ଭାଷା ଓ ସାହିତ୍ୟ

A Story by Rajesh Pujari: ରାଜେଶ ପୂଜାରୀଙ୍କ କଲମରୁ ‘ଅଭାବ’…

ନୀରବ ଓ ଥଣ୍ଡା ରାତିରେ ସବିତା ଓ ଛଗନ ନଦୀକୁ ଯାଉଥିବା ବେଳେ ଅଜଣା ଭୟ ଅନୁଭବ କରୁଥାନ୍ତି। ଛଗନ ଘରକୁ ଫେରିବାକୁ କହିଲେ ମଧ୍ୟ ସବିତା ଚୁପଚାପ୍‌ ଆଗକୁ ଟର୍ଚ୍ଚ ଦେଖେଇ ଆଗକୁ ମାଡ଼ିଚାଲୁଛି।

ଅଭାବ

ରାଜେଶ ପୂଜାରୀ

କେଜାଣି ଏ ରାତିଟା କାହିଁକି ଏତେ ଶୁନଶାନ୍ ଲାଗୁଛି ଆଜି ! କିଏ ବୋଳି ଦେଇଛି ଏତେ ନୀରବତା ତା’ ଛାତିରେ ! ଅନେକ ଗ୍ରହ ନକ୍ଷତ୍ର ଏଡ଼ାଇ ଆସିଛି ଯେମିତି ଏ ରାତି! କେହି ଦିଶୁ ନାହାନ୍ତି କେଉଁଠି?

“ସବିତା, ଆଜି କାହିଁକି ଜମାରୁ ଇଚ୍ଛା ନାହିଁ ନଦୀକୁ ଯିବା ପାଇଁ। ଚାଲୁନ ଫେରିଯିବା ଘରକୁ। କିଛି ତ କୁହ ସବିତା। ଦେଖୁନ କେତେ ଥଣ୍ଡା ହେଉଛି। ହାତଗୋଡ଼ ସ୍ଥାଣୁ ପାଲଟିଗଲାଣି।”

ସବିତା ଖାଲି ହୁଁଁକାର ଦେଉଛି। ବାରମ୍ବାର ସାଲ୍‌କୁ ଦେହରେ ଜୋରରେ ଭିଡୁଛି। ଆଗକୁ ଟର୍ଚ୍ଚ ଦେଖେଇ ଛଗନକୁ ରାସ୍ତା ମାପିବା ପାଇଁ କହୁଛି।

ପୁଣି ଆରମ୍ଭ କରୁଛି- “ମୁଁ ସବୁ ବୁଝୁଛି ଗୋ।  ଦେହକୁ ପଥର କରିଦେଲା ଭଳି ଶୀତ ମୋତେ ବି କ’ଣ ଭଲ ଲାଗୁଛି! ଅନ୍ୟମାନଙ୍କ ପରି ଘରେ ରହିବାକୁ ଆମର କ’ଣ ଇଚ୍ଛା ହେଉନାହିଁ! କିନ୍ତୁ କ’ଣ କରିବା, ଆମର ନିୟତି ସେମିତି। ଆମେ ହୁଏତ ଭୋକରେ ରହି ପାଣି ପିଇ ଚଳିଯାଆନ୍ତେ; କିନ୍ତୁ କାଲି ଯେଉଁ ସକାଳୁ ମାସିକିଆ ଗ୍ରୁପବାଲାର ପଇସା ପୈଠ କରିବାର ଅଛି, ତାହା କେଉଁଠୁ ଆସିବ କହିଲ। ସେଇଥିପାଇଁ ତୁମକୁ ଜୋର୍‌ କରି ଆଣିଛି! କେତେ କୁଆଡ଼େ ଖୋଜି ଦେଖିଲି
ପାଁ’ଶ ଟଙ୍କା ଯୋଗାଡ଼ ହେଲାନି।”

– ତୁମେ ଠିକ୍ କହୁଛ ସବିତା। ସେ କି ବୁଝିବ ଆମ ଅବସ୍ଥା। ଖାଲି ସେତିକି ନୁହେଁ, ଟିକିଏ ଉପର ତଳ ହେଲେ ଗ୍ରୁପ୍ ମାଇପେ ରଖେଇ ଦେବେନି।

-ହଁ ମ! ଗ୍ରୁପବାଲା କହୁଥିଲା ଏଇ ଥରେ ଦି ଥର ପରେ ଆମର ସରିଯିବ। ଝିଅର ପାଠପଢା ପାଇଁ ଟଙ୍କା କୋଡ଼ିଏ ହଜାର ଉଠେଇଥିଲେ ଯେ କୋଡ଼ିଏ ହାଲ୍ ହେଇଗଲେଣି ଏ ପଇସା ଛୁଟୁଛୁଟୁ। ଯେତେ କଷ୍ଟ ହେଉ ଆଗକୁ କେବେ ଏ ଗ୍ରୁପ୍ ପଇସା ଆଣିବାନି।

କେବଳ ‘ହୁଁ’ଟିଏ କହୁକହୁ ଥମଥମ ହେଇଯାଉଛି ଛଗନ୍ ମାଝୀ। ମନେମନେ ଭାବୁଛି ଏ ସବୁର ଦୋଷୀ ସେ ନିଜେ। ସେ ପାଠଶାଠ ପଢି଼ ନାହିଁ। ପଢି଼ଥିଲେ କ’ଣ ଏତେ ଶୀତରେ ମାଛ ଧରିବା ପାଇଁ ଆସିଥା’ନ୍ତେ ସ୍ବାମୀ ସ୍ତ୍ରୀ। ଅନ୍ୟମାନଙ୍କ ପରି ଖୁବ୍ ଆରାମରେ କନ୍ଥା କମ୍ବଳ ଘୋଡି଼ ହେଇ ଶୋଇନଥା’ନ୍ତେ ଘରେ! ତା’ ଅପାରଗତା ପାଇଁ ବିଚାରି ସ୍ତ୍ରୀ ଟା ବି କେତେ କ’ଣ ନ ସହୁଛି ସବୁବେଳେ। ଅଭାବ ମୁକୁଟ ଭଳି ବସିଯାଇଛି ମଥାରେ। ଯେତେ ଯାହା କରି କାଢ଼ି ହେଉନାହିଁ।

ଏ ଶୀତ ବି ଖୁବ୍ ଚମତ୍କାର ପ୍ରିୟ। କେଜାଣି କାହା ପାଇଁ ଆନନ୍ଦ ଆଣେ, ଆଉ କାହା ଆଞ୍ଜୁଳାରେ ଭରିଦିଏ ରାଶିରାଶି ଦୁଃଖ। ଆମର ଏବେ ଅଭାବର ଦିନ, ହୁଏତ ଏମିତି ବି ଦିନ ଆସିବ ଆମେ ଖୁବ୍ ଆନନ୍ଦ ନେବା ଏ ଶୀତର। ସେତେବେଳେ ତୁମେ ଥିବ ମୁଁ ଥିବି ଏ ଶୀତ ବି ଥିବ କିନ୍ତୁ ଏ ଅଭାବ ନ ଥିବ।

କହିବି କହିବି ହୋଇ ଏତକ କହି ପାରୁନାହିଁ ସବିତା,
ଶବ୍ଦସବୁ ଚାରିକାନ୍ଥ ତଳେ ନୀରବି ଯାଉଛନ୍ତି ଯେମିତି।

ସେମାନେ ଚାଲୁଛନ୍ତି ନିର୍ଜନ ନଈ ଅଭିମୁଖେ।
ଶୀତକୁ ଡରେଇ ହୁଏତ କିଛିଟା ସ୍ବପ୍ନକୁ ବଞ୍ଚିବା ପାଇଁ।

ଗ୍ରାମ-କୁଶମେଲ, ପୋଷ୍ଟ-କପିଲାପୁର
ଭାୟା-ପଞ୍ଚଗାଁ, ଜିଲ୍ଲାଝାରସୁଗୁଡ଼ା
ପିନ୍-୭୬୮୨୨୬
ମୋ: ୮୧୪୪୭୭୯୦୬୧

Leave a Reply

Your email address will not be published. Required fields are marked *

Back to top button