Breaking News

ସାମାଜିକ ଗଣମାଧ୍ୟମରେ କିଶୋର, ଆଶଙ୍କାରେ ଅଭିଭାବକ

ନିକଟରେ ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି ଯେ ଅଳ୍ପ ଦିନ ଭିତରେ ସେ ଦେଶରେ ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ନିଷିଦ୍ଧ କରାଯିବ। ଏ ପରିପ୍ରେକ୍ଷୀରେ ଭାରତୀୟ...

0

ନିକଟରେ ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି ଯେ ଅଳ୍ପ ଦିନ ଭିତରେ ସେ ଦେଶରେ ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ନିଷିଦ୍ଧ କରାଯିବ। ଏ ପରିପ୍ରେକ୍ଷୀରେ ଭାରତୀୟ ପିତାମାତାମାନେ ମଧ୍ୟ ଅନୁରୂପ ଚିନ୍ତା ପ୍ରକଟ କରିବା ସହ ଏଥିରେ ସରକାରଙ୍କ ହସ୍ତକ୍ଷେପ ଲୋଡୁଥିବା କଥା ଏକ ସର୍ବେକ୍ଷଣରୁ ଜଣାଯାଇଛି।

ଅଠର ବର୍ଷରୁ କମ୍‌ ବୟସର ପିଲାମାନେ ସାମାଜିକ ଗଣମାଧ୍ୟମ, ଓଟିଟି ଅଥବା ଅନ୍‌ଲାଇନ୍‌ ଗେମ୍‌ ଆଦି ମଞ୍ଚରେ ଯୋଗଦେଲା ବେଳେ ଅଭିଭାବକୀୟ ସ୍ବୀକୃତିକୁ ବାଧ୍ୟତାମୂଳକ କରିବା ଲାଗି ସରକାର ଏକ ଆଇନ ପ୍ରଣୟନ କରିବାକୁ ସେମାନେ ଦାବି କରୁଛନ୍ତି। ‘ଲୋକାଲ୍‌ସର୍କଲ୍‌’ ସାମାଜିକ ଗଣମାଧ୍ୟମ ଦ୍ବାରା କରାଯାଇଥିବା ଏହି ସର୍ବେକ୍ଷଣ ଅନୁଯାୟୀ, ସହରାଞ୍ଚଳର ପ୍ରାୟ ୫୦ ପ୍ରତିଶତ ଅଭିଭାବକଙ୍କ ଅଭିଯୋଗ ହେଲା, ସେମାନଙ୍କ ପିଲାମାନେ ସାମାଜିକ ଗଣମାଧ୍ୟମ, ଓଟିଟି ଓ ଅନ୍‌ଲାଇନ୍‌ ଗେମ୍‌ ପ୍ରତି ଏଭଳି ନିଶାସକ୍ତ ହୋଇପଡ଼ିଛନ୍ତି ଯେ ସେମାନଙ୍କର ଆକ୍ରମଣାତ୍ମକ, ଅଧୈର୍ଯ୍ୟ ଓ ଆଳସ୍ୟପୂର୍ଣ୍ଣ ବ୍ୟବହାର ସେମାନଙ୍କୁ ଅତିଷ୍ଠ କରୁଛି। ବିଶେଷ କରି ୯ରୁ ୧୭ ବର୍ଷ ବୟସର ପିଲାମାନେ ଦୈନିକ ୩ରୁ ୬ ଘଣ୍ଟା ଏହି ସବୁ ମଞ୍ଚରେ ବିତାଉଛନ୍ତି।

ଅନେକ କିଶୋର ୬ ଘଣ୍ଟାରୁ ବି ଅଧିକ ସମୟ ସାମାଜିକ ଗଣମାଧ୍ୟମରେ ନଷ୍ଟ କରୁଛନ୍ତି। ଦେଶର ୩୬୮ଟି ସହରୀ ଜିଲ୍ଲାର ୧୩,୨୮୫ ଜଣ ପିତାମାତା ସାମିଲ ହୋଇଥିବା ଏହି ସର୍ବେକ୍ଷଣରେ ନାବାଳକମାନେ ୟୁଟ୍ୟୁବ୍‌, ପ୍ରାଇମ୍‌ ଭିଡିଓ, ନେଟ୍‌ଫ୍ଲିକ୍ସ ଓ ହଟ୍‌ଷ୍ଟାର୍‌ ପରି ଲୋକପ୍ରିୟ ମଞ୍ଚ ସମେତ ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍‌ସଆପ୍‌, ଡିସ୍‌କର୍ଡ, ସ୍ନାପଚାଟ୍‌ ଓ ବି ରିଅଲ୍‌ ଆଦି ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁଥିବା ତଥ୍ୟକୁ ତର୍ଜମା କରି ଏପରି ନିର୍ଯାସ ମିଳିଛି।ପିଲାମାନେ ସାମାଜିକ ଗଣମାଧ୍ୟମ ପ୍ରତି ଆସକ୍ତ ହେଲା ପରେ ସେମାନଙ୍କ ବ୍ୟବହାରରେ ନକାରାତ୍କମ ପରିବର୍ତ୍ତନ ଘଟୁଛି ଏବଂ ଅନେକଙ୍କ ଭିତରେ ଆକ୍ରମଣାତ୍ମକ ସ୍ବଭାବ ବୃଦ୍ଧିପାଉଛି ବୋଲି ୫୮ ପ୍ରତିଶତ ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ଅଷ୍ଟ୍ରେଲିଆ ପରି ଭାରତ ସରକାର ମଧ୍ୟ ଅନୁରୂପ କଠୋର ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।
ସୌଜନ୍ୟ ସମ୍ୱାଦ

Leave A Reply

Your email address will not be published.