Breaking News

ଉତ୍କଳର ଉତ୍କର୍ଷ ଅଭିଷେକ, ମିଳିଲା ‘ଶ୍ରେଷ୍ଠ ନବପ୍ରବର୍ତ୍ତନ’ ପୁରସ୍କାର

ଭୁବନେଶ୍ବର, (ଅପର୍ଣ୍ଣା ମିଶ୍ର): ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟିକ ପରିଚାଳନା ବିଭାଗ ଅନ୍ତର୍ଗତ କୃଷି ପରିଚାଳନା ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଅଭିଷେକ ମହାପାତ୍ରଙ୍କୁ ଉତ୍କଳ ସମ୍ମାନରେ ‘ଶ୍ରେଷ୍ଠ ନବପ୍ରବର୍ତ୍ତନ’ ପୁରସ୍କାର ମିଳିଛି। ଅଭିଷେକଙ୍କୁ ଏହି ପୁରସ୍କାର ତାଙ୍କର ବାୟୋମାସ ନିର୍ମିତ ସ୍ୱଦେଶୀ ବ୍ୟାଟେରୀ ପ୍ରସ୍ତୁତିର ଅପୂର୍ବ ସଫଳତା ପାଇଁ ପ୍ରଦାନ କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏହାପୂର୍ବରୁ ଅଭିଷେକ ମହାପାତ୍ର ଜାତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ବିକାଶ ବୋର୍ଡରେ ପ୍ରଥମ ସ୍ଥାନ, ଭାରତୀୟ ଉଦ୍ୟୋଗ ଏବଂ ଯୁବ ଭାରତ ଫାଉଣ୍ଡେସନର ଉଦ୍ଭିଦାୟନରେ ନବସୃଜନ ପାଇଁ ପ୍ରଥମ ସ୍ଥାନ, ବାୟୋ ଆଧାରିତ ଟେକ୍ନୋଲୋଜି ଉଦ୍ଭିଦାୟନ ପ୍ରୋଟୋଟାଇପ୍ ପାଇଁ ବାୟୋଟେକ୍ନୋଲୋଜି ବିଭାଗ ଆଇଏଲ୍ଏସ୍ ଭୁବନେଶ୍ୱରରେ ପ୍ରଥମ ସ୍ଥାନ, ଆଇଆଇଟି କାନପୁରର ଉଦ୍ଭିଦାୟନରେ ଜାତୀୟ ଜଳବାୟୁ ଚାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଦେଶର ଶୀର୍ଷତମ ଷ୍ଟାର୍ଟଅପ୍ କମ୍ପାନୀ ଗୁଡ଼ିକରେ ଏକ୍ସଆଇଏମବି ଓ ଆଇସିଆଇସିଆଇ ଫାଉଣ୍ଡେସନ ଦ୍ବାରା ଅଭିଷେକ ମହାପାତ୍ରଙ୍କୁ ମନୋନୀତ କରାଯାଇଛି। ଆଇଆଇଟି ଖଡ଼ଗପୁରରେ ନିକଟରେ ସମାପ୍ତ ହୋଇଥିବା ଏକ ଚାଲେଞ୍ଜରେ ଅଭିଷେକ ଶ୍ରେଷ୍ଠ ବାୟୋ ଆଧାରିତ ଷ୍ଟାର୍ଟଅପ ମଧ୍ୟରେ ମନୋନୀତ ହୋଇଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଅଭିଷେକଙ୍କୁ ତାଙ୍କର ସଫଳତାର ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ବିଶ୍ବବିଦ୍ୟାଳୟ ତରଫରୁ ସମସ୍ତ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

ଅଭିଷେକ ଉତ୍କଳ ବିଶ୍ୱବିଦ୍ୟାଳୟସ୍ଥିତ ଇନୋଭେସନ ଆଣ୍ଡ ଇନକ୍ୟୁବେସନ ସେଣ୍ଟରର ଷ୍ଟାର୍ଟଅପ୍ ଇନକ୍ୟୁବେସନ ଅଧୀନରେ ଛାତ୍ର ଷ୍ଟାର୍ଟଅପ୍ ପ୍ରୋଗ୍ରାମର ଅଂଶ ୨୦୨୨ରୁ ଥିଲେ ଏବଂ ସେଣ୍ଟରଟି ସକ୍ରିୟ ଭାବରେ ତାଙ୍କର ବିଭିନ୍ନ ବାୟୋ ଆଧାରିତ ପ୍ରୋଟୋଟାଇପର ବିକାଶ କ୍ଷେତ୍ରରେ ସହଯୋଗ କରୁଥିଲା। ବିଶ୍ୱବିଦ୍ୟାଳୟର ଛାତ୍ର ଷ୍ଟାର୍ଟଅପ୍ ପ୍ରୋଗ୍ରାମ ୧୦ରୁ ଅଧିକ ଷ୍ଟାର୍ଟଅପକୁ ସାହାଯ୍ୟକରି ଏକାଧିକ କ୍ଷେତ୍ରରେ ଉପସ୍ଥିତ ଆହ୍ବାନଗୁଡିକର ଅଭିନବ ସମାଧାନ ଖୋଜିବା ପାଇଁ ସେମାନଙ୍କର ଅଭିଳାଷକୁ ସାକାର କରେ।

କୃଷି ପରିଚାଳନା ସେଣ୍ଟରର ଅଧ୍ୟାପକମାନଙ୍କର ପଥପ୍ରଦର୍ଶିତ ଅଭିଷେକ ବିଶ୍ୱବିଦ୍ୟାଳୟର ପ୍ରକୃତ ଲକ୍ଷ୍ୟର ଏକ ସଫଳ କାହାଣୀ, ଯାହା ସର୍ବଦା ଅଭିନବ ତଥା ଛାତ୍ର ଷ୍ଟାର୍ଟଅପ୍ ଗୁଡ଼ିକର ସୃଷ୍ଟି ଓ ସମର୍ଥନ ପାଇଁ ଚେଷ୍ଟିତ। ଏତଦ୍ବାରା ଓଡିଶାର ଅର୍ଥନୈତିକ ଓ ପରିବେଶ କ୍ଷେତ୍ରରେ ନିରନ୍ତର ବିକାଶରେ ଶକ୍ତିଶାଳୀ ହୋଇପାରିବ।

Comments are closed.