ୍କ ମଧ୍ୟରେ କଳି। ମାହାଙ୍ଗା ବିଜେପିର ନେତା କିଏ ? କ’ଣ ପାଇଁ ବ୍ୟାନରରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଫଟୋ ରଖାଯାଇଛି ବୋଲି ପ୍ରଶ୍ନକୁ ନେଇ ସଭାସ୍ଥଳରେ ହଟ୍ଟଗୋଳ, ଧକ୍କା ଓ ମୁଥ ମରାମରି ଯାଏ କଥା ଯାଇଛି। ବ୍ୟାନରରେ ବିଧାୟକ ସାରଦା ପ୍ରଧାନଙ୍କ ଫଟୋ ରହିବାକୁ ନେଇ ଗତ ସାଧାରଣ ନିର୍ବାଚନରେ ମହାଙ୍ଗାରେ ବିଜେପି ପ୍ରାର୍ଥୀ ଥିବା ସୁମନ୍ତ ଘ‌ଡ଼େଇଙ୍କ ସମର୍ଥକ ପ୍ରତିବାଦ କରିଥିଲେ। ଏହାକୁ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଓ ଆଠଗଡ଼ ‌ବିଜେପି ନେତା ଅଭୟ ବାରିକଙ୍କ ସମର୍ଥକ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ମାରପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ଘଟଣାରେ ମାହାଙ୍ଗା ଯୁବ ମୋର୍ଚ୍ଚାର ବିପ୍ର ପ୍ରସାଦ ଦାସ ଓ ବିକାଶ ସ୍ୱାଇଁଙ୍କ ମୁହଁ ଫାଟିଯାଇଛି। ବାରଙ୍ଗରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଏଭଳି ଅପ୍ରୀତିକର ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅନ୍ୟପଟେ ଗଣ୍ଡଗୋଳ ସମୟରେ ଛଡ଼ାଛଡ଼ି କରୁଥିବାବେଳେ ଜିଲ୍ଲା ବିଜେପି ସଭାପତି ମଧ୍ୟ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି। କିନ୍ତୁ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି ଏହା ଦଳର ଆଭ୍ୟନ୍ତରୀଣ ବିଷୟ।  ଯାହା ତ୍ରୁଟି ରହିଛି ତାହାକୁ ନିଜ ଭିତରେ ସମାଧାନ କରାଯିବ। କଟକରେ ବିଜେପିର ସଙ୍ଗଠନ ସୁଦୃଡ଼ ରହିଛି ଓ ଆଗକୁ ଆହୁରି ସୁସଙ୍ଗଠିତ ହେବ ବୋଲି କହିଛନ୍ତି।

ଦୁଇ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ୍‌
ଦଳର ଆଭ୍ୟନ୍ତରୀଣ ବ୍ୟାପାର: ଜିଲ୍ଲା ସଭାପତି 
ବୈଠକରେ ନଥିଲେ ସାରଦା କି ସୁମନ୍ତ

ବାରଙ୍ଗ ଡାକ୍ତରଖାନା ଛକସ୍ଥିତ ଆରୋରା ମଣ୍ଡପରେ ଆଜି କଟକ ଜିଲ୍ଲା ବିଜେପି ସଙ୍ଗଠନ ପର୍ବ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜେପି ସଭାପତି ରାମ ନାରୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ରାଜ୍ୟ ପ୍ରବକ୍ତା ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ, ନିଆଳି ବିଧାୟକ ଛବି ମଲିକ, ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ,  କୃଷକ ମୋର୍ଚ୍ଚ ରାଜ୍ୟ ଉପସଭାପତି ହୃଷିକେଶ ଜେନା, ବାଙ୍କୀ ନିର୍ବାଚନମଣ୍ଡଳୀ ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ, ସାଲେପୁର ନେତ‌ା ଅରିନ୍ଦମ ରାୟ, ଆଠଗଡ଼ ନେତା ଅଭୟ ବାରିକ, ବଡମ୍ବା ବି‌ଜେପି ନେତା ସମ୍ବିତ ତ୍ରିପାଠୀ, ବ୍ରଜେନ୍ଦ୍ର ରାୟ, ଶୁଭ୍ରାଂଶୁ ମୋହନ ପାଢୀ, ଅନୁସୂଚିତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ୍ ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ସରିବା ପରେ ଖାଇବା ଚାଲିଥିବା ବେଳେ ସୁମନ୍ତଙ୍କ କିଛି ସମର୍ଥକ ଜିଲ୍ଲା ବିଜେପି ସଭାପତିଙ୍କୁ ପ୍ରଶ୍ନ କରିଥିଲେ ମାହାଙ୍ଗା ବିଜେପି ନେତା କିଏ? ସାରଦା  ଦଳରେ ନଥିବାବେଳେ ତାଙ୍କୁ କ’ଣ ପାଇଁ ସଦସ୍ୟତା ସଂଗ୍ରହରେ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରଶ୍ନ କରି ଯୁକ୍ତତର୍କ କରିଥିଲେ। ଏହାକୁ ତୁଷାର ଓ ଅଭୟଙ୍କ ସମର୍ଥକ ବିରୋଧ କରିବାରୁ ବୈଠକ ସ୍ଥଳ ରଣକ୍ଷେତ୍ର ପାଲଟିଥିଲା।

ଏଠାରେ ସୂଚନ‌ାଯୋଗ୍ୟ ଯେ, ରାଜ୍ୟରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ୨ୟ ସ୍ଥାନରେ ଓ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛି। ପାଖାପାଖି ୭୪ହଜାରରୁ ଅଧିକ ସଦସ୍ୟ ସଂଗ୍ରହ ହୋଇଛି।  ସୁମନ୍ତଙ୍କ ପକ୍ଷରୁ ୧୨ହଜାରରୁ ଅଧିକ ଓ ସାରଦାଙ୍କ ପକ୍ଷରୁ ୬୨ହଜାରରୁ ଅଧିକ ସଦସ୍ୟ ସଂଗ୍ରହ ହୋଇଥିବା ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି। ଏଥିସହ ସାରଦା କେନ୍ଦ୍ରମନ୍ତ୍ରୀ ଓ ବିଜେପି ପଦାଧିକାରୀଙ୍କ ଉପସ୍ଥିତିରେ ବିଜେପିର ସହଯୋଗୀ ସଦସ୍ୟଭାବେ ସାମିଲ ହୋଇଥିବା ନେଇ ରାଜ୍ୟପାଳଙ୍କୁ ଲିଖିତଭାବେ ଦେଇଥିଲେ। ଏହି ବୈଠକରେ ସାରଦା ପ୍ରଧାନ କି ସୁମନ୍ତ ଘଡ଼େଇ ଉପସ୍ଥିତ ନଥିଲେ। କିନ୍ତୁ ଦଳୀୟ ବ୍ୟାନରେ ଉଭୟଙ୍କ ଫଟୋ ରହିଥିଲା।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.