
ସୋରଡ଼ା: ଗଂଜାମ ଜିଲ୍ଲା ସୋରଡା ଥାନା ପାଟପଲ୍ଲୀ ଗାଁ ନିକଟ ବାଉଁଶିଆ ଛକ ଠାରେ ସରକାରୀ ବସ୍ ସହିତ ବୁଲେଟ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବୁଲେଟରେ ବସିଥିବା ତିନି ଜଣକ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମାଣିଆକାଟି ଗ୍ରାମର ଶଙ୍କର ଗୌଡ, ଟିଲୁ ଗୌଡ ଓ ଶିଲୁ ମୁଳି।
ସୂଚନା ମୁତାବକ ଆଜି ସନ୍ଧ୍ୟା ସାତଟା ସମୟରେ ମାଣିଆକାଟି ଗ୍ରାମର ତିନି ଜଣ ଯୁବକ ସୋରଡାରୁ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ବାଉଁଷିଆ ଛକ ଠାରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ସରକାରୀ ବସ୍ ସହିତ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ରେ ବସିଥିବା ତିନି ଜଣ ଯୁବକ ବସ୍ରେ ପିଟି ହୋଇ ଚକା ତଳେ ପଡି ଯାଇଥିଲେ। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି।
ଖବର ପାଇ ଅଗ୍ନିଶମ ବାହିନୀ ଓ ସୋରଡା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ସୋରଡା ମେଡିକାଲରେ ଆଣି ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ଚାପା ଉତେଜନା ଥିବା ବେଳେ ପୋଲିସ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।
ସୌଜନ୍ୟ ସମ୍ବାଦ



