Breaking News

ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ

ରାଜ୍ୟ ସରକାରଙ୍କ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଆଡପ ମଣ୍ଡପ ବିଜେ ନୀତିର ସିଧାପ୍ରସାରଣ ନିମନ୍ତେ ଦୂରଦର୍ଶନ ସହାୟତାରେ ବ୍ୟବସ୍ଥା କରାଯାଇଛି।

ପୁରୀ: ଶ୍ରୀଜିଉଙ୍କ ଆଡ଼ପ ବିଜେ । ଜନ୍ମବେଦୀରେ ଚାଲିବ ଲୀଳାଖେଳା । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି । ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ କୃଷ୍ଣ ଶ୍ରୀଗୁଣ୍ଡିଚାକୁ ବିଜେ କରିବା ପରେ ଗୋଟି ପହଣ୍ଡିରେ ଯାଇଥିଲେ ଚକ୍ରରାଜ ସୁଦର୍ଶନ  ଘଣ୍ଟ, ଘଣ୍ଡା ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ଏହାପରେ ଟାହିଆ ଲଗାଇ ଶ୍ରୀଗୁଣ୍ଡିଚା ବିଜେ କରିଥିଲେ ବଡ଼ଭାଇ ବଳଭଦ୍ର । ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ଆସନ୍ତାକାଲି ସକାଳୁ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେବାପରେ ସଂଧ୍ୟାରେ ହେବ ବନକଲାଗି ନୀତି । ଏଥିପାଇଁ ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଆଡପ ମଣ୍ଡପ ବିଜେ ନୀତିର ସିଧାପ୍ରସାରଣ ନିମନ୍ତେ ଦୂରଦର୍ଶନ ସହାୟତାରେ ବ୍ୟବସ୍ଥା କରାଯାଇଛି।

ମଙ୍ଗଳବାରଠାରୁ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବୁଧବାର ପୂର୍ବାହ୍ନ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଛନ୍ତି। ମଙ୍ଗଳବାରଠାରୁ ବଡ଼ଦାଣ୍ଡରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବୁଧବାର ଦିନ ଶରଧାବାଲିରେ ବିଜେ କରିଛନ୍ତି। ତିନିରଥ ଶରଧାବାଲିରେ ବିଜେ ପରେ ରଥ ଉପରେ ଆଜିର ଦୈନନ୍ଦିନ ନୀତିକାନ୍ତି ସଂପନ୍ନ ହୋଇଛି। ରଥଟଣା ଦିନ ଆଡ଼ପ ପହଣ୍ଡି ପରମ୍ପରା ବିରୋଧୀ ଥିବାରୁ ଗୁରୁବାର ଅପରାହ୍ନରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ପହଣ୍ଡି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ(ଜନ୍ମବେଦି)କୁ ବିଜେ କରିଥିଲେ।
ମଙ୍ଗଳବାର ଦିନ ରଥଟଣାରେ ବିଳମ୍ବ ଯୋଗୁ ଦୁଇରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ସନ୍ଧ୍ୟା ପୂର୍ବରୁ ପହଞ୍ଚି ପାରି ନଥିଲେ। ବଡ଼ଠାକୁରଙ୍କ ତାଳଧ୍ବଜ ରଥ ରାତି ୭ଟା ୪୫ରେ ଶରଧାବାଲିରେ ପହଞ୍ଚିଥିଲେ ବି ରାତି ଯୋଗୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିର ପାଖରେ ଏବଂ ଦେବୀ ସୁଭଦ୍ରାଙ୍କ ରଥ ବଡ଼ଶଙ୍ଖଠାରେ ଅଟକି ରହିଥିଲେ। ଏଣୁ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡ଼ଦାଣ୍ଡ ଭକ୍ତଙ୍କ ଗହଳଚହଳରେ ଭରି ରହିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ ପାଇଁ ଭକ୍ତମାନେ ରଥ ପାଖରେ ଗହଳି ଲଗାଇଥିଲେ।

ବୁଧବାର ସକାଳୁ ରଥ ଉପରେ ମଙ୍ଗଳ ଆଳତି ସହ ତଡ଼ପଲାଗି, ଅବକାଶ ପୂଜା ଓ ବେଶ ଶେଷପରେ ସକାଳ ପ୍ରାୟ ୯ଟାରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ଦର୍ପଦଳନ ଓ ପରେ ନନ୍ଦିଘୋଷ ରଥ ଟଣାଯାଇଥିଲା। ହଜାରହଜାର ସଂଖ୍ୟାରେ ଭକ୍ତ ଏକାଠି ହୋଇ ଦୁଇରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରକୁ ଟାଣି ନେଇଥିଲେ। ‘ଜୟ ଜଗନ୍ନାଥ’ ସହ ହରିବୋଲ, ହୁଳହୁଳିରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା। ପ୍ରଥମେ ପୂର୍ବାହ୍ନ ୧୦ଟା ୨୫ରେ ଦର୍ପଦଳନ ରଥ ଶରଧାବାଲିରେ ବିଜେ କରିଥିଲା। ଏହାପରେ ଅର୍ଥାତ ପୂର୍ବାହ୍ନ ୧୦ଟା ୩୫ରେ ନନ୍ଦିଘୋଷ ରଥ ବିଜେ କରିଥିଲା।

ସେପଟେ ବୁଧବାର ଦିନ ବି ବହୁସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ରୁଣ୍ଡ ହୋଇ ରଥ ଟାଣିବା ସହ ରଥାରୁଢ଼ ମହାବାହୁଙ୍କ ଦିବ୍ୟ ଦର୍ଶନର ସାନ୍ନିଧ୍ୟ ଲାଭ କରିଛନ୍ତି। ଆଜି ବି ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି।

Comments are closed.