ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇସଲାମିକ୍ ଷ୍ଟେଟର ଦ୍ୱିତୀୟ-ଇନ୍-କମାଣ୍ଡ ଅବୁ-ବିଲାଲ୍ ଅଲ୍-ମିନୁକି ନାଇଜେରିଆରେ ଆମେରିକା ଏବଂ ନାଇଜେରିଆନ ସେନାର ମିଳିତ ଅପରେସନରେ ନିହତ ହୋଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଏହି ମିଶନ ତାଙ୍କ ନିର୍ଦ୍ଦେଶରେ କରାଯାଇଥିଲା ଏବଂ ଏଥିରେ ସତର୍କତାର ସହ ଯୋଜନାବଦ୍ଧ ଏବଂ ଜଟିଳ ସାମରିକ ଅଭିଯାନ କରାଯାଇଥିଲା। ଗୁଇନ୍ଦା ସୂତ୍ରରୁ ଅବୁ-ବିଲାଲ୍ଙ୍କ ଗତିବିଧି ଏବଂ ସ୍ଥାନ ଟ୍ରାକ୍ କରାଯାଇଥିଲା। ଆବୁ-ବିଲାଲ୍ ଆଫ୍ରିକାରେ ଲୁଚିବାକୁ ଚେଷ୍ଟା କରୁଥିଲେ।
ଅପରେସନ କିପରି କରାଯାଇଥିଲା ବଖାଣିଲେ ଟ୍ରମ୍ପ
ଟ୍ରମ୍ପ କହିଛନ୍ତି, ଆଜି ରାତିରେ, ମୋ ନିର୍ଦ୍ଦେଶରେ, ଯୁକ୍ତରାଷ୍ଟ୍ର ସେନା ଏବଂ ନାଇଜେରିଆର ସଶସ୍ତ୍ର ବାହିନୀ ବିଶ୍ୱର ସବୁଠାରୁ ସକ୍ରିୟ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏକ ସୁଚିନ୍ତିତ ଯୋଜନାବଦ୍ଧ ଏବଂ ଅତ୍ୟନ୍ତ କଷ୍ଟକର ମିଶନକୁ କୌଣସି ତ୍ରୁଟି ନକରି କାର୍ଯ୍ୟକାରୀ କରିଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଲେଖିଛନ୍ତି, ଆଇଏସ୍ଆଇଏସ୍ର ବିଶ୍ୱବ୍ୟାପୀ ଦ୍ୱିତୀୟ-ଇନ୍-କମାଣ୍ଡ, ଆବୁ-ବିଲାଲ୍ ଅଲ୍-ମିନୁକି ଭାବିଥିଲେ ଯେ, ସେ ଆଫ୍ରିକାରେ ଲୁଚି ରହିପାରିବେ, କିନ୍ତୁ ସେ ଜାଣି ନଥିଲେ, ଆମ ପାଖରେ ଏପରି କିଛି ଉତ୍ସ ଅଛି ଯେଉଁମାନେ ତାଙ୍କ କାର୍ଯ୍ୟକଳାପ ବିଷୟରେ ଆମକୁ ସୂଚନା ଦେଉଥିଲେ। ଏଣିକି ଅବୁ-ବିଲାଲ୍ ଆଉ ଆଫ୍ରିକାର ଲୋକମାନଙ୍କୁ ଆତଙ୍କିତ କରିବେ ନାହିଁ, କିମ୍ବା ଆମେରିକୀୟମାନଙ୍କୁ ଟାର୍ଗେଟ କରି ଅପରେସନ ଯୋଜନା କରିବାରେ ସାହାଯ୍ୟ କରିବେ ନାହିଁ। ତାଙ୍କ ମୃତ୍ୟୁ ସହିତ ଆଇଏସ୍ଆଇଏସ୍ର ବିଶ୍ୱବ୍ୟାପୀ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଛି। ଏହି ଅପରେସନରେ ସହଯୋଗ ପାଇଁ ସେ ନାଇଜେରିଆ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ

