
ନନ୍ଦପୁର: ଗତକାଲି ବିଳମ୍ବିତ ରାତ୍ରିରେ କୋରାପୁଟଜିଲ୍ଲା ନନ୍ଦପୁରଠାରୁ ପାଡୁଆ ମୁଖ୍ୟ ରାସ୍ତାରେ ଘଟିଥିବା ଏକ ଭୟାବହ କାର୍ ଦୁର୍ଘଟଣାରେ ଦୁଇ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ଓଆର୍ ୧୮ ଏ ୬୩୩୬ ନମ୍ବର ବିଶିଷ୍ଟ ଏକ ଅଲ୍ଟୋ କାର୍ ନନ୍ଦପୁରରୁ ପାଡୁଆ ଦିଗକୁ ଯାଉଥିବାବେଳେ ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଚାଳକ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା ପାଖରେ ଥିବା ଏକ ଆମ୍ବ ଗଛକୁ ଧକ୍କା ଦେଇଥିଲା।
ଦୁର୍ଘଟଣାର ଭୟାବହତା ଏତେ ଥିଲା ଯେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇ ଆରୋହୀମାନେ ଭିତରେ ଛିଟକି ପଡ଼ିଥିଲେ। ଘଟଣା ସମ୍ପର୍କରେ ଜାଣିପାରି ନନ୍ଦପୁର ଅଗ୍ନିଶମ ବିଭାଗର ଏଏସଓ ହେମନ୍ତ କୁମାର ସାମଲ, ପ୍ରକାଶ କିଷାନ୍ ସହ ଅନ୍ୟ ସହଯୋଗୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର କବାଟ ଭାଙ୍ଗି ଆହତ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ।
ପରେ ଆହତମାନଙ୍କୁ ତୁରନ୍ତ ଦମକଳ ଗାଡ଼ିରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ଗୋଲୁର ଗାଁର ଲବ ଖରା ଓ ଖୁଡୁବ ଗାଁର ଅନନ୍ତ ପାଙ୍ଗି ବୋଲି ଚିହ୍ନଟ କରାଯାଇଛି। ଘଟଣାସ୍ଥଳରେ ନନ୍ଦପୁର ଥାନା ଅଧିକାରୀ ତ୍ରିନାଥ ତୋଟାପାଡ଼ିଆ, ଏସଆଇ ବେଦବର ସାହୁ ଓ ଗୁପ୍ତେଶ୍ୱର ଗୌଡ ପ୍ରମୁଖ ଉପସ୍ଥିତ ରହି ଦୁର୍ଘଟଣାର ସଠିକ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛନ୍ତି।
ସୌଜନ୍ୟ ସମ୍ବାଦ




